ସ୍କୁଟିରୁ ଖସି ବୃଦ୍ଧ ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ରଙ୍କ ନାଇକ(୭୦) ନାମକ ଜଣେ ଧର୍ମ ପରାୟଣ ବୃଦ୍ଧ ରବିବାର ସକାଳ ପ୍ରାୟ ୮ ଟାରେ ସ୍କୁଟି ରୁ ଖସିଯାଇ ମୃତ୍ୟୁବରଣ କରିଛନ୍ତି।କୌଣସି କାମରେ ରଙ୍କ ତାଙ୍କ ସମ୍ପର୍କୀୟ ଚଳାଉଥିବା ସ୍କୁଟି ପଛରେ ବସି ଯାଉଥିବା ବେଳେ ଗାଁ ରେ ଥିବା ମା ‘ ବାଙ୍କେଶ୍ୱରୀ ମନ୍ଦିର ନିକଟ ପୋଖରୀ ସମ୍ମୁଖ ରାସ୍ତାରେ ସ୍କୁଟି ର ପଛ ଚକା ପଞ୍ଚେର ହୋଇଯିବାରୁ ସ୍କୁଟି ଚାଳକ ନିୟନ୍ତ୍ରଣ ହରାଇ ପଡ଼ିଯାଇଥିଲେ।ରଙ୍କ ଙ୍କ ମୁଣ୍ଡକୁ ଗଭୀର ଆଘାତ ଲାଗିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ମଧ୍ୟ ଚେତା ନଫେରିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା।ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏନେଇ ଏତଲା ହେବାପରେ ପୋଲିସ ମକଦ୍ଦମା ରୁଜୁ କରିଛନ୍ତି। ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବୃନ୍ଦ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।ଅପରାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି। ତାଙ୍କ ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ରଙ୍କ ପୂର୍ବରୁ ଦିଗପହଣ୍ଡି ଥାନାରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିଲେ ମଧ୍ୟ ଗାଁ ର ବିଭିନ୍ନ ସମସ୍ୟା , ଯାନି ଯାତ୍ରାରେ ତାଙ୍କୁ ଲୋଡା ଯାଉଥିଲା। ସେ ଗ୍ରାମର ଛାତ୍ର ଯୁବକ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ଜନସାଧାରଣ ଙ୍କ ପ୍ରିୟପାତ୍ର ଥିଲେ। ତାଙ୍କ ଜାତିକୁଳ ସଭାର କାର୍ଯ୍ୟକର୍ତ୍ତା ଭାବେ ମଧ୍ୟ ଦାୟିତ୍ଵ ତୁଲାଉଥିଲେ।


