ଯୁବକ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ କୋରୁଅ ଗ୍ରାମର ନିଳମଣୀ ସ୍ୱାଇଁଙ୍କ ପୁଅ ରାକେଶ(୩୨) ମଙ୍ଗଳବାର ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ରାକେଶର ଚପଲ,ଶୀତ ବସ୍ତ୍ର ଓ ମୋବାଇଲ ଗାରୋଇସ୍ଥିତ ଦେବୀନଦୀ ପଠାରେ ଥୁଆ ହୋଇଥିବା ବୁଧବାର ସକାଳ ଜଣାଯାଇଛି। ଗାରୋଇ ପାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଥିବା ବେଳେ ନାଉଗାଁ ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ଖୋଜାଖୋଜି କରୁଥିବା ବେଳେ ସଂଧ୍ୟା ହେତୁ ଖୋଜା ଖୋଜି ବନ୍ଦ ରଖାଯାଇଛି। ଖବର ଲେଖା ହେଲା ବେଳକୁ ରାକେଶର କୌଣସି ସୂଚନା ମିଳି ନଥିବା ଜଣାଯାଇଛି। ପରିବାରଙ୍କ ସୂଚନା ମୁତାବକ ମଙ୍ଗଳବାର ରାକେଶ ଘରୁ ବାହାରକୁ ବୁଲିବା ପାଇଁ ଯାଇଥିଲା। ସଂଧ୍ୟା ହୋଇଥିଲେ ମଧ୍ୟ ଘରକୁ ଫେରି ନଥିଲା। ସଂଧ୍ୟାରେ ଘରକୁ ନ ଫେରିବାରୁ ହେତୁ ତାର ମୋବାଇଲ୍କୁ କଲ କରିଥିଲେ। ହେଲେ ରାକେଶ ମୋବାଇଲ୍ ନ ଉଠାଇବାରୁ ବହୁ ଖୋଜା ଖୋଜି କରି ପାଇ ନଥିଲେ। ଫଳରେ ବାଧ୍ୟ ହୋଇ ନିଖୋଜ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପଟରେ ବୁଧବାର ସକାଳ ସମୟରେ ଗାରୋଇ ଲୋକେ ଦେବୀନଦୀ ପଠାକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ନଦୀପଠାରେ ଚପଲ, ଶୀତ ବସ୍ତ୍ର ଓ ମୋବାଇଲ ଥୁଆ ହୋଇଥିବା ଦେଖିବାକୁ ପାଇଥିଲେ। ଯାହାକୁ ନେଇ ନଦୀରେ ବୁଡିଯାଇଥିବା ସନ୍ଦେହ କରାଯାଉଛି।


