ଅବକାରୀ ଚଢାଉ: ୪୮୦ ଲିଟର ଦେଶୀ ମଦ ଜବତ
ଗୁଣପୁର, (ୱାଇଏନଏସ): ରାୟଗଡା ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତଙ୍କ ନେତୃତ୍ୱରେ ଏକ ଟିମ ଗତ କାଲି ବିଳମ୍ବିତ ରାତିରେ ଗୁଡ଼ାରି ଥାନା ଅନ୍ତର୍ଗତ ସୁନାରପଲି ଗ୍ରାମରେ ରନ୍ଧା ମଦ ପ୍ରସ୍ତୁତ ହେଉଥିବା ସ୍ଥାନରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ କରି ଘଟଣା ସ୍ଥଳରୁ ଅବକାରୀ ବିଭାଗ ୨୪ ଗୋଟି ପ୍ଲାଷ୍ଟିକ ଡ୍ରମ ସହ ମଦ ରନ୍ଧା ପାଇଁ ଆବଶ୍ୟକୀୟ ଆସବାଵ ପତ୍ର ଏବଂ ୩୨୦୦ କିଲୋ ମହୁଲ ପୋଚ ,ଗୁଡ଼ ସହ ୪୮୦ ଲିଟର ମଦ ଜବତ କରିଛି । ଏହାକୁ ନେଇ ଅବକାରୀ ବିଭାଗ ପୃଥକ ପୃଥକ ଭାବେ ମାମଲା ରୁଜୁ କରିଥିବା ବେଳେ ଘଟଣା ସ୍ଥଳରୁ ମଦ ବେପାରୀ ମାନେ ଛତ୍ର ଭଙ୍ଗ ଦେଇଥିଲେ । ମଦ ବେପାରୀ ମାନଙ୍କୁ ଧରିବା ପାଇଁ ଅଧିକ୍ଷକ ନିର୍ଦ୍ଧେଶ କ୍ରମେ ୨ ଗୋଟି ଟିମ ଗଠନ କରାଯାଇଛି ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଅବକାରୀ ନିରୀକ୍ଷକ ସୂଚନା ପ୍ରଦାନ କରିଛନ୍ତି । ଚଢ଼ାଉ ସମୟରେ ଅବକାରୀ ବିଭାଗର ଅତିରିକ୍ତ ନିରୀକ୍ଷକ ସଞ୍ଜିତ କୁମାର ବାରଲା , ଗୁଣପୁର ଅବକାରୀ ନିରୀକ୍ଷକ ବେଣୁଧର ସାମଲ ଓ ଗୁଣପୁର ଅବକାରୀ ଥାନାର କର୍ମଚାରୀ ମାନେ ସାମିଲ ଥିଲେ ।


