ଏକଲବ୍ୟ ବିଦ୍ୟାଳୟ ଛାତ୍ର ରାମଚନ୍ଦ୍ର ସର୍ବଭାରତୀୟ ସ୍ତରରେ ସମ୍ମାନୀତ

ଗାଙ୍ଗପୁର, (ସନ୍ତୋଷ କୁମାର ବିଷୋଇ ): ମୟୂରଭଞ୍ଜ ଜିଲ୍ଲା ପାଇଁ ଏକ ଗୌରବର ବିଷୟ। ବହଳଦା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଏମର୍ସ ) ର କୃତୀ ଛାତ୍ର ରାମଚନ୍ଦ୍ର ହାଂସଦାଙ୍କୁ ସର୍ବଭାରତୀୟ ସ୍ତରରେ ସମ୍ମାନୀତ କରାଯାଇଛି। ସିବିଏସ୍ଇ ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷା (2024-25)ରେ ଦେଶର ସମସ୍ତ ଏକଲବ୍ୟ ବିଦ୍ୟାଳୟ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ସେ ଓଡ଼ିଶା ତଥା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ବହଳଦା ପାଇଁ ଗୌରବ ଆଣିଛନ୍ତି । ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଇଣ୍ଟରନ୍ୟାସନାଲ୍ ସେଣ୍ଟରଠାରେ ନେସନାଲ୍ ଏଜୁକେସନ୍ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟସ୍ ର ୮ମ ପ୍ରତିଷ୍ଠା ଦିବସ ଅବସରରେ ଏହି ସମ୍ବର୍ଦ୍ଧନା ସଭା ଅନୁ୍ଷ୍ଠିତ ହୋଇଥିଲା । ଭାରତ ସରକାରଙ୍କ ଜନଜାତି କାର୍ଯ୍ୟ ମନ୍ତ୍ରଣାଳୟ ଅଧୀନରେ ଏହି ଭବ୍ୟ ସମାରୋହ ଆୟୋଜିତ ହୋଇଥିଲା । ଉକ୍ତ ଉତ୍ସବରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ବହଳଦା ର ଛାତ୍ର ରାମଚନ୍ଦ୍ରଙ୍କୁ ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ପ୍ରଶଂସା ପତ୍ର ସହିତ 10,000 (ଦଶହଜାର ) ଟଙ୍କା ଦେଇ ସମ୍ମାନ ପ୍ରଦାନ କରିଥିଲେ। ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଦୁର୍ଗା ଦାସ ଉଇକେ ମଧ୍ୟ ଉପସ୍ଥିତ ରହି ଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ରାମଚନ୍ଦ୍ରଙ୍କ ଏହି ସଫଳତା ପାଇଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ବହଳଦାର ପ୍ରଧାନ ଶିକ୍ଷକ ବଳରାମ ବାରିକ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଭିନନ୍ଦନ ଜଣାଇବା ସହିତ ଅଭିଭାବକ ଏବଂସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଜନଜାତି ଛାତ୍ର ଭାବେ ଜାତୀୟ ସ୍ତରରେ ଏଭଳି ସଫଳତା ପାଇବା ଆଗାମୀ ଦିନରେ ଅନ୍ୟ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି ମନ୍ତ୍ରୀ ଶ୍ରୀ ଓରାମ ପ୍ରକାଶ କରିଛନ୍ତି । ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ଛାତ୍ର ରାମଚନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ