ଦିଗପହଣ୍ଡିରେ ଜବରଦଖଲ ଉଚ୍ଛେଦ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟାଁ ଛକରେ ବେଆଇନ ଭାବେ ଦୀର୍ଘଦିନ ଧରି ଏନଏସି ଜମି କୁ ଜବରଦଖଲ କରି ଗଢି ଉଠିଥିବା ରାସ୍ତାକଡ ର ଉଠା ଦୋକାନ ଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି । କିଛି ବ୍ୟକ୍ତି ଦୀର୍ଘବର୍ଷ ଧରି ରାସ୍ତା କଡ ରେ ବ୍ୟବସାୟ କରି ଆସୁଥିଲେ । ୧୮ ଟି ଦୋକାନ କୁ ଚିହ୍ନଟ କରାଯାଇ ଜେସିବି ମେସିନ ର ଶୁଣ୍ଢ ଦ୍ଵାରା ସବୁ ଗୁଡ଼ିକୁ ଭଙ୍ଗା ଯାଇଛି। ପୂର୍ବରୁ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଜବରଦଖଲକାରୀ ମାନଙ୍କୁ ଉଚ୍ଛେଦ ସମ୍ପର୍କରେ ଅବଗତ କରାଯିବା ସହ ନୋଟିସ ମଧ୍ୟ କରାଯାଇଥିଲା । ଏନଏସି କାଉନସିଲ ସଭାର ସର୍ବ ସମ୍ମତ ନିଷ୍ପତ୍ତି ଅନୁଯାୟୀ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର , ଦିଗପହଣ୍ଡି ପୋଲିସ ଟିମ୍ ଓ ଅଗ୍ନିଶମ କର୍ମଚାରୀ ମାନେ ଉପସ୍ଥିତ ରହି ପୁରୁଣା ସିନେମା ହଲ ସମ୍ମୁଖ ଏବଂ ଚିକିଟି ରୋଡ଼ ପୂର୍ବ ଦିଗ ରାସ୍ତାକଡ ରେ ଥିବା ବେଆଇନ ଉଠା ଦୋକାନ ଗୁଡ଼ିକୁ ଉଚ୍ଛେଦ କରାଯାଇଛି । ଏନଏସି ପ୍ରଶାସନ ତରଫରୁ ଉକ୍ତ ଜମିରେ ଯଥାଶୀଘ୍ର ଦୋକାନ ଗୃହ ନିର୍ମାଣ କରି ବ୍ୟବସାୟୀ ମାନଙ୍କୁ ଭଡ଼ା ସୂତ୍ରରେ ପ୍ରଦାନ କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।