ଜବରଦଖଲକାରୀଙ୍କ କବଜାରେ ନାଉଗାଁ ବ୍ଲକର ପୂର୍ତ ବିଭାଗ ରାସ୍ତାକଡ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ବିଭିନ୍ନ ମୁଖ୍ୟ ସ୍ଥାନକୁ ସଂଯୋଗ କରୁଥିବା ପୂର୍ତ ବିଭାଗର ରାସ୍ତାକଡ ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି। ଏହି ରାସ୍ତାକଡରେ ଜବରଦଖଲକାରୀମାନେ ଚିପ୍ସ ଗଦା କରି ବିକ୍ରି କରୁଛନ୍ତି। ଏପରିକି ଟ୍ରକରେ ଚିପସ ଆଣି ରାସ୍ତାକଡରେ ଖାଲି କରିବା ସମୟରେ ରାସ୍ତା ଉପରେ ଟ୍ରକକୁ ରଖାଯାଉଛି। ଏତଦ୍ ବ୍ୟତିତ ଚିପସକୁ ଟ୍ରାକ୍ଟରରେ ଲୋଡ କରିବା ସମୟରେ ମଧ୍ୟ ରାସ୍ତା ଉପରେ ଟ୍ରକ୍ଟାରକୁ ରଖାଯାଉଛି। ଚିପସକୁ ଗାଡିରେ ଅନଲୋଡ ଓ ଲୋଡ କରିବା ସମୟରେ ଚିପସରୁ ଧୂସ ଉଡୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ରାସ୍ତା ଉପରେ ଗାଡି ରହିବା ଦ୍ୱାରା ଯାତାୟାତ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରୀ ଏହି ବ୍ଲକରେ ଥିବା ବାଲିଭଉଁରୀ-ଶିଖରଘାଟ ରାସ୍ତା ଓ କୋକିଢିଅ-ତେଲସରା ରାସ୍ତାର ଉଭୟ ପାଶ୍ୱର୍ ଜବରଦଖଲକାରୀଙ୍କ କବଜାରେ ରହିଛି। ଏହି ରାସ୍ତା ପାଶ୍ୱର୍ (ବର୍ମ)ରେ ଗଙ୍ଗଦାହାଟରୁ ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଜୈନିକ ବ୍ୟବସାୟ ବର୍ଷ ବର୍ଷ ଧରି ସରକାରୀ ଯାଗା ଓ ରାସ୍ତା କଡରେ ଚିପସ ରଖି ବ୍ୟବସାୟ କରୁଥିବା ବେଳେ କୋକିଢିଅ ଛକ ନିକଟରେ ଜୈନିକ ବ୍ୟବସାୟୀ ମଧ୍ୟ ବର୍ଷ ବର୍ଷ ଧରି ଚିପସ ଓ ବଜୁରୀ ରଖି ବ୍ୟବସାୟୀ କରୁଛନ୍ତି। ଯାହାଫଳରେ ଲୋକେ ରାସ୍ତାରେ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଯାହାକୁ ନେଇ ବିଭାଗ ପକ୍ଷରୁ ସଂପୃକ୍ତ ବ୍ୟବସାୟୀଙ୍କୁ ରାସ୍ତାକଡରେ ପୁନର୍ବାର ଚିପସ ନ ରଖିବା ପାଇଁ ଚେତାବନୀ ଦିଆଯାଇଥିଲା। ହେଲେ ସଂପୃକ୍ତ ବ୍ୟବସାୟୀମାନେ ବିଭାଗୀୟ ଅଧିକାରୀଙ୍କ ଚେତାବନୀକୁ ବେଖାତିରୀ କରି ପୁନର୍ବାର ଚିପସ ଗଦା କରି ବ୍ୟବସାୟ କରୁଥିବା ଦେଖାଯାଇଛି। ସଂପୃକ୍ତ ଜବରଦଖଲକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ଦାବି ହୋଇଛି।