କାଳ ବୈଶାଖୀରେ ବ୍ୟାପକ କ୍ଷୟକ୍ଷତି
ହାଟଡିହି (ବିକାଶ ବିଶ୍ବାଳ): ସୋମବାର ରାତିରେ କାଳ ବୈଶାଖୀ ଘଟି ହାଟଡିହି ବ୍ଲକ ଶିବନରାୟଣପୁର ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାସ୍ତାରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ଅନେକ ଲୋକଙ୍କ ଘର ଉପରେ ଗଛ ଉପୁଡି ପଡିବାରୁ ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ଅନେକ କ୍ଷୟ କ୍ଷତି ହୋଇଛି। କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିବାରୁ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଗଛ ସବୁକୁ କଟାଯାଇ ରାସ୍ତା ଅବରୋଧ ହଟା କାର୍ଯ୍ୟ ଜାରିରହିଛି। ଗତକାଲି ରାତି ୮ଟାରେ ଏହି କାଳ ବୈଶାଖୀ ଘଟିଥିଲା ଗ୍ରାମର ମୋହନ ଜେନାଙ୍କ ଘର ଉପରେ ୩୦ବର୍ଷର ପୁରୁଣା ଏକ ବିରାଟକାୟ ଲିମ୍ୱ ଗଛ ଭାଙ୍ଗି ପଡ଼ିଥିଲା। ଫଳରେ ତାଙ୍କ ଚାଳ ଘରଟି ଭାଙ୍ଗି ବିପଦ ସଙ୍କୁଳ ହୋଇ ପଡିଛି। ଏପରିକି ସେହି ସମୟରେ ପରିବାର ଲୋକେ ଘର ଭିତରେ ଥିବା ବେଳେ ବାହାରକୁ ଦୌଡି ଆସି ଜୀବନ ବଞ୍ଚାଇ ଛନ୍ତି। ସେହିପରି ଦିଲ୍ଲିପ ଜେନାଙ୍କ ଘର ଉପରେ ଏକ ବିରାଟ ସିରିଶି ଗଛ ଭାଙ୍ଗି ପଡିବାରୁ ତାଙ୍କର ଚାଳଘର ସମେତ କାନ୍ଥ ମଧ୍ୟ ଭାଙ୍ଗି ଯାଇଛି। ପାଖରେ ଥିବା ନଳକୂପ ଟି ମଧ୍ୟ ଭାଙ୍ଗି ଯାଇଛି। ସେହିପରି ହଳଧର ଜେନା, ସାବିତ୍ରୀ ବେହେରାଙ୍କ ଆଜବେଷ୍ଟସ ସବୁ ଉଡ଼ିଯାଇଛି। ଗ୍ରାମର ଅନେକ ଲୋକଙ୍କ ବାଡ଼ିରେ ଥିବା ଗଛ ଭାଙ୍ଗି ନଷ୍ଟ ହୋଇ ଯାଇଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ଭାଙ୍ଗି ତଳେ ପଡ଼ିଥିବାରୁ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ସେହିପରି ବଞ୍ଚୋ ଗ୍ରାମରେ ମଧ୍ୟ ଅନେକ ଗଛ ଭାଙ୍ଗିବା ସହ ୪ଜଣଙ୍କ ଘରର ଆଜବେଷ୍ଟସ ଛପର ଉଡିଯାଇଛି। ବିଦ୍ୟୁତ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଜାରି ରହିଛି। ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ଯୋଗାଣ ସମ୍ଭବ ହୋଇପାରିନି।