ହାଟଡ଼ିହି ତହସିଲରେ କର୍ମଚାରୀ ମରୁଡି, ସଧାରଣ ଲୋକେ ହିନସ୍ତା
ହାଟଡିହି (ବିକାଶ ବିଶ୍ବାଳ) : କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲଟି ଜିଲ୍ଳାର ସର୍ବ ବୃହତ ତହସିଲ ଭାବେ ପରିଗଣିତ। କିନ୍ତୁ ଏହି ତହସିଲ ପ୍ରତି ପ୍ରଶାସନିକ ଅବହେଳା ଯୋଗୁଁ ଅଧିକାଂଶ ସମୟରେ କାର୍ଯ୍ୟାଳୟରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହେଉଛି। ତହସିଲ ରେ ୭୫ଟି ପଦବୀ ମଧ୍ୟରୁ ୪୨ଟି ପଦବୀ ଖାଲି ପଡ଼ିଥିବା ବେଳେ ମାତ୍ର ୩୩ଜଣଙ୍କ ଦ୍ୱାରା କାମ ହେଉଛି। ଏପରିକି ୩ ବର୍ଷରେ ୭ ଜଣ ତହସିଲଦାରଙ୍କ ବଦଳି ହୋଇଥିବା ବେଳେ ଅଧିକାଂଶ ସମୟ କାମଚଳା ତହସିଲଦାର ରେ କାର୍ଯ୍ଯ ସମ୍ପାଦନ ହେଉଛି । ଏହି ତହସିଲରେ ୧୩ ଜଣ ପିଅନ ରହିବା ସ୍ଥଳେ ମାତ୍ର ଜଣେ ପିଅନ ଅଛନ୍ତି। ଆର.ଆଇ କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ପିଅନ ପଦବୀ ଖାଲି ପଡ଼ିଛି । ଆରଆଇ କୌଣସି କାର୍ଯ୍ୟରେ ବାହାରକୁ ଗଲେ ଅଫିସରେ ତାଲା ପକାଇ ଯାଉଛନ୍ତି। ସେହିପରି ୧୧ଟି ଏ.ଆର.ଆଇ ପଦବୀ ମଧ୍ୟରୁ ମାତ୍ର ଦୁଇଜଣ ଅଛନ୍ତି। ୯ଟି ଏ.ଆର.ଆଇ ପବଦୀ ଖାଲି ପଡ଼ିଛି I ୧୧ଟି ଅମିନ ପଦବୀ ଥିବାବେଳେ ସେଥି ମଧ୍ୟରୁ ମାତ୍ର ୪ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଡେପୁଟେନରେ ଯାଇଛନ୍ତି। ତହସିଲରେ ୪ଟି ଯାକ ପ୍ରୋସେସର ପଦବୀ ଖାଲି ପଡ଼ିଛି। ୬ ଟି ଚେନମ୍ୟାନ ପଦବୀ ମଧ୍ୟରୁ ମାତ୍ର ୨ଜଣ ଥିବାବେଳେ ୪ ପଦବୀ ମଧ୍ୟ ଖାଲି ପଡ଼ଛି। ସେଥି ମଧ୍ୟରୁ ଜଣେ ଘଷିପୁରା ତହସିଲକୁ ଡେପୁଟେଶନରେ ଯାଇଛନ୍ତି। ଗୋଟିଏ ରାତ୍ରୀ ଜଗୁଆଳୀ ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡ଼ିଛି। ସେହିପରି ସେକ୍ସନ ଅଫିସର ପଦବୀ ପୂରଣ ଥିଲେ ବି ସେ କିଛିଦିନ ହେଲା ଡେପୁଟେସନରେ କେନ୍ଦୁଝରରେ ଅଛନ୍ତି। ସେହିପରି ରେଭିନ୍ୟୁ ସୁପରଭାଇଜର ଦୁଇ ଜଣଙ୍କ ମଧ୍ୟରୁ ଜଣେ ଅଛନ୍ତି । ବିଶେଷ କରି ଆର.ଆଇ କାର୍ଯ୍ୟାଳୟ ଗୁଡିକରେ କର୍ମଚାରୀ ଅଭାବ ଯୋଗୁଁ କ୍ଷେତ୍ରକାର୍ଯ୍ୟ ଠିକ୍ ଭାବରେ ହୋଇପାରୁ ନଥିବା ବେଳେ ଲୋକମାନେ ନାହି ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପକ୍ଷରେ ରାଜସ୍ଵ ସର୍କଲ ଗୁଡିକରେ କର୍ମଚାରୀ ଅଭାବ ଯୋଗୁଁ ରାଜସ୍ବ ଆଦାୟ ଠିକ୍ ଭାବରେ ହେଉ ନଥିବା ବେଳେ ସେହି ସବୁ ସର୍କଲରେ ଥିବା ଲଘୁ ଖଣିଜ ସମ୍ପଦ ବେଆଇନ ଚୋରା ଚାଲାଣ ରୋକିବାରେ ବିଭାଗ ସକ୍ଷମ ହୋଇ ପାରୁନି। ଅନେକ ସ୍ଥାନରେ ଗୋଚର, ଗୋଦାଣ୍ଡି ଓ ସରକାରୀ ଜମି ଜବରଦଖଲ ବୃଦ୍ଧି ପାଉଥିବା ବେଳେ ତାକୁ ମଧ୍ଯ ରୋକିବାରେ ସକ୍ଷମ ହେଉନି ରାଜସ୍ବ ବିଭାଗ। ଯାହା ଫଳରେ ବିଭିନ୍ନ ଆରଆଇ ସ ସର୍କଲରେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେଉଛି। ଅନ୍ୟ ପକ୍ଷରେ ହାଟଡିହି ତହସିଲ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ ପଦବି ଗୁଡିକ ଖାଲି ପଡ଼ିଥିବାରୁ ଜମିର ମାପ ପାଇଁ ଓ ଅନାନ୍ୟ କାର୍ଯ୍ୟ ହୋଇ ପାରୁନାହିଁ । ବିଭିନ୍ନ ସମୟରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ପଦବୀ ଖାଲି ପଡୁଥିବାରୁ ଜମି କିଣାବିକାରେ ସମସ୍ୟା ଉପୁଜୁଛି। ୩ ବର୍ଷରେ ୭ ଜଣ ତହସିଲଦାର ବଦଳି ହେଲେଣି। ଏବେ ଜ୍ୟୋତ୍ସ୍ନାରାଣୀ ନାୟକ ତହସିଲଦାର ଭାବେ ଯୋଗଦାନ କରିଛନ୍ତି। ଏଠାରେ ଯିଏ ତହସିଲଦାର ରୁହନ୍ତି ସେ ତହସିଲଦାର ସହିତ ସବ ଟ୍ରେଜେରୀ ଅଫିସର, ସବ ରେଜିଷ୍ଟର ଦାୟିତ୍ବ ମଧ୍ୟ ତୁଲାଇ ଥାନ୍ତି। ତେଣୁ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ ଆର.ଆଇ, ଏ.ଆର.ଆଇ, ଅମିନ, ପିଅନ, ୱାଚମ୍ୟାନ ଆଦି ଖାଲି ପଡ଼ିଥିବା ପଦବୀ ପୂରଣ ଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହାଇଛି। ସେହିପରି କାର୍ଯ୍ୟଳୟରେ ଥିବା ଜେନେରେଟର ଅଚଳ ହୋଇ ପଡ଼ିଥିବାରୁ ବିଦ୍ୟୁତ କଟିଲେ କାର୍ଯ୍ୟାଳୟ ଅଚଳ। ଏବେ ସବୁ କାମ କମ୍ପ୍ୟୁଟର ମାଧ୍ୟମରେ ହେଉଥିବାରୁ ବିଦ୍ୟୁତ ନଥିଲେ କାର୍ଯ୍ୟ ବନ୍ଦ ହୋଇଯାଉ ଥିବାରୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଲାକମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି। ଏ ଦିଗରେ ବିକଳ୍ପ ବ୍ୟବସ୍ଥା କରିବା ଜରୁରୀ ହୋଇପଡ଼ିଛି।


