ଝାଡାବାନ୍ତି ବ୍ୟାପିବା ଆଶଙ୍କା ! ଚିନ୍ତା ବଢାଇଲାଣି ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା
ଆସିକା (ୱାଇଏନ୍ଏସ୍) ରାଜ୍ୟର କେତେକ ଅଞ୍ଚଳରେ ମାଡିଚାଲିଛି ଝାଡାବାନ୍ତି । ଜିଲ୍ଲା ପରେ ଜିଲାକୁ ଡେଇଁବାରେ ଲାଗିଛି । ରାଜ୍ୟର ଯାଜପୁର, କେନ୍ଦୁଝର, କଟକ, କେନ୍ଦ୍ରାପଡା, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର ସମେତ କେତେକ ଅଞ୍ଚଳରେ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇସାରିଥିବା ବେଳେ ଆସିକା ଅଞ୍ଚଳର କେତେକ ଜନସାଧାରଣଙ୍କ ମଧ୍ୟରେ ବର୍ତ୍ତମାନ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ଛନକା ପଶିଯାଇଥିବା ଲକ୍ଷ୍ୟ କରାଯାଇଛି । ଝାଡାବାନ୍ତି ଓ ହଇଜାର ମୁଖ୍ୟ କାରଣ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଦୂଷିତ ପାଣି ଓ ନିମ୍ନମାନର ଅପମିଶ୍ରିତ ଖାଦ୍ୟ ଖାଇବା ମୁଖ୍ୟ କାରଣ ବୋଲି କୁହାଯାଉଛି । ଆସିକା ସହରର କେତେକ ଅଞ୍ଚଳରେ ଥିବା କେତେକ ଫାଷ୍ଟଫୁଡ୍ ଦୋକାନ, ହୋଟେଲ୍ ଗୁଡିକ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରିବା ବିକ୍ରୀ କରୁଥିବା ବେଳେ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉନଥିବା ଅଭିଯୋଗ ହେଉଛି । ଏପରିକି କେତେକ ଡ୍ରେନ୍ ଗୁଡିକ ଉପରେ ଦୂଷିତ ଜଳ ମାସ ମାସ ଧରି ଜମାଟ ବାନ୍ଧି ରହୁଥିବାରୁ ଝାଡାବାନ୍ତି ଓ ହଇଜା ବ୍ୟାପିବାର ସମ୍ଭାବନାକୁ ମଧ୍ୟ ଏଡାଉ ହେଉନାହିଁ । ଆସିକା ସହରର ଅଧିକାଂଶ ଡ୍ରେନ୍ ଉପରେ ଓ ପୁତିଗନ୍ଧମୟ ପରିବେଶ ମଧ୍ୟରେ ଗୁପ୍ଚୁପ୍, ଦହିବରା, ମୋମୋ, ଚାଉମିନ୍, ଚାଟ୍ ଭଳି ପାଟି ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ବିକ୍ରୀ କରାଯାଉଛି । କେତେକ ବ୍ୟବସାୟୀ ରାସ୍ତାକଡରେ ପୁତିଗନ୍ଧମୟ ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ପରିବା କାଟିବା ଓ ପିଆଜ ଏବଂ ଆଳୁ ଚୋପା ଛଡାଉଥିବା ଦେଖିବାକୁ ମିଳୁଛି । ଯେଉଁ ପାତ୍ରରେ କେତେକ ବ୍ୟବସାୟୀ ଖାଦ୍ୟ ପରସୁଛନ୍ତି ସେଗୁଡିକ ମଧ୍ୟ ସଠିକ୍ ଭାବେ ପରିଷ୍କାର ପରିଚ୍ଛନ୍ନ କରାଯାଉନଥିବା ଅଭିଯୋଗ ହେଉଛି । ଏପରିକି ଯେଉଁଠି ଡଷ୍ଟବିନ୍ରେ ଅଇଁଠା ପତ୍ର ପଡୁଛି ସେହି ଜାଗାରେ ମାଛି ଭଣ ଭଣ ପରିବେଶରେ ବହୁ ବ୍ୟକ୍ତି ଛିଡା ହୋଇ ଖାଦ୍ୟ ଖାଉଥିବା ଦେଖିବାକୁ ମିଳୁଛି । ଜଳବାୟୁ ପରିବର୍ତ୍ତନ ସହ ଦୂଷିତ ପରିବେଶ ଓ କେତେକ ସ୍ଥାନରେ ପୁତିଗନ୍ଧମୟ ପରିବେଶ ମଧ୍ୟରେ ଅପମିଶ୍ରିତ ନିମ୍ନମାନର ଖାଦ୍ୟ ପଦାର୍ଥ ଓ ବିଶୁଦ୍ଧ ପାଣିର ବହୁଳ ବିକ୍ରୀବଟା ଚାଲିଥିବା ଦେଖିବାକୁ ମିଳୁଛି । ଯାହା ଏବେ ଡାଇରିଆ ଭଳି ରୋଗକୁ ନିମନ୍ତ୍ରଣ କରିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ଆଲୋଚିତ ହେଉଥିବା ବେଳେ କେତେକ ମହଲରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଧୂଳିଧୁଆଁ ଓ ଖୋଲାମେଲାରେ ଖାଦ୍ୟସାମଗ୍ରୀ ବିକ୍ରୀ ସ୍ୱାସ୍ଥ୍ୟ ପ୍ରତି କେତେ ଉନ୍ନତ ତାହାକୁ ନେଇ ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ରାଜ୍ୟର କେତେକ ଅଞ୍ଚଳରେ ଝାଡାବାନ୍ତି ଦୃତ ଗତିରେ ବ୍ୟାପି ଚାଲିଥିଲା ବେଳେ ଆସିକା ଅଞ୍ଚଳରେ ଯେପରି ସେହି ସମସ୍ୟା ସୃଷ୍ଟି ନହୁଏ ତାହାକୁ ଦୃଷ୍ଟିରେ ରଖି ସତର୍କତା ସ୍ୱରୂପ ଜଳଖିଆ, ଫାଷ୍ଟଫୁଡ୍, ହୋଟୋଲ୍ ଓ ରେଷ୍ଟୁରାଣ୍ଟ ଗୁଡିକରେ ଚଢାଉ କରି ଖାଦ୍ୟର ମାନ ଯାଞ୍ଚ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବା ସହ ବାସି ଖାଦ୍ୟ ବିକ୍ରୀ କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଚେତନ ନାଗରିକ ମହଲରେ ଦୃôଢ ମତ ପ୍ରକାଶ ପାଉଛି । ଆସିକା ଏନ୍ଏସି ଅଧୀନସ୍ଥ ୧୩ ନମ୍ବର ୱାର୍ଡର ବିନାୟକ ବଜାର ସ୍ଥିତ ଅସ୍ଥାୟୀ ଗଣେଶପୂଜା ମଣ୍ଡପ ପଡିଆରେ ମାସ ମାସ ଧରି କୁଢ କୁଢ ଆବର୍ଜନା ପଡିରହିଥିଲେ ମଧ୍ୟ ସେଗୁଡିକୁ ସଫା କରି ପରିବେଶକୁ ପରିଷ୍କାର ପରିଚ୍ଛନ୍ନ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଯେଉଁଆଡେ ଚାହିଁବ ଛତୁ ଫୁଟିଲା ଭଳି ପାଟିକୁ ସୁଆଦିଆ ଲାଗୁଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରୀ ହେଉଛି । ରାସ୍ତାକଡରେ ବିକ୍ରୀ ହେଉଥିବା ଖାଦ୍ୟର ଗୁଣବତ୍ତାକୁ ଯାଞ୍ଚ କରିବା ଦିଗରେ ପ୍ରଶାସନ ବିଫଳ ହୋଇଛି ବୋଲି ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବେଳ ଥାଉ ଥାଉ ସମସ୍ୟାକୁ ସମାଧାନ ନକଲେ ଆଗାମୀ ଦିନରେ ପରିସ୍ଥିତି ବିଗିଡିବ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।