ଗଜପତି ସିଡିଏମ୍ଓଙ୍କ ବୋଲେରୋ ସହ ବାଇକ ଧକ୍କାରେ ଆଈ-ନାତି ଗୁରୁତର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ମୋହନା ବ୍ଲକର ଭାଲିଆପଦା ଛକ ଜାତୀୟ ରାଜପଥ ଠାରେ ଗଜପତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ଯାଉଥିବା ବୋଲେରୋ ସହ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା. ଏଥିରେ ଆଈ ଓ ନାତି ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ପ୍ରକାରେ ମୋହନା ଥାନା ଅନ୍ତର୍ଗତ ଭାଲିଆପଦା ଗ୍ରାମର ଦିବ୍ୟ ନାୟକ ନିଜ ଆଈ ବୃନ୍ଦାବତୀ ନାୟକଙ୍କୁ ବାଇକ୍ ଯୋଗେ କୌଣସି କାମରେ ମୋହନା ଅଭିମୁଖେ ଯାଉଥିଲେ । ଅନ୍ୟପଟେ ଗଜପତି ଜିଲା ମୁଖ୍ୟ ଚିକିତ୍ସାଧୂକାରୀ ମୁବାରକ ଅଲ୍ଲୀ ଜିଲାପାଳଙ୍କ ଗ୍ରାମାଭିମୁଖୀ ଜନଶୁଣାଣିରେ ଯୋଗ ଦେବାକୁ ଡମ୍ବଗୁଡ଼ା ପଞ୍ଚାୟତକୁ ଯାଉଥିଲେ । ଏହି ସମୟରେ ମୋହନା ନିକଟ ଭାଲିଆପଦା ଛକ ଜାତୀୟ ରାଜପଥ ୩୨୬ ଠାରେ ସିଡିଏମଓଙ୍କ ବୋଲେରୋ ସହ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ନାତି ଓ ଆଈ ଉଭୟେ ଗୁରୁତର ହୋଇଥିଲେ । ବୋଲେରୋ ଚାଳକ ଉପସ୍ଥିତି ବୁଦ୍ଧି ଖଟାଇ ବାଇକ୍ ଚାଳକ ଓ ଆରୋହୀଙ୍କୁ ବଞ୍ଚାଇବାକୁ ବାମ ପାର୍ଶ୍ଵକୁ ଗାଡ଼ି ନେବା ସତ୍ତ୍ୱେ ମଧ୍ୟ ଦୁର୍ଘଟଣା ଘଟିଥିଲା । ସିଡିଏମଓ ନିଜେ ଅନ୍ୟ ଏକ ଗାଡି ଯୋଗେ ଗୁରୁତର ଆଈ ଓ ନାତିଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ମୋହନା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।