ବାକି ଟଙ୍କା ମାଗିବାକୁ ନେଇ ସଂଘର୍ଷ ଘଟଣା: ବାପ ପୁଅ ଗିରଫ
ହାଟଡିହି (ଓ୍ବାଇଏନଏସ): ବାକି ଟଙ୍କା ମାଗିବାକୁ ନେଇ ନନ୍ଦିପଦା ଥାନା ଚଣ୍ଡିବିରଞ୍ଚିପୁର ଗାଁରେ ଗତ ଶୁକ୍ରବାର ଦିନ ଦୁଇ ଜଣଙ୍କ ଭିତରେ ସଂଘର୍ଷ ଘଟି ଦୁଇଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ପୋଲିସ ପ୍ରସନ୍ନ ଦାଶ ଓ ତାର ପୁଅ ଦେବାଶିଷ ଦାଶ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାଇ ନନ୍ଦିପଦା ଥାନା ଚଣ୍ଡିବିରଞ୍ଚିପୁର ଗାଁର ପ୍ରକାଶ କୁମାର ନାୟକ ଚିପିସ ବ୍ୟବସାୟ କରୁ ଥିବା ବେଳେ ସେହି ଗ୍ରାମର ପ୍ରସନ୍ନ କୁମାର ଦାସ ନାମକ ବ୍ୟକ୍ତି ଏକରାସ୍ତା କାମ କରିବା ନିମନ୍ତେ ଦୀର୍ଘ ବର୍ଷେ ତଳୁ ଚିପ୍ସ ଓ ମେଟାଲ ବାକିରେ ନେଇଥିଲେ। ରାସ୍ତାକାମର ବିଲ୍ ପାଇଥିଲେ ମଧ୍ୟ ପ୍ରସନ୍ନ ଆଉ ବାକି ଟଙ୍କା ଶୁଝିବାର ନାଁ ଧରିନଥିଲେ। ବାରମ୍ବାର ବାକି ଟଙ୍କା ମାଗିବା ପରେ ନମିଳିବାରୁ ପ୍ରକାଶ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଗତକାଲି ପୁନର୍ବାର ପ୍ରକାଶ ବାକି ଟଙ୍କା ମାଗିବାରୁ ପ୍ରସନ୍ନ ଦାସ ଓ ପ୍ରକାଶ ନାୟକଙ୍କ ଭିତରେ ଯୁକ୍ତି ତର୍କ ଓ ପାଟିତୁଣ୍ଡ ହୋଇଥିଲା। ପ୍ରସନ୍ନ ଓ ତାଙ୍କ ପୁଅ ଦେବାଶିଷ ମିଶି ଏକ ଠେଙ୍ଗା ଓ ଲୁହାରଡ଼ରେ ମରଣାନ୍ତକ ଆକ୍ରମଣ କରି ପ୍ରକାଶଙ୍କୁ ଲହୁଲୁହାଣ କରିଥିଲେ। ତାଙ୍କୁ ପୋଲିସ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ମେଡିକାଲ ରେ ଆଶୁ ଚିକିତ୍ସା କରିବା ପରେ କଟକ ରେଫର କରାଯାଇଛି। ଏନେଇ ପ୍ରକାଶଙ୍କ ପରିବାର ପକ୍ଷରୁ କୁନୁମୁନି ନାୟକ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଥାନା କେସ ନଂ ୧୪୫/୨୦୨୬ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ବାପପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ପ୍ରସନ୍ନ ମଧ୍ୟ ପ୍ରକାଶ ଙ୍କ ବିରୁଦ୍ଧରେ ଏକ ପାଲଟା ଅଭିଯୋଗ କରିଛନ୍ତି।


