ଆସିକାରେ ଆସ ସ୍କୁଲ ଯିବା ଅଭିଯାନ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍):  ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍‍ କରିବା ଏବଂ ବିଦ୍ୟାଳୟ ଯାଉନଥିବା ପିଲାଙ୍କୁ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ଓ ଅଧାରୁ ପାଠ ନ ଛାଡିବା ପାଇଁ ସଚେତନ କରିବା ସାଙ୍ଗକୁ ଡ୍ରପ୍‍ଆଉଟ୍‍ ପିଲାଙ୍କୁ ଶିକ୍ଷା ମନସ୍କ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ୧୩ଟି କ୍ଳଷ୍ଟର ଅଧିନସ୍ଥ ୧୬୦ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଅଧୀନସ୍ଥ ଅଞ୍ଚଳରେ ଆସ ସ୍କୁଲ ଯିବା ଅଭିଯାନ ସଂକ୍ରାନ୍ତୀୟ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ଦେଖିବାକୁ ମିଳୁଛି । ଅଧାରୁ ପାଠ ବନ୍ଦ କରିଥିବା କିମ୍ବା ବିଦ୍ୟାଳୟରେ ଆଦୌ ନାମ ଲେଖାଇନଥିବା ୧୮ ବର୍ଷରୁ କମ୍‍ ବର୍ଷର ପିଲାଙ୍କୁ ଶିକ୍ଷାସ୍ରୋତରେ ସାମିଲ୍‍ କରିବା ପାଇଁ ଜାରି ରହିଛି ଚାଇଲ୍‍ଡ୍‍ ଟ୍ରାକିଂ ସିଷ୍ଟମ୍‍ କାର୍ଯ୍ୟକ୍ରମ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି ଓ ସହକାରୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ଭଂଜ ବେହେରା, ଶିବରାମ ବେହେରା ପ୍ରମୁଖ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଅଭିଭାବକ ମାନଙ୍କୁ ସଚେତନ କରିବା ସାଙ୍ଗକୁ ବିଦ୍ୟାଳୟ ବାହାରେ ରହୁଥିବା ସମସ୍ତ ପିଲା ଯେପରି ଶିକ୍ଷାନୁଷ୍ଠାନକୁ ଆସିପାରିବେ ସେଥିପାଇଁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରିବା ସାଙ୍ଗକୁ ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ସରକାର କାର୍ଯ୍ୟକାରୀ କରୁଥିବା ବହୁବିଧ ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର କରୁଥିବା ଦେଖିବାକୁ ମିଳୁଛି । ସରକାରୀ ବିଦ୍ୟାଳୟ ଗୁଡିକରେ ନିରାପଦ ଓ ଆନନ୍ଦଦାୟକ ଶିକ୍ଷଣ ପରିବେଶ ସୃଷ୍ଟି ସାଙ୍ଗକୁ ଯେପରି କୌଣସି ପିଲା ଶିକ୍ଷାଗତ ଅଧିକାରରୁ ବଞ୍ଚିତ ନ ହୁଅନ୍ତି ତାହାକୁ ସୁନିଶ୍ଚିତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଆସିକା ଶିକ୍ଷାବିଭାଗ ପକ୍ଷରୁ ବ୍ୟାପକ କରାଯିବା ସାଙ୍ଗକୁ ଛାତ୍ରଛାତ୍ରୀମାନଙ୍କୁ ନେଇ ର‌୍ୟାଲି ଓ ଶପଥପାଠ କାର୍ଯ୍ୟକ୍ରମ କରାଯାଉଥିବା ଦେଖିବାକୁ ମିଳୁଛି । ୬ ବର୍ଷ ବୟସରୁ ୧୮ ବର୍ଷ ବୟସର ବିଦ୍ୟାଳୟ ମାଡିନଥିବା ପିଲାଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ଯୋଡିବା ସାଙ୍ଗକୁ ଡ୍ରପ୍‍ଆଉଟ୍‍ ପିଲାଙ୍କୁ କିପରି ବିଦ୍ୟାଳୟ ଅଭିମୁଖେ ଆସିବା ଲାଗି ଆକୃଷ୍ଟ କରାଯିବ ତାହାକୁ ଦୃଷ୍ଟିରେ ରଖି ଶିକ୍ଷାବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଆସ ସ୍କୁଲ ଯିବା ଅଭିଯାନକୁ ସଚେତନ ନାଗରିକ ଓ ବୁଦ୍ଧିଜିବୀ ଏବଂ ଅଭିଭାବକଙ୍କ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଆସିକା ସଦର, ହରିଡାପଦର, ନିମିନା, କେନ୍ଦୁପଦର, ବାଲିସିରା, ଖାରିଆ, ବାବନପୁର, ଗଙ୍ଗାପୁର, କେ.ନୁଆଁପଲ୍ଲୀ, ବଡଖୋଲି, ଭେଟନଇ, ନଳବଣ୍ଟା, କାଳଷଣ୍ଢପୁର କ୍ଳଷ୍ଟର ଅଧୀନସ୍ଥ ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ଆସ ସ୍କୁଲ ଯିବା ଅଭିଯାନକୁ ସଫଳ ରୂପାୟନ ପାଇଁ ପ୍ରୟାସ ଜାରି ରହିଥିଲା ବେଳେ ପ୍ରଧାନଶିକ୍ଷକ ବାଳକୃଷ୍ଣ ହୋତା, କାଳୀଚରଣ ପଟ୍ଟନାୟକ, ଶରତ ଚନ୍ଦ୍ର ନାହାକ, ପଦ୍ମଚରଣ ସେଠୀ, ଦିନେଶ୍‍ ଚନ୍ଦ୍ର ପାତ୍ର, ମନୋଜ କୁମାର ବେହେରା, ଭବାନୀ ପ୍ରସାଦ ଦାଶ, ଗଣପତି ସେଠୀ, ସିମାଂଚଳ ମଲିକ, ସୂର୍ଯ୍ୟମଣି ନାହାକ, ରବିନ୍ଦ୍ର ସାହୁ, ସାରଙ୍ଗଧର ଦାଶ, ଅଞ୍ଜୁକ୍ତାରାଣୀ ପଟ୍ଟନାୟକ, ସୁମନ ବାଡତ୍ୟା, ସୁଦାମ ବାଡତ୍ୟାଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକମାନେ ଆଗେଇ ଆସିଥିବା ଦେଖିବାକୁ ମିଳିଛି । ଗୃହ ସର୍ବେକ୍ଷଣ ମାଧ୍ୟମରେ ଚିହ୍ନଟ ହୋଇଥିବା ପିଲାମାନେ ଯେପରି ସରକାରୀ ବିଦ୍ୟାଳୟ ଗୁଡିକରେ ନିଜ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍‍ ହୋଇପାରିବେ ତାହାକୁ ଦୃଷ୍ଟିରେ ରଖି ଆସିକା ଶିକ୍ଷାବିଭାଗ ପକ୍ଷରୁ ଆସ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ