ବାଂଶପାଳରେ ‘ଏକ ପେଡ ମା’ କେ ନାମ ’ କାର୍ଯ୍ୟକ୍ରମ
କେନ୍ଦୁଝର (ଓ୍ବାଇଏନଏସ): ବାଂଶପାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଂଚଳରେ ‘ଏକ ପେଡ ମା’ କେ ନାମ ’ କାର୍ଯ୍ୟକ୍ରମରେ ମାଗଣା ଚାରା ବଂଟନ ସହ ବିଭିନ୍ନ ସ୍ଥାନରେ ସମୁହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବ୍ଲକରେ ମୋଟ ୪୦ ହଜାର ଚାରା ‘ଏକ ପେଡ ମା’ କେ ନାମ ’ କାର୍ଯ୍ୟକ୍ରମରେ ମାଗଣାରେ ବଂଟନ କରାଯିବ । ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସୁରକ୍ଷା ମାନବ ସମାଜ ପାଇଁ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏହାକୁ ସନ୍ତୁଳିତ କରି ରଖିବା ପାଇଁ ହେଲେ ସମସ୍ତେ ଗଛ ଲଗାଇବା ସହ ତା’ର ଯତ୍ନ ନେବା ଜରୁରୀ । ଏହି କାର୍ଯ୍ୟକ୍ରମରେ ଭୂୟା ଜୁଆଙ୍ଗ ପୀଢ ରେଞ୍ଜ ଅଧିନସ୍ଥ ଶୁଆକାଟୀ ଓ କାଞ୍ଜିପାଣି ସେକ୍ସନର ଫରେଷ୍ଟର ଜ୍ୟୋତିର୍ମୟୀ ପଟ୍ଟନାୟକ ଏବଂ ସାବିତ୍ରୀ ସାହୁଙ୍କ ଜରିଆରେ କାଞ୍ଜିପାଣି,କୁଅଁର,ଗୋନାସିକା,ତରମାକାନ୍ତ,କୁଶକଳା,ବାଂଶପାଳ,ଶୁଆକାଟୀ,କଂଟାକୋଳି, ପଦାକସଡା, ସାହାରପୁର, ରାଇଗୋଡା, ବାଲି,ଚମ୍ପେଇ, ଉପର କାଇପୁର, ଫୁଲବାଡି ଆଦି ଗ୍ରାମରେ ବନବାସୀମାନଙ୍କୁ ମାଗଣାରେ ବିଭିନ୍ନ ଫଳ ଜାତୀୟ ଚାରା ବଂଟନ କରାଯାଉଛି । ଭ୍ରାମ୍ୟମାଣ ଚାରା ବିତରଣ ସଚେତନତା ରଥ ମାଧ୍ୟମରେ ଲୋକମାନଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା କରାଯିବା ସହ ମଣିଷ ଓ ହାତୀ ମଧ୍ୟରେ ସଂଘର୍ଷ କିପରି କମାଯାଇପାରିବ ସେ ସମ୍ପର୍କରେ ସଚେତନ କରାଯାଉଛି ବୋଲି ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜର ନୟନକାନ୍ତ ସାହୁ ସୂଚନା ଦେଇଛନ୍ତି । ବର୍ଷା ଋତୁରେ ସର୍ପାଘାତ ଜନିତ ମୃତୁ୍ୟ ସଂଖ୍ୟା ବାଂଶପାଳ ବ୍ଲକରେ ଅଧିକ ହେଉଥିବାରୁ ଏଥିରୁ ଲୋକମାନେ ରକ୍ଷା ପାଇବା ପାଇଁ କ’ଣ ପଦକ୍ଷେପ ଜରୁରୀ ଏବଂ ଘରେ ସାପ ବାହାରିଲେ ଏହାକୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେ ସଂପର୍କରେ ଲୋକମାନଙ୍କୁ ସଚେତନ କରାଯାଉଛି । ବାଂଶପାଳ ବ୍ଲକର ମେଦିନପୁର,ତଣ୍ଡିଯୋଡା ଏବଂ ବାଂଶପାଳ ନର୍ସରୀରୁ ଚାରା ଯୋଗାଣ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ ‘ଏକ ପେଡ ମା’ କେ ନାମ ’ ଏକ ଭାବନାତ୍ମକ ବିଚାର । ପ୍ରକୃତି ମାତାକୁ ସୁରକ୍ଷା ଦେବା ପାଇଁ ଏହି ଅଭିଯାନ ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି । ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜରେ କାମ୍ପା ଫଣ୍ଡରେ କ୍ଷତିପୂରଣ ଯୋଜନାରେ ଚଳିତ ବର୍ଷ ୨ଲକ୍ଷ ଚାରାରୋପଣ କରାଯାଉଛି । ବାଂଶପାଳ ବ୍ଲକରେ ବୃକ୍ଷରୋପଣକୁ ଏକ ଜନ ଆନେ୍ଦାଳନ ରୂପ ଦେବା ସହ ସ୍ଥାନୀୟ ଜନ ସାଧାରଣଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି କରାଯାଉଛି ବୋଲି ଡିଏଫ୍ଓ ଧନରାଜ ଏଚ୍ଡି ସୂଚନା ଦେଇଛନ୍ତି ।