ମେକ୍ ମାଇକେଲ୍ ସଂସ୍କୃତ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଆସିକା(ୱାଇଏନ୍ଏସ୍) : ସଂସ୍କୃତ ଶିକ୍ଷାର ବିକାଶ ଲାଗି ଆସିକା ସହରର ନିରଞ୍ଜନ ନଗରରେ ସ୍ଥାପିତ ହୋଇଥିବା ମେକ୍ ମାଇକେଲ୍ ସଂସ୍କୃତ ମହାବିଦ୍ୟାଳୟର ଯୁକ୍ତତିନି(ଶାସ୍ତ୍ରୀ) ଶେଷବର୍ଷ ଓ ଯୁକ୍ତ୨ ଦ୍ୱିତୀୟ ବର୍ଷ (ଉପଶାସ୍ତ୍ରୀ ଶେଷ ବର୍ଷ) ଛାତ୍ରଛାତ୍ରୀଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଟାନ ପରିସରରେ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି । ମେକ୍ ମାଇକେଲ୍ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ, ଅଧ୍ୟାପକ ସନାତନ ପଣ୍ଡା, ଅଧ୍ୟାପକ ବାବାନାଥ ମିଶ୍ର, ଅଧ୍ୟାପକ ଶିଶିର କୁମାର ମିଶ୍ର, ଅଧ୍ୟାପିକା କବିତା କୁମାରୀ ଦାସ, ମେକ୍ ମାଇକେଲ ସଂସ୍କୃତ ଟୋଲ୍ର ପ୍ରଧାନପଣ୍ଡିତ ପ୍ରଦୀପ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ବିଦାୟୀ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଏକାଗ୍ରତା, ଧୈର୍ଯ୍ୟ ଓ କଠିନ ପରିଶ୍ରମରେ ସଫଳତା ମିଳିଥାଏ, ତେଣୁ ଛାତ୍ରଛାତ୍ରୀମାନେ ଭଲ ପାଠପଢି ପିତାମାତା ଓ ଗୁରୁଜନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନିଜ ପ୍ରତିଭାର ସୁରଭି ଯେପରି ସମସ୍ତେ ଅନୁଭବ କରିପାରିବେ ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ଆଗାମୀ ପରୀକ୍ଷାରେ ଭଲ ଫଳ ପ୍ରଦର୍ଶନ କରିବାକୁ ଆହ୍ୱାନ କରି ଶିକ୍ଷାନୁଷ୍ଠାନର ସୁନାମକୁ ଅକ୍ଷୁର୍ଣ୍ଣ ରଖିବାକୁ ମାର୍ଗଦର୍ଶନ କରିବା ସହ ଶିକ୍ଷା ଛାତ୍ରଛାତ୍ରୀଙ୍କର ଜୀବନର ମେରୁଦଣ୍ଡ ଓ ଦିଗ୍ଦର୍ଶକ ହୋଇଥିବାରୁ ପରୀକ୍ଷାଭିମୁଖୀ ବିଦ୍ୟାର୍ଥୀମାନେ ଆଗାମୀ ଜୀବନକୁ ସୁଫଳ ତଥା ଉଜ୍ଜଳମୟ କରିବା ଏବଂ ଗୁରୁଜନଙ୍କ ଆଶୀର୍ବାଦ ଓ ପ୍ରେରଣା ନେଇ ଭବିଷ୍ୟତ ପାଇଁ ଅଗ୍ରସର ହେବାକୁ ଆହ୍ୱାନ କରିଥିଲେ । ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ଯୁକ୍ତ ତିନି (ଶାସ୍ତ୍ରୀ) ଶେଷ ବର୍ଷର ବିଦ୍ୟାର୍ଥୀ ଏମ୍.ପାୱାନୀ ରାଓ ଏବଂ ବିଜୁ ବେହେର ଦଳେଇ ଏବଂ ଯୁକ୍ତଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱିତୀୟ ବର୍ଷର ବିଦ୍ୟାର୍ଥୀ ଦୁତୀକୃଷ୍ଣ ପୋଲାଇ ଓ ପୂଜାରାଣୀ ଗୌଡ ଏହି ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କ ମାର୍ଗଦର୍ଶନ ଓ ପ୍ରେରଣା ସାଙ୍ଗକୁ ପାଠପଢା ସମୟର ସ୍ମୃତି ଓ ଅନୁଭୁତି ସଦାସର୍ବଦା ସ୍ମରଣୀୟ ହୋଇରହିବ ବୋଲି ପ୍ରକାଶ କରିଥିଲେ । ଶିକ୍ଷାନୁଷ୍ଠାନର ଶାସ୍ତ୍ରୀ ତୃତୀୟ ବର୍ଷର ବିଦ୍ୟାର୍ଥୀ ପି.ଭବାନୀ ରେଡି, ରଶ୍ମିତା ସାହୁ, ବର୍ଷାରାଣୀ ସ୍ୱାଇଁ, ଦିପ୍ତୀରାଣୀ ବେହେରା, ଜ୍ୟୋତି ମହାନ୍ତି, ବନିତା ବିଷୋୟୀ, ଚନ୍ଦନ ସେଠୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର କର୍ମଚାରୀ ଟୁନା ମହାରଣା, ପ୍ରଦୀପ କୁମାର ଷଡଙ୍ଗୀଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲା ବେଳେ ବହୁ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।


