ଘୁମୁସର ବିକାଶ ପରିଷଦର ଜରୁରୀ ବୈଠକ
ବୁଗୁଡା, (ଅନୀଲ କୁମାର ମହାରଣା) : ଅକ୍ଟୋବର ୭ ତାରିଖ ଅପରାହ୍ନ ରେ ଭଞ୍ଜନଗର ନାୟକ ଭବନ ଠାରେ ଘୁମୁସର ବିକାଶ ପରିଷଦ ର ଏକ ଜରୁରୀ ବୈଠକ ସଭାପତି ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୨୦୨୭ ମସିହା ପର୍ଯ୍ୟନ୍ତ ନୂତନ ଜିଲ୍ଲା ଘୋଷଣା ହେବନାହିଁ ବୋଲି ରାଜସ୍ୱ ମନ୍ତ୍ରୀଙ୍କ ଘୋଷଣା କେତେକ ସମ୍ବାଦ ପତ୍ରରେ ପ୍ରକାଶ ପାଇଥିବା ଯୋଗୁ ସେହି ବିଷୟରେ ଆଲୋଚନା ହୋଇ ତୀବ୍ର ଉଦବେଗ ପ୍ରକାଶ ପାଇଥିଲା। ଘୁମୁସର ଜିଲ୍ଲା ଆନ୍ଦୋଳନକୁ ପ୍ରତ୍ୟେକ ବ୍ଲକରେ ନିରନ୍ତର ଜାରି ରଖିବା ପାଇଁ ପ୍ରତ୍ୟେକ ଘୁମୁସର ସଂଗ୍ରାମୀ ଅନୁଷ୍ଠାନମାନଙ୍କୁ ଆହ୍ୱାନ ଦିଆଯାଇ ପ୍ରତି ଗ୍ରାମରେ ଏହି ଆନ୍ଦୋଳନ ବାର୍ତ୍ତାକୁ ପହଞ୍ଚାଇ କାନ୍ଥରେ ପୂର୍ବ ପରି ଲେଖା ଲେଖି କରିବା ସାଙ୍ଗକୁ ପ୍ରାଚୀର ପତ୍ର ଲଗାଇବାକୁ ଅନୁରୋଧ କରାଯାଇଛି। ଏଥି ସହ ଯାତ୍ରୀବାହୀ ବସ ଗୁଡିକରେ ମଧ୍ୟ ପ୍ରାଚୀର ପତ୍ର ଲଗାଇବାକୁ ଆହ୍ୱାନ କରାଯାଇଛି। ବୁଗୁଡ଼ା ଓ ବଡ଼ଗଡ଼ ଅଞ୍ଚଳରେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯେପରି ପୋଷ୍ଟକାର୍ଡ ଚିଠି ଲେଖା ଅଭିଯାନ ଚାଲିଛି ପରିଷଦ ତାକୁ ସ୍ୱାଗତ କରିବା ସାଙ୍ଗକୁ ଅନ୍ୟ ଅଞ୍ଚଳ ଗୁଡିକରେ ଏହି ପରି କାର୍ଯ୍ୟକ୍ରମ ଆପଣେଇବା ପାଇଁ ଆହ୍ୱାନ ଦିଆଯାଇଥିଲା। ଭୁବନେଶ୍ୱ ରେ ଆସନ୍ତା ଡିସମ୍ବର ମାସରେ ହେବାକୁ ଥିବା ଘୁମୁସର ନହୋତ୍ସବ ପାଇଁ ଘୁମୁସର ବାସୀ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ଆଲୋଚନାରେ ସଭାପତିଙ୍କ ସମେତ ଗୋପାଳଚନ୍ଦ୍ର ଲେଙ୍କା, ରବି ନାରାୟଣ ସାମନ୍ତ, ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।


