ବେଲଗୁଣ୍ଠା ଅଞ୍ଚଳରେ ପ୍ରସିଦ୍ଧ ଗାଲେରୀ ଦଣ୍ଡ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ନିକଟସ୍ଥ କେବିରି ବ୍ରହ୍ମପୁର ଗ୍ରାମରେ ଗଞ୍ଜାମ ପ୍ରସିଦ୍ଧ ଗାଲେରୀ ଦଣ୍ଡ ଅନୁଷ୍ଠିତ ହୋଇଯାଇଛି। ଗାଲେରୀ ଦଣ୍ଡକୁ ଗଞ୍ଜାମରେ ସର୍ବପୁରାତନ ଏବଂ ପ୍ରତ୍ୟେକ୍ଷ ଦଣ୍ଡର ମାନ୍ୟତା ଦିଆଯାଇଥିବା ବେଳେ ମାଆଙ୍କ ଆଗମନରେ ଅଞ୍ଚଳରେ ଉତ୍ସାହ ଖେଳିଯାଇଥିଲା। ଗାଲେରୀ ଦଣ୍ଡ ଦଳରେ ପାଖପାଖି ୭୦୦ ଦଣ୍ଡୁଆ ଅଂଶଗ୍ରହଣ କରିଥିବା ବେଳେ ଗ୍ରାମକୁ ସେମାନଙ୍କର ପ୍ରବେଶ ସମୟରେ ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା। ମାଆଙ୍କ ଗ୍ରାମକୁ ପ୍ରବେଶ ପରେ ସକାଳେ ଗ୍ରାମ ଦେବଦେବୀଙ୍କୁ ବନ୍ଦନା କରାଯାଇଥିଲା। ମଧ୍ୟାହ୍ନରେ ଧୂଳି ଦଣ୍ଡ ଏବଂ ଅପରାହ୍ଣରେ ପାଣିଦଣ୍ଡ ଅନୁଷ୍ଠିତ ହୋଇଥିଲା, ସନ୍ଧ୍ୟା ସମୟରେ ମାଆଙ୍କ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା, ଆଜି ଦିନ ସାରା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ମାଆଙ୍କ ଦର୍ଶନ ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା, ରାତିରେ ମାଆଙ୍କର ସନ୍ଧ୍ୟା ଆଳତି, ପ୍ରସାଦ ସେବନ, ପରଭା ନୃତ୍ୟ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ସାମାଜିକ ନାଟକ ସୁଖ ନିଅଣ୍ଟକୁ ଦୁଃଖ ଅଣ୍ଟିଏ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି, ଗ୍ରାମବାସୀଙ୍କ ତରଫରୁ ଆଜି ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ପରିଚାଳନା କରାଯାଇଥିବା ବେଳେ ବେଲଗୁଣ୍ଠା ପୋଲିସ୍ ତରଫରୁ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯାଇଥିଲା। ସେହିପରି ବେଲଗୁଣ୍ଠା ଆଳିଆ ସାହିରେ ବେଲଗୁଣ୍ଠା ପୁରୁଣା ଦଣ୍ଡ, ବିଦ୍ୟୁତ୍ କାର୍ଯ୍ୟାଳୟ ନିକଟରେ ଝାଡ଼ଭୂମି ଦଣ୍ଡ ଏବଂ ନିକଟସ୍ଥ ଷୋଡ଼ଙ୍ଗାଇ ଗ୍ରାମରେ ଜଗନ୍ନାଥପ୍ରସାଦ ଦଣ୍ଡ ଅନୁଷ୍ଠିତ ହୋଇଯାଇଛି।


