ଚଢାଉ ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ: ୩ କର୍ମଚାରୀ ଆହତ

ବନ୍ତ(ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ବନ୍ତ ଥାନା ଅଧିନ ନରସିଂହପୁର ଗ୍ରାମରେ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଉଥିବା ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଛି । ଫଳରେ ୩ ଜଣ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଭ୍ରାମ୍ୟମାଣ ଶାଖା ଭଦ୍ରକର ଉପ ନୀରିକ୍ଷକ ରବି ବେହେରା, ଭଦ୍ରକ ଅବକାରୀ ଉପ ନୀରିକ୍ଷକ, ତିହିଡି ଅବକାରୀ ଥାନା ଏବଂ ଜିଲା ପୋଲିସର କାର୍ଯ୍ୟରତ କେତେକ କର୍ମଚାରୀ ମାନେ ପଇଁତରା ମାରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ନରସିଂହପୁର ଗ୍ରାମରେ ଚଢାଉ କରିଥିଲେ । ଗ୍ରାମର ପରେଶ ପରିଡା ଓ ତାଙ୍କ ଭାଇ ପରୀକ୍ଷିତ ପରିଡା ଗ୍ରାମ ନିକଟରେ ଚୋରା ମଦ ବିକ୍ରୟ କରୁଥିବା ବେଳେ ଅବକାରୀ ବିଭାଗ ଟିମ୍ ଚଢାଉ କରି ମଦ ସହ ସେମାନଙ୍କୁ ଅଟକାଇବା ସମୟରେ ହଠାତ୍ ଚୋରା ବ୍ୟବସାୟୀଙ୍କର କିଛି ସହଯାଗୀ ଅନ୍ଧାରର ସୁଯୋଗ ନେଇ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଅବକାରୀ କର୍ମଚାରୀ ରୁଦ୍ର ନାରାୟଣ ଦାସ, ଅଜୟ କୁମାର ଦାସ, ମିଥୁନ ଜେନା ପ୍ରମୁଖ ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଭ୍ରାମ୍ୟମାଣ ଶାଖା ଭଦ୍ରକର ଉପ ନୀରିକ୍ଷକ ରବି ବେହେରାଙ୍କ ଅଭିଯୋଗ କ୍ରମେ ବନ୍ତ ପୋଲିସ ୯୨/୨୫ରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ