ସାର ପାଇଁ କଲବଲ ହେଉଛନ୍ତି ଚାଷୀ: ଅସାଧୁ ବ୍ୟବସାୟୀ ମାଲାମାଲ
ଛତ୍ରପୁର,(ଓ୍ବାଇଏନଏସ): ସାର ପାଇଁ ସଂଘର୍ଷ । ବର୍ଷାରେ ଭିଜି ଭିଜି ପ୍ୟାକସ ତଥା ଯୋଗାଣ କେନ୍ଦ୍ର ଆଗରେ ଚାଷୀଙ୍କ ଲମ୍ବା ଧାଡ଼ି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପ୍ୟାକସ ରେ ଦେଖିବାକୁ ମିଳିଛି ଏପରି ଚିତ୍ର । ଆବଶ୍ୟକ ଅନୁଯାୟୀ ସାର ବସ୍ତା ନଥିବା ବେଳେ ଶହରୁ ଅଧିକ ଲୋକ ଲମ୍ବା ଧାଡ଼ି ଲଗାଇଛନ୍ତି । କିଏ ସକାଳ ୫ ଟାରୁ ତ କିଏ ୬ ଓ ୭ ଟାରୁ ଧାଡ଼ିରେ ଜଗି ରହିଛନ୍ତି । ଯାହାକୁ ଫସଲ ନିମନ୍ତେ ୭ ବସ୍ତା ସାର ଆବଶ୍ୟକ ଥିବା ତାଙ୍କୁ ମିଳୁଛି ୧ବସ୍ତା, ସେପଟେ ଲଣ୍ଡା ବାଉଁଶ ପ୍ୟାକସ କୁ ସାର ୨୨୫ ବସ୍ତା ଆସିଥିବା ବେଳେ ୧୦୦୦ ବସ୍ତା ସାର ଆବଶ୍ୟକତା ରହିଛି ବୋଲି ଦାୟିତ୍ୱ ଥିବା ଅଧିକାରୀ କହିଛନ୍ତି, ଅନ୍ୟପଟେ ସମବାୟ ଓ କୃଷି ବିଭାଗୀୟ ଅଧିକାରୀ ସାର ମହଜୁଦ ଅଛି ବୋଲି କହୁଛନ୍ତି ହେଲେ ଚାଷୀକୁ ମିଳୁନି । ଫଳରେ ଚାଷୀ ବାହାରୁ ଧାର୍ଯ୍ୟ ଦାମ୍ ଠାରୁ ଅଧିକ ଦର ଦେଇ ସାର କିଣୁଛନ୍ତି । ଅସାଧୁ ବ୍ୟବସାୟୀ ମାଲାମାଲ ହୋଇଛନ୍ତି । ସାର ପାଇଁ କଲବଲ ହେଉଛନ୍ତି ଚାଷୀ । ସାରର ଅଭାବ ନାହିଁ ସରକାର କହୁଛନ୍ତି । ତା’ସତ୍ତ୍ବେ ଚାଷୀଙ୍କୁ ସାର ନମିଳିବା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନାମକୁ ମାତ୍ର ଅଧିକାରୀ ମାନେ ଗୋଦାମ ଏବଂ ବିଭିନ୍ନ ଯୋଗାଣ କେନ୍ଦ୍ର ରେ ଚଢ଼ାଉ କରି ଯାଞ୍ଚ କରାଯାଉଛି ବୋଲି ଫୋଟ ଉଠାଇ ତାହା କାଗଜ କଲମ ରେ ଦେଖାଇ ଦେଉଛନ୍ତି, ପ୍ରକୃତ ରେ ସେମାନେ ଚାଷୀଙ୍କ କଥା ବୁଝୁ ନଥିବା ଅଭିଯୋଗ କରିଛନ୍ତି ଋଷି କୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ, ଏହା ସହ ସୋସାଇଟି କୁ ଗୁରୁତ୍ୱ ନଦେଇ ଘରୋଇ ଡିଲର କୁ ସରକାର ଅଧିକ ପ୍ରୋତ୍ସାହନ ଦେଉଛନ୍ତି କାହା ସ୍ୱାର୍ଥ ନିମନ୍ତେ ବୋଲି ମଧ୍ୟ ଶ୍ରୀ ନାହାକ ପ୍ରଶ୍ନ କରିଛନ୍ତି, ଚାଷୀ ହେଉଛି ଆମର ଅନ୍ନଦାତା ତାଙ୍କ ପାଇଁ କାହାର ଦରଦ ନାହିଁ, ସାରର ଅଭାବକୁ ନେଇ ଚାଷୀ ମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ,ବଡ଼ ବଡ଼ିଆ ଅଧିକାରୀ ମାନେ ନିର୍ଦେଶ ଦେଉଛନ୍ତି ସିନା ତାହା କାର୍ଯ୍ୟକାରୀ ହେଉଛି କି ନାହିଁ ତଡାରଖ କରୁ ନାହାନ୍ତି, ଫୋଟ ଉଠାଇ ୱାଟସପ ଏବଂ ଟୁଇଟର ଛାଡି ନିଜ ନିଜ ଦାୟିତ୍ୱ ତୁଲାଇଲା ଭଳି ଦେଖାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି, ସାର ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି, ଯାହାକୁ ନେଇ ଚାଷୀ ମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବର୍ତ୍ତମାନ ସାରର ନିଅଣ୍ଟ ସ୍ଥିତି ଦେଖା ଦେଇଥିବା ବେଳେ, ସାର ବିକ୍ରିରେ ଅନିୟମିତତା, କଳାବଜାରୀ ଓ ଅତ୍ୟଧିକ ଦର ବୃଦ୍ଧି ଚାଷୀକୂଳକୁ ହନ୍ତସନ୍ତ କରୁଛି। ଏହି ସମସ୍ୟାର ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ରାଜ୍ୟ ସରକାର ନିଜକୁ ଲୋକଙ୍କ ସରକାର ବୋଲି ଦାବି କରୁଛନ୍ତି, କିନ୍ତୁ ଚାଷୀ ମାନେ କଣ ରାଜ୍ୟ ର ଲୋକ ନୁହଁନ୍ତି କି ବୋଲି ଚାଷୀ ନେତା ମାନେ ପ୍ରଶ୍ନ କରିଛନ୍ତ।
ସାର ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇଁ, ସରକାର ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ, ନଚେତ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ସିପିଆଇ ଜିଲ୍ଲା ସହ- ସମ୍ପାଦକ ନୀଳକଣ୍ଠ ଦାଶ ଚେତାବନୀ ଦେଇଛନ୍ତି। ସେହିପରିସରକାର ଚାଷୀ ମାନଙ୍କ ସ୍ଵାର୍ଥକୁ ପ୍ରାଥମିକତା ଦେଇ ତାଙ୍କୁ ସାର ଭଳି ଆବଶ୍ୟକୀୟ ସାମଗ୍ରୀ ସୁବିଧାରେ ଯୋଗାଇ ଦେବା ନିମନ୍ତେ ଚାଷୀ ନେତା ତଥା ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି ଦାବୀ କରିଛନ୍ତି।


