ଯୁଗ୍ମ ଜନ ଅଭିଯୋଗ ଶୁଣାଣୀରେ ସମ୍ମୁଖରେ ଚାଷୀଙ୍କ ଧାରଣା
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ହେଉଥିବା କାର୍ଯ୍ୟାଳୟ ସମ୍ମୁଖରେ ବ୍ଳକର ୪ଟି ଧାନ ମଣ୍ଡୀର ଚାଷୀମାନେ ଧାରଣାରେ ବସି ରହିଥିଲେ। ବ୍ଳକର ୬ଟି ସେବା ସମବାୟ ସମିତି ମାଧ୍ୟମରେ ଧାନ ଦେବା ପାଇଁ ଚାଷୀ ନାମ ପଂଜୀକୃତ କରିଥିଲେ। ଧାନ ଦେବାର ଧାର୍ଯ୍ୟ ସମୟକୁ ଗୋଟିଏ ଦିନ ବାକିଥିବା ବେଳେ ୨ଟି ସମବାୟ ସମିତିରୁ ସମସ୍ତ ଧାନ ଉଠି ଯାଇଥିବା ୪ଟି ସେବା ସମବାୟ ସମିତି ତଥା ଧାନ ମଣ୍ଡିରେ ୩ଶହରୁ ଉର୍ଦ୍ଧ୍ୱ ଚାଷୀ ଧାନ ପ୍ରଦାନ କରି ପାରୁନାହାନ୍ତି। ପୁନର୍ବାର ଟାର୍ଗେଟ ପ୍ରଦାନ କରିବା ପାଇଁ ଚାଷୀମାନେ ପ୍ରଶସାନିକ ଅଧିକାରୀଙ୍କୁ ଦୀର୍ଘ ଦେଢ ଘଂଟା କାଳ ଅଟକ ରଖିଥିଲେ। ଦୀର୍ଘଦିନ ହେବ ଚାଷୀ ଟୋକନ ପାଇଥିଲେ ମଧ୍ୟ ଧାନ ବିକ୍ରି କରିବାର ସମୟ ଅବଧି ବାରମ୍ବାର ପରିବର୍ତନ କରାଯାଉଛି। ଧାର,କରଜ କରି ଚାଷୀ ଚାଷ କରିଥିବା ବେଳେ ଋଣ ଭାର ଚାଷୀଙ୍କୁ ଆକ୍ରାନ୍ତ କଲାଣି। ଚାଷ କରି ଚାଷୀ ପରିବାର ତଥା ନିଜର ଆନୁସଙ୍ଗିକ କାର୍ଯ୍ୟ ମେଂଟାଇଥାଏ। କିନ୍ତୁ ଧାନ ବିକ୍ରି କରି ନପାରି ଚାଷୀ ଏକ ପ୍ରକାର ହତାଶ ହେଲାଣି। ଯାହାକୁ ପ୍ରତିବାଦ କରି ବ୍ଳକର ବିଭିନ୍ନ ପଂଚାୟତ ଶତାଧିକ ଚାଷୀ ଓ ନବ ନିର୍ମାଣ କୃଷକ ସଙ୍ଗଠନର ସଦସ୍ୟ ଅଶୋକ ସ୍ୱାଇଁ, କୈଳାସ ଚନ୍ଦ୍ର ପରିଡା, ଉତମ ସ୍ୱାଇଁ, ଶ୍ରୀଧର ସାହୁ, ପ୍ରକାଶ ଚନ୍ଦ୍ର ଲେଙ୍କା, ଚତୁଭୂଜ ମହାନ୍ତି, ବସନ୍ତ ସ୍ୱାଇଁ, ଜଟାଧାରୀ ଦାସ, ନିମାଇଁ ପରିଡା ଆଦି ଧାରଣାରେ ବସି ରହିଥିଲେ। ଏସଂକ୍ରାନ୍ତରେ ଏକ ଅଭିଯୋଗପତ୍ର ଜିଲାପାଳଙ୍କ ଜନଶୁଣାଣିରେ ପ୍ରଦାନ କରିଥିଲେ। ଖୁବ ଶୀଘ୍ର ଚାଷୀମାନଙ୍କର ଧାନ ବିକ୍ରି ପାଇଁ ଟାର୍ଗେଟ ପ୍ରଦାନ କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ। ଟାର୍ଗେଟ ନ ଆସିବା ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀଙ୍କୁ ଛାଡିବେ ନାହିଁ ବୋଲି ଚାଷୀମାନେ ଜିଦ୍ ଧରିଥିଲେ। ଜନଶୁଣାଣି ସରିବା ପରେ ଜିଲା ଯୋଗାଣ ଅଧିକାରି ଜିତେନ୍ଦ୍ର ଟୁଡୁ, ଡିଆରସିଏସ ପ୍ରଭାତ ଚନ୍ଦ୍ର ଶତପଥୀଙ୍କୁ ଅଟକ ରଖିବା ପରେ ୪ ସମବାୟ ସମିତିକୁ ଆବଶ୍ୟକ ଅନୁଯାୟୀ ଟାର୍ଗେଟ ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ଗଜରାଜପୁର ସମବାୟ ସମିତିକୁ ୧୨୫ ଜଣ ଚାଷୀଙ୍କ ପାଇଁ ୩ ହଜାର କୁଇଂଟାଲ,ଅଲଣା ୩୭ଜଣ ଚାଷୀଙ୍କ ପାଇଁ ୧ହଜାର ୩ଶହ ୯୨ କୁଇଂଟାଲ, ତିରୁଣା ୧୨୦ ଜଣ ଚାଷୀଙ୍କ ପାଇଁ ୨ ହଜାର ୬ଶହ କୁଇଂଟାଲ, ଶିଖର ସମବାୟ ସମିତିରେ ୫୫ ଜଣ ଚାଷୀଙ୍କ ପାଇଁ ୧ ହଜାର ୧୨୦ କୁଇଂଟାଲ ଧାନ ପ୍ରଦାନ ପାଇଁ ଟାର୍ଗେଟ ପ୍ରଦାନ କରାଯାଇଥିଲା। ଉକ୍ତ ଟାର୍ଗେଟ ଆସିବା ପରେ ଚାଷୀମାନେ ଅଧିକାରୀ ଦ୍ୱୟଙ୍କୁ ଛାଡିଥିଲେ।


