ଜଳକା ଓ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାପକ ପ୍ରସ୍ତୁତି
ବାଲେଶ୍ୱର (ସରୋଜ ପଣ୍ଡା): ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ବନ୍ୟା ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିଛି। ଜଳସମ୍ପଦ ବିଭାଗର ପୂର୍ବାନୁମାନ ଅନୁଯାୟୀ,ସୁବର୍ଣ୍ଣରେଖା ନଦୀ ଆଜି ରାତି ସୁଦ୍ଧା ବିପଦ ସଙ୍କେତ ଅତିକ୍ରମ କରିପାରେ। ତେଣୁ ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକର ସମସ୍ତ କ୍ଷେତ୍ର ଅଧିକାରୀଙ୍କୁ ସଜାଗ ତଥା ସତର୍କ ରଖାଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଆଜି ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ବସ୍ତା ବ୍ଲକରେ ନିର୍ଦ୍ଦିଷ୍ଟ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି। ସେ ଅଧିକାରୀମାନଙ୍କୁ ପ୍ରଭାବିତ ଲୋକଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଓ ଚିକିତ୍ସା ସୁବିଧା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ବିସ୍ଥାପିତ ଲୋକଙ୍କ ସହାୟତା ପାଇଁ ବାହାର୍ଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ଢେଙ୍କୁଚା ସ୍କୁଲ, ପୁନସିଟା ସ୍କୁଲ ଓ ପେଗରପଡ଼ା ସ୍କୁଲରେ ମାଗଣା ଗରମ ରନ୍ଧା ଖାଦ୍ୟ ଯୋଗାଣ ଓ ଏହି ଆଶ୍ରୟସ୍ଥଳୀରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଗରମ ଖାଦ୍ୟ ବଣ୍ଟନ କରା ଯାଉଛି। ସୁରକ୍ଷିତ ପାନୀୟ ଜଳ ଆରଡବ୍ଲ୍ୟୁଏସଏସ ବିଭାଗ ଦ୍ଵାରା ବସ୍ତା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ନିୟୋଜିତ ଡାକ୍ତରୀ ଦଳ ଚିକିତ୍ସା ସେବା ଏବଂ ଜରୁରୀ ଔଷଧ ବଣ୍ଟନ ସୁନିଶ୍ଚିତ କରୁଛନ୍ତି। ଜନସାଧାରଣମାନଙ୍କୁ ବନ୍ୟା ପରିସ୍ଥିତିରେ ସତର୍କତା ଅବଲମ୍ବନର ନିୟମଗୁଡ଼ିକୁ ପାଳନ କରିବାକୁ ପରାମର୍ଶ ଦିଆଯାଇ ଅଛି। ଏହି ପରିପ୍ରେକ୍ଷୀରେ ବସ୍ତା,ଜଳେଶ୍ଵର, ବାଲିଆପାଳ ଓ ଭୋଗରାଇ ବ୍ଲକ ର ସମସ୍ତ ଅଧିକାରୀ ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ସମୀକ୍ଷା ବୈଠକ କରିଥିଲେ ।


