ହାଇୱା ଧକ୍କା ରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା ପରେ ଉଠିଲା ଶବ
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଶାଳଣିଆଁ ନିକଟରେ ବିଷ୍ଣୁପୁର ଗ୍ରାମର ଆନନ୍ଦ ଯେନା(୬୦) ରବିବାର ହାଇୱା ଧକ୍କାରେ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ଶାବକୁ ଧରି ରାସ୍ତାରୋକ କରିବା ପରେ ମୃତକଙ୍କ ପରିବାର ବର୍ଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କା ସହାୟତା ଘୋଷଣା ପରେ ରାସ୍ତାରୋକ ପ୍ରତ୍ୟାହର ହୋଇଥିଲା। ସୂଚନା ଅନୁଯାଇ ଏହି ରାସ୍ତାଦେଇ ନିୟମିତ ଶହ ଶହ ବାଲିବୋଝେଇ ଭାରୀଯାନ ଚଳାଚଳ ଯୋଗୁଁ ଅନେକ ସମୟରେ ଧନ ଜୀବନ ହାନୀ ଘଟୁଥିଲା। ଅଣ ଓସାରିଆ ରାସ୍ତାରେ ଟ୍ରକ ଟିଏ ଗଲେ ଅନ୍ୟ ଜଣେ ସାଇକେଲ କି ବାଇକ ଆରୋହୀ ଯାଇ ପାରୁ ନାହାନ୍ତି। ଏପରିସ୍ଥଳେ ଆନନ୍ଦ ଯେନା ସାଇକେଲ ଧରି ରାସ୍ତାରେ ଘରକୁ ଫେରୁଥିବା ବେଳେ ହାଇୱାଟି ଧକ୍କା ଦେବାରୁ ତାଙ୍କ ଗୋଡ ଓ ଛାତିରେ ଗୁରୁତର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଶାଳନିଆଁ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ବେଳେ ବାଟରେ ମୃତ୍ୟୁ ଘଟିଥିଲା। ଉପଯୁକ୍ତ କ୍ଷତି ପୂରଣ ଦାବିରେ ସମାଜସେବୀ ଝାନ୍ସୀ ଦାସଙ୍କ ନେତୃତ୍ୱରେ ପରିବାର ଲୋକେ ରବିବାର ଦିନ ୨ଟା ବେଳେ ଶବକୁ ଧରି ବିଷ୍ଣୁପୁର ନିକଟରେ ରାସ୍ତା ଅବରୋଧ କରିଥିଲେ। ମାତ୍ର କେହି ଅଧିକାରୀ ସେଠାକୁ ଯାଇ ସମାଧାନର ବାଟ ବାହାର କରି ନଥିଲେ। କେବଳ ପୋଲିସ ବୁଝାସୁଝା କରିଥିଲେ ବି ସଫଳ ହୋଇନଥିଲା। ସୋମବାର ମଧ୍ୟାହ୍ନରେ ବେଳେ ଆନ୍ଦୋଳନସ୍ଥଳରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା, ହାଟଡିହି ବିଡ଼ିଓ ରଞ୍ଜନ କୁମାର ପରିଡା, ନନ୍ଦିପଦା ଥାନା ଅଧୂକାରୀ ଧର୍ମେନ୍ଦ୍ର ଶାନ୍ତି, ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲିକଙ୍କ ବନ୍ତ ବ୍ଲକ ପ୍ରତିନିଧୂ ସ୍ମୃତି ରଞ୍ଜନ ସ୍ବାଇଁ, ବିଜେପି ନେତା ହରମୋହନ ଶାସିନୀ, ଯୁଧୂଷ୍ଠିର ମଲ୍ଲିକ, ଜିଲା ଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ, ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ବାଳ, ବରିଷ୍ଠ ଆଇନୀଜୀବୀ ରଙ୍ଗାଧର ମଲ୍ଲିକ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଦୁର୍ଘଟଣା ଘଟାଇଥିବା ହାଇୱା ମାଲିକ ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କାର ସହାୟତା ଘୋଷଣା ପରେ ଲୋକେ ଆନ୍ଦୋଳନରୁ ହଟିଥିଲେ। ଏହି ଅବସରରେ ଏହି ରାସ୍ତା ଦେଇ ବାଲିବୋଝେଇ ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ଦିନବେଳା ବାଲି ପରିବହନ ବନ୍ଦ କରିବାକୁ ନିଷ୍ପତି ହୋଇଥିଲା।


