ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ଶିକ୍ଷାବିଭାଗର ବୈଠକ

ଆସିକା  (ୱାଇଏନ୍‍ଏସ୍‍): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‍ ପରୀକ୍ଷା ତଥା ମାଟ୍ରିକ ପରୀକ୍ଷା ଗତ ଫେବୃୟାରୀ ମାସ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୨ ତାରିଖରେ ଶେଷ ହୋଇସାରିଛି । ଆସନ୍ତାକାଲି ଅର୍ଥାତ୍‍ ଗୁରବାର ଠାରୁ ସ୍ଥାନୀୟ ହରିହର ହାଇସ୍କୁଲ ମାଟ୍ରିକ ପରୀକ୍ଷାଖାତା ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଚୟନ ହୋଇଥିବା ୧୯୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚି କାର୍ଯ୍ୟରେ ଯୋଗଦେଇଥିବା ଜଣାପଡିଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡା ସୁରକ୍ଷା ବଳୟ ମଧ୍ୟରେ ଆସିକା ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ସବ୍‍ଜେକ୍ଟିଭ୍‍ ଉତ୍ତରଖାତା ପହଞ୍ଚିସାରିଛି । ମାଟ୍ରିକ୍‍ ପରୀକ୍ଷା ଖାତାକୁ ମାଧ୍ୟମିକ ଶିକ୍ଷା ପରିଷଦର ମାର୍ଗଦର୍ଶିକା ଅନୁଯାୟୀ ସ୍ୱଚ୍ଛତାର ସହ କିପରି ସଂପନ୍ନ କରାଯିବ ସେ ସଂକ୍ରାନ୍ତରେ ବୁଧବାର ଅପରାହ୍ନରେ ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଏସ୍‍.ଧନଞ୍ଜୟ, ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି, ମୂଲ୍ୟାୟନ କେନ୍ଦ୍ରର କ୍ୟାମ୍ପ ଅଫିସର ମଦନ ମୋହନ ବେହେରା, ପିଏ୍‍ଶ୍ରୀ ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ମୂଲ୍ୟାୟନ କେନ୍ଦ୍ରର ସୁପରଭାଇଜର ରମାକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ପରୀକ୍ଷକମାନଙ୍କୁ ମୂଲ୍ୟାୟନ ସଂପର୍କରେ ମାର୍ଗଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାର ପରୀକ୍ଷାଖାତା ମୂଲ୍ୟାୟନ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ମାଟ୍ରିକ ପରୀକ୍ଷାଖାତା ମୂଲ୍ୟାୟନ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାର ରଖିବା ଓ ତୃଟିଶୂନ୍ୟ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପରକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ମାଟ୍ରିକ ପରୀକ୍ଷା ଖାତା ଦେଖିବା ପାଇଁ ିନିୟୋଜିତ ଥିବା ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ବୁଧବାର ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି । ଆସନ୍ତାକାଲି ଅର୍ଥାତ୍‍ ଗୁରବାର ସକାଳ ୧୦ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପରୀକ୍ଷାଖାତା ଦେଖା ଆରମ୍ଭ ହେବ ବୋଲି ଜଣାପଡିଛି । ଏହି ମାଟ୍ରିକ ପରୀକ୍ଷା ଖାତା ଦେଖା କାର୍ଯ୍ୟକ୍ରମ ଦୀର୍ଘ ୧୪ ଦିନ ଚାଲିବାର କାର୍ଯ୍ୟକ୍ରମ ରହିଥିବା ବେଳେ ମାଟ୍ରିକ ପରୀକ୍ଷା ଖାତାରେ ନିୟୋଜିତ ଥିବା ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ମୂଲ୍ୟାୟନ ସମୟରେ ପରୀକ୍ଷା କେନ୍ଦ୍ର ବାହାରକୁ ଯାଇପାରିବେ ନାହିଁ ଓ ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍‍ ଫୋନ୍‍ ନେବା ଉପରେ ବାରଣ କରାଯାଇଛି । ମାଟ୍ରିକ ପରୀକ୍ଷା ଖାତା ଦେଖିବା ଲାଗି ପ୍ରତିି ୟୁନିଟରେ ଜଣେ ଚିଫ୍‍ ଏକ୍‍ଜାମିନର୍‍, ୨ ଜଣ ଡେପୁଟି ଚିଫ୍‍ ଏକ୍‍ଜାମିନର୍‍, ୨ ଜଣ ସ୍କୃଟିନାଇଜର୍‍ ବୋର୍ଡ ପକ୍ଷରୁ ନିୟୋଜିତ ଜଣେ କ୍ୟାମ୍ପ ଅଫିସର୍‍, ମୂଲ୍ୟାୟନ କେନ୍ଦ୍ରର ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତି ସୁପରଭାଇଜର ରୂପେ ନିୟୋଜିତ ଥିବା ଜଣାପଡିଛି । ଏହା ବାଦ୍‍ ଅନ୍ୟ କେତେକ ମୂଲ୍ୟାଙ୍କନକାରୀଙ୍କୁ ରିଜର୍ଭରେ ରଖାଯାଇଥିବା ବେଳେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାଙ୍କନ ପରେ ପ୍ରତିଦିନ ଡାଟା ଏଣ୍ଟ୍ରି ଅପରେଟର୍‍ ମାନଙ୍କ ମାଧ୍ୟମରେ ମାର୍କ ଅପ୍‍ଲୋଡ୍‍ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଲକ୍ଷ୍ୟ କରାଯାଇଛି । ମାଟ୍ରିକ ପରୀକ୍ଷାର୍ଥୀମାନେ ୬ଟି ବିଷୟରେ ୬ ଶହ ନମ୍ବରର ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୫୦ ନମ୍ବର ଅବ୍‍ଜେକ୍ଟିଭ୍‍ ଓ ୫୦ ନମ୍ବର ସବ୍‍ଜେକ୍ଟିଭ୍‍ ପ୍ରଶ୍ନରେ ପରୀକ୍ଷା ଦେଇଥିଲେ । ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ କେନ୍ଦ୍ରର ସୁପରଭାଇଜର ତଥା ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତି ଓ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ମଦନ ମୋହନ ବେହେରା କ୍ୟାମ୍ପ ଅଫିସର ଙ୍କ ସମେତ ଶିକ୍ଷା ବିଭାଗର ବହୁ ବରିଷ୍ଠ ପଦାଧିକାରୀ ନିୟୋଜିତ ଥିବା ଜଣାପଡିଛି । ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାରେ କିପରି ସ୍ୱଚ୍ଛତା ରଖାଯାଇପାରିବ ସେଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସର୍ବାଧିକ ଗୁରୁତ୍ୱ ଦେଇଥିବା ପରିଲକ୍ଷିତ ହୋଇଛି । ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା ବେଳେ ଆସନ୍ତା ମେ ମାସ ପ୍ରଥମ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଆସିକା ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତା ଦେଖିବା ଲାଗି ୧୯୬ ଜଣ ଶିକ୍ଷକ ଓ ମାର୍କ ଅପଲୋଡ୍‍ କରିବା ପାଇଁ ୬ ଜଣ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିୟୋଜିତ କରାଯାଇଥିବା ବେଳେ ମୂଲ୍ୟାୟନକାରୀଙ୍କ ଲାଗି ଏକ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ ମଧ୍ୟ କରାଯାଇଛି । ମୂଲ୍ୟାୟନକାରୀମାନେ ଉକ୍ତ ପଦ୍ଧତି ଆଧାରରେ ଖାତା ଦେଖିବା ଲାଗି ପରାମର୍ଶ ଦିଆଯାଇଥିଲା ବେଳେ ମୂଲ୍ୟାୟନ ପରେ ପ୍ରତିଦିନ ଅନ୍‍ଲାଇନ୍‍ରେ ମାର୍କ ଗୁଡିକ ଅପଲୋଡ୍‍ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ