ହାଟଡିହି ବ୍ଲକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ସ୍କୁଲ ଯାଉ ନାହାନ୍ତି ଶିକ୍ଷକ, ଅଭିଯୋଗର ତଦନ୍ତ କଲେ ବିଡ଼ିଓ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡୁଛି। କେଉଁଠି ଶିକ୍ଷକ ମାନେ ସ୍କୁଲ ନଯାଇ ନିଜ କାମରେ ବ୍ୟସ୍ତ ରହୁଛନ୍ତି ତ ଆଉ କେତେକ ମନ ଇଛା ସ୍କୁଲକୁ ଯିବା ଆସିବା କରୁଛନ୍ତି। ସତେ ଯେପରି ଲଗାମ ଛଡା ହୋଇ ଯାଇଛି ଶିକ୍ଷା ବ୍ୟବସ୍ଥା। ବିଶେଷ କରି ସ୍କୁଲ ଗୁଡିକର ତଦାରଖ କରିବା ପାଇଁ ସିଆରସିସି ମାନେ ନିଯୁକ୍ତ ଥିଲେ ବି କିଛି ସି ଆର ସିସି ସେମାନଙ୍କ କର୍ତ୍ତବ୍ୟ ଭୁଲି ଯାଉଛନ୍ତି। କିଏ ସପ୍ତାହରେ ଥରେ ତ ଆଉ କିଏ ଆଦୌ ଯାଉ ନାହାନ୍ତି। ଫଳରେ ସ୍କୁଲର ସମସ୍ୟା ସମ୍ପର୍କରେ ସିଆର ସିସି ମାନେ ଜାଣି ପାରୁ ନାହାନ୍ତି। ଏପରି ଏକ ଅଭିଯୋଗ ଆସିଛି ସାହାପୁର ସ୍କୁଲରୁ। ଗେଡ଼ମା ସିଆରସିସି ଅଧୀନରେ ଥିବା ଏହି ସ୍କୁଲର ପ୍ରଧାନ ଶିକ୍ଷକ ନିୟମିତ ସ୍କୁଲ ଆସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଧାନ ଶିକ୍ଷକ ବିଜୟ କୁମାର ସେଠୀ ଏଠାରେ ଦୁଇ ମାସ ହେଲା କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ମାତ୍ର ୧୦/୧୨ ଦିନ ସ୍କୁଲ ଆସିଛନ୍ତି ବୋଲି ଗ୍ରାମବାସୀ ମାନେ  ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦେଶରେ ଆଜି ହାଟଡିହି ବ୍ଲକର ବିଡ଼ିଓ ରଞ୍ଜନ କୁମାର ପରିଡା ଉକ୍ତ ସ୍କୁଲରେ ପହଞ୍ଚି ଅଭିଯୋଗର ତଦନ୍ତ କରିଛନ୍ତି। ସେ ତଦନ୍ତ ରୋପୋର୍ଟ ଉପଜିଲ୍ଲାପାଳ ଙ୍କୁ ପଠାଇବେ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ଗ୍ରାମବାସୀଙ୍କ କହିବା କଥା ଯେ ଏହି ସ୍କୁଲରେ ପାଞ୍ଚୋଟି ଶ୍ରେଣୀ ଥିବାବେଳେ ଦୁଇଜଣ ଶିକ୍ଷକ ଅଛନ୍ତି। ଜଣେ ଶିକ୍ଷକ ଅନୁପସ୍ଥିତ ରହୁଥିଭାରୁ ଶିକ୍ଷାଦାନ ଠିକ ଭାବେ ହୋଇ ପାରୁନି।  ପ୍ରଧାନଶିକ୍ଷକ ଜଣକ ଶିକ୍ଷା ବିଭାଗର ଅଧିକାରୀ ମାନଙ୍କୁ ଅଧିକାଂଶ ସମୟ ସାଙ୍ଗରେ ଧରି ବୁଲୁଛନ୍ତି।  ଆମେ ଅଭିଯୋଗ କାହାକୁ କରିବୁ, ତେଣୁ ବାଧ୍ୟହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲୁ ବୋଲି କହିଛନ୍ତି।  ପ୍ରଧାନ ଶିକ୍ଷକ ବିଜୟ କୁମାର ସେଠୀଙ୍କୁ ପଚାରିବାରେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି। ତାଙ୍କ ମାଙ୍କ ଦେହ ଖରାପ ଥିବାରୁ ସେ ଦୁଇଦିନ ଛୁଟିନେଇ ଯାଇଥିଲେ ବୋଲି ସଫେଇ ଦେଇଛନ୍ତି। ଏ ସମ୍ପର୍କରେ ବିଇଓ ରାଜୀବ ଦଳେଇଙ୍କୁ ପଚାରିବାରେ ସେ ଗ୍ରାମବାସୀ କିମ୍ବା ଅଭିଭାବଙ୍କ ଠାରୁ ଅଭିଯୋଗ ପାଇ ନଥିବା କହିଛନ୍ତି। ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ