ନୂଆ ନିୟମ ପାଇଁ ଆସିକାରେ ଚାଷୀ ପଞ୍ଜିକରଣ ମନ୍ଥର: ୭ ଦିନରେ ମାତ୍ର ୭୬୫ ଚାଷୀ ପଞ୍ଜିକୃତ

ଆସିକା (ୱାଇଏନ୍‍ଏସ୍‍) ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗ ପକ୍ଷରୁ ୨୦୨୫-୨୬ ଖରିଫ ଋତୁରେ ଧାନ ବିକ୍ରୟ କରିବା ଲାଗି ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଥିବା ଲକ୍ଷ୍ୟ କରାଯାଇଛି। ଆସିକା ବ୍ଳକ ଅନ୍ତର୍ଗତ ବଡଖୋଲି, ବରଗାଁ, ଧନିଜା, ହରିଡାପଦର, ମଙ୍ଗଳପୁର, ବାଲିସିରା, ଗହଙ୍ଗୁ, କାଳଷଣ୍ଢପୁର, ଘଟକୁରି, ଆସିକା, ମୁନିଗାଡି, ନିମିନା, ଜଗଦଳପୁର, ନୂଆଗାଁ, ପାଣ୍ଡିଆପଥର, ଦେବଭୂମୀ, ଗୁଣ୍ଠପଡା, ବେଣାପାଟ ସେବା ସମବାୟ ସମିତି ସମେତ ୧୪ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀ ପକ୍ଷରୁ ଚାଷୀ ପଞ୍ଜିକରଣ ପ୍ରକିୟା ବିଧିବଦ୍ଧ ଭାବେ ଜାରି ରହିଥିବା ଜଣାପଡିଛି। ଆସିକା ବ୍ଳକ ଏନ୍‍ଏସି ପରିସରଭୁକ୍ତ ଅଞ୍ଚଳରେ ୨୦୨୫-୨୬ ଖରିଫ୍‍ ଋତୁରେ ଧାନ ବିକ୍ରୀ କରିବା ପାଇଁ ଗତ ୧୯ ତାରିଖରୁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା ବେଳେ ୭ ଦିନରେ ମାତ୍ର ୭୬୫ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ଜଣାପଡିଛି । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ସଦର ଶାଖା ଅଧୀନସ୍ଥ ନିମିନାରେ ୫୮ ଜଣ, ଗୁଣ୍ଠପଡାରେ ୪୩ ଜଣ, ହରିଡାପଦରରେ ୩୦ ଜଣ, ନୁଆଗାଁରେ ୪ ଜଣ, ଧନିଜାରେ ୧୮ ଜଣ, ମୁନିଗାଡିରେ ୧୩ ଜଣ, ଘଟକୁରୀରେ ୧୪ ଜଣ, ପାଣ୍ଡିଆପଥରରେ ୨୯ ଜଣ, ବାଲିସିରାରେ ୧୩ ଜଣ, ଦେବଭୁମୀରେ ୧୦ ଜଣ, ମଙ୍ଗଳପୁରରେ ୧୯ ଜଣ, କାଳଷଣ୍ଢପୁରରେ ୪ ଜଣ, ଜଗଦଳପୁରରେ ୪୭ ଜଣ, ଗହଙ୍ଗୁରେ ୨୭ ଜଣ, ବରଗାଁରେ ୧୩ ଜଣ, ବେଣାପାଟରେ ୬୬ ଜଣ, ବଡଖୋଲିରେ ୪୦ ଜଣ, ଆସିକାରେ ୧୪ ଜଣ ଏବଂ ବାବନପୁର ସ୍ଥିତ ଶ୍ରୀ ରଘୁନାଥ ଏସ୍‍ଏଚ୍‍ଜିରେ ୩୩ ଜଣ, ଆଲିପୁର ସ୍ଥିତ ମା ଖମ୍ବେଶ୍ୱରୀ ଏସ୍‍ଏଚ୍‍ଜିରେ ୧୨ ଜଣ, ବାଙ୍ଗରଡା ସ୍ଥିତ ଗାୟତ୍ରୀ ଏସ୍‍ଏଚ୍‍ଜିରେ ୮ ଜଣ, ଚଢେୟାପଲ୍ଲୀ ସ୍ଥିତ ଧରିତ୍ରୀ ଏସ୍‍ଏଚ୍‍ଜିରେ ୫୭, ଜୟପୁର ସ୍ଥିତ ଜୟ ମା ମଙ୍ଗଳା ଏସ୍‍ଏଚ୍‍ଜିରେ ୩୪ ଜଣ, କେନ୍ଦୁପଦର ସ୍ଥିତ ଶିବପାର୍ବତୀ ଏସ୍‍ଏଚ୍‍ଜିରେ ୧ ଜଣ, କମାଗଡ ସ୍ଥିତ ତ୍ରିବେଣୀ ଏସ୍‍ଏଚ୍‍ଜିରେ ୧୪ ଜଣ, ବାଲିଛାଇ ସ୍ଥିତ ଜାଗୃତି ଏସ୍‍ଏଚ୍‍ଜିରେ ୨୯ ଜଣ, ଆସିକା ଏନ୍‍ଏସି ଅଧୀନସ୍ଥ ମା ପାର୍ବତୀ ଏସ୍‍ଏଚ୍‍ଜିରେ ୯ ଜଣ, ଗଙ୍ଗାପୁର ସ୍ଥିତ ଗାୟତ୍ରୀ ଏସ୍‍ଏଚ୍‍ଜିରେ ୧୪ ଜଣ, ଗହଙ୍ଗୁ ସ୍ଥିତ ଜୟମା ସନ୍ତୋଷୀ ଏସ୍‍ଏଚ୍‍ଜିରେ ୧୪ ଜଣ, ବଡଖୋଲି ସ୍ଥିତ ମା ମହାଲକ୍ଷ୍ମୀ ଏସ୍‍ଏଚ୍‍ଜିରେ ୭୦ ଜଣ, ଖଣ୍ଡଦେଉଳୀ ସ୍ଥିତ ମା ମଙ୍ଗଳା ଏସ୍‍ଏଚ୍‍ଜିରେ ୨ ଜଣ, ନଳବଣ୍ଟା ସ୍ଥିତ ସାତଶଙ୍ଖ ଏସ୍‍ଏଚ୍‍ଜିରେ ୬ ଜଣ ଏହିଭଳି ସମୂଦାୟ ଗତ ୨୭ ତାରିଖ ସୁଦ୍ଧା ମାତ୍ର ୭୬୫ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ଜଣାପଡିଛି । ଆସିକା ବ୍ଳକ ଓ ଏନ୍‍ଏସି ପରିସରଭୁକ୍ତ ଅଞ୍ଚଳର ୧୮ଟି ସେବା ସମବାୟ ସମିତି ଓ ୧୪ଟି ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ପକ୍ଷରୁ ନାମ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଥିବା ଲକ୍ଷ୍ୟ କରାଯାଇଛି । ଚଳିତ ଖରିଫ ଋତୁରେ ସରକାରଙ୍କ ପକ୍ଷରୁ ଧାନ ସଂଗ୍ରହ ନିମନ୍ତେ ଅନ୍‌ଲାଇନ୍ ମାଧ୍ୟମରେ ଚାଷୀ ମାନଙ୍କ ନାମ ପଞ୍ଜିକରଣ କାର୍ଯ୍ୟ ଜାରି ରହିଥିଲା ବେଳେ ଏହା ଆସନ୍ତା ଅଗଷ୍ଟ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଆସନ୍ତା ନଭେମ୍ବର ମାସ ପ୍ରଥମ ସପ୍ତାହରୁ ଧାନସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ୨୦୨୬ ମସିହା ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଆସନ୍ତା ସେପ୍ଟେମ୍ବର ମାସ ୯ ତାରିଖ ସୁଦ୍ଧା ଚାଷୀଙ୍କ ତଥ୍ୟ ଯାଞ୍ଚ ପ୍ରକ୍ରିୟା ସଂପୁର୍ଣ୍ଣ ହେବ ଓ ସେପ୍ଟେମ୍ବର ମାସ ୩୦ ତାରିଖ ସୁଦ୍ଧା ଯୋଗ୍ୟ ଚାଷୀଙ୍କ ତାଲିକା ପ୍ରକାଶ ପାଇବ । ଧାର୍ଯ୍ୟ ସମୟସୀମା ମଧ୍ୟରେ ଏକ ନିର୍ଭୁଲ ଓ ଯୋଗ୍ୟ ଚାଷୀ ନାମପଞ୍ଜିକରଣ ତାଲିକା ଯେପରି ପ୍ରସ୍ତୁତ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ସମବାୟ ସମିତି ସମୂହ ଆସିକା ସର୍କଲର ସହକାରୀ ନିବନ୍ଧକ ବିଜୟ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଇଛି। ଆସିକା ବ୍ଳକ ଓ ଏନ୍‍ଏସି ପରିସରଭୁକ୍ତ ଅଞ୍ଚଳର ୧୮ଟି ସେବା ସମବାୟ ସମିତି ସମେତ ୧୪ଟି ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ପକ୍ଷରୁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଥିବା ଲକ୍ଷ୍ୟ କରାଯାଇଛି । ଚାଷୀ ପଞ୍ଜିକରଣରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ସରକାର ଚଳିତବର୍ଷ ପୂର୍ବ ନିୟମରେ କିଛିଟା ପରିବର୍ତ୍ତନ ଆଣିଛନ୍ତି । ବିଶେଷକରି ଏଣିକି ଚାଷୀଙ୍କ ଆଧାର ନମ୍ବର ସହ ବ୍ୟାଙ୍କ ଜମାଖାତାକୁ ସଂଯୋଗୀକରଣ କରାଯିବ । ଯାହାକି ବାଧ୍ୟତାମୂଳକ କରାଯାଇଛି । ଏହାରି ଫଳରେ ଇ-କେୱାଇସି ଅପଡେଟ୍‍ ହୋଇପାରିବ । ଏତଦ୍‍ଭିନ୍ନ ପଞ୍ଜିକରଣ ସମୟରେ ଚାଷୀ ନିଜ ଅଞ୍ଚଳର ସୋସାଇଟି କାର୍ଯ୍ୟାଳୟରେ ଉପସ୍ଥିତ ରହି ନାମ ପଞ୍ଜିକରଣ କରି ରସିଦ ସଂଗ୍ରହ କରିବେ । ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ଏହି ନୁଆଁ ବ୍ୟବସ୍ଥା ଦ୍ୱାରା ଚାଷୀମାନେ ସେଠାରେ ହିଁ ନିଜର ସମସ୍ତ ଚାଷଜମିର ବିବରଣୀ ପି-ପ୍ୟାକ୍ସ ୱେବସାଇଟରେ ଅପଲୋଡ୍‍ ହେଲା ନା ନାହିଁ ଜାଣିପାରିବେ । ପୂର୍ବରୁ ଚାଷୀଙ୍କ ମୋବାଇଲକୁ ଓଟିପି ଯାଉଥିଲା । ଓଟିପି ନମ୍ବରକୁ ଅନେକ ଚାଷୀ ସୋସାଇଟି କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପରେ ନାମ ପଞ୍ଜିକରଣ ହୋଇପାରୁଥିଲା । ତେବେ ବହୁ ଚାଷୀ ନିଜ ଚାଷଜମିର ବିବରଣୀ ଉକ୍ତ ସରକାରୀ ୱେବସାଇଟ୍‍ରେ ଅପଲୋଡ୍‍ ହେଲା ନା ନାହିଁ ତାହା ଜାଣିପାରୁ ନଥିଲେ । ଯଦ୍ୱାରା ଧାନସଂଗ୍ରହ ସମୟରେ ଚାଷଜମିର ପରିମାଣ ଅନୁସାରେ ଟୋକୋନ୍‍ ଆସୁନଥିବାରୁ ବହୁ ଚାଷୀ ବିଭିନ୍ନ ମହଲରେ ଅଭିଯୋଗ କରୁଥିଲେ । ସେହିଭଳି ସରକାର ଚଳିତବର୍ଷ ଭାଗଚାଷୀଙ୍କ କ୍ଷେତ୍ରରେ ନୁଆଁ ନିୟମ ଧାର୍ଯ୍ୟ କରିଛନ୍ତି । ଯାହାଦ୍ୱାରା ଭାଗଚାଷୀ ଉପକୃତ ହେବାରେ ବିଶେଷ ସହାୟକ ହେବ । କେବଳ ସେତିକି ନୁହେଁ ଯେଉଁ ପରିବାରରେ ୩ ଭାଇ ଅଛନ୍ତି ସେଠି ଅପାତତଃ ସମାନୁପାତିକ ଭାବେ ଜମିର ବିବରଣୀ ପୃଥକ୍‍ ପୃଥକ୍‍ ଭାବେ ୱେବସାଇଟ୍‍ରେ ଦାଖଲ କରାଯିବ । ଯାହା ଭବିଷ୍ୟତରେ ଫସଲ ଅମଳକୁ ନେଇ କୌଣସି ପ୍ରକାର ଦ୍ୱନ୍ଦ ଉପୁଜିବ ନାହିଁ ଓ ସମସ୍ତ ଭାଇ ଉପକୃତ ହୋଇପାରିବେ ବୋଲି ଜଣାପଡିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସିକାର ୧୮ଟି ସେବା ସମବାୟ ସମିତି ସମେତ ୧୪ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଥିବା ବେଳେ ନୁଆଁ ନିୟମ ପାଇଁ ଚାଷୀ ପଞ୍ଜିକରଣ କ୍ଷେତ୍ରରେ ମନ୍ଥରତା ଦେଖାଦେଇଛି ବୋଲି କେତେକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ