ମକ୍ ଡ୍ରିଲ ନିମନ୍ତେ ଜରୁରୀ ବୈଠକ
ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ କୌଶଳ ଅଭ୍ୟାସ (ମକ୍ ଡ୍ରିଲ) ନିମନ୍ତେ ଏକ ଜରୁରୀ ବୈଠକ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜ ପ୍ରାସାଦଙ୍କ ମିଳିତ ଉପସ୍ଥିତିରେ ଅନୁଷ୍ଠିତ ହେଇଯାଇଛି। ଏହି ମକ୍ ଡ୍ରିଲ୍ ବାଲେଶ୍ଵର ସହରାଞ୍ଚଳରେ ଅପରାହ୍ନ ଘ. ୪.୦୦ ଟୀକା ସମୟରେ ହେବା ସମ୍ପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଡ଼ାକବାଜି ଯନ୍ତ୍ର ଯୋଗେ ପୂର୍ବାହ୍ନରେ ପ୍ରଚାର କରାଯିବା ପାଇଁ ନିଷ୍ପତ୍ତି ହୋଇଛି।ଏହି ଅଭ୍ୟାସ ସମୟ ଅପରାହ୍ନ ଘ. ୪.୦୦ ଟୀକାରେ ଆରମ୍ଭର ସୂଚନା ୧ମିନିଟ୍ ସାଇରନ୍ ବଜାଇ ଏବଂ ଘ. ୪.୩୦ ଟୀକା ରେ ଅଭ୍ୟାସ ଶେଷ ପାଇଁ ୦୧ ମିନିଟ୍ ସାଇରନ ବଜାଇ ଜନସାଧାରଣଙ୍କୁ ଅବଗତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ସହରର ବିଭିନ୍ନ ଜନଗହଳି ପୂର୍ଣ୍ଣ ଅଞ୍ଚଳ ମଧ୍ୟରେ ୦୯ଗୋଟି ସ୍ଥାନ ଚିହ୍ନଟ କରାଯାଇ ସାଇରାନ ବ୍ୟବସ୍ଥା କରାଯାଇଛି ସେଗୁଡିକ ହେଲା ସିନେମା ଛକ, ପୋଲିସ ଲାଇନ, ବିବେକାନନ୍ଦ ମାର୍ଗ, ମୋତିଗଞ୍ଜ ବଜାର, ଫାଣ୍ଡି ଛକ, ଟାଉନ ଥାନା, ଭାସ୍କର ଗଞ୍ଜ, ବସ ଷ୍ଟାଣ୍ଡ ଏବଂ ଆଇ.ଟି.ଆଇ. ଛକ। ଏଥି ସହିତ ବ୍ୟବସାୟୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ୍ ସେବା, ଜନସାଧାରଣଙ୍କ ରାସ୍ତା ଉପରେ ଚଳ ପ୍ରଚଳ ଯେପରି ସମ୍ପୂର୍ଣ୍ଣ ବନ୍ଦ ରହିବ ସେଥି ପ୍ରତି ଧ୍ୟାନ ଦେବା ପାଇଁ ଉଭୟ ଜିଲ୍ଲାପାଳ ଶ୍ରୀଯୁକ୍ତ ମୟୂର ବିକାଶ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜ ପ୍ରାସାଦ ଗୁରୁତ୍ୱାରୋପ କରିଛନ୍ତି ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ହେମନ୍ତ କୁମାର ସିଂ ସଦର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଥମେଶ ଅରବିନ୍ଦ ରାଜ ଶିର୍କେ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଯୋଗ ଦେଇ ଥିଲେ।