ସାର କଳାବଜାର ଅଭିଯୋଗ : ସମବାୟ ସମ୍ପାଦକଙ୍କୁ ଘେରିଲେ ଚାଷୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତିରେ ୟୁରିଆ ସାରର କଳାବଜାର କରାଯାଉଥିବା ଅଭିଯୋଗ ହୋଇଛି। ସିଦ୍ଧେଶ୍ୱର ଓ କୋଟିନଡା ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମର ସହସ୍ରାଧିକ ଚାଷୀ ସାର ନପାଇ ହଟହଟା ହେଉଛନ୍ତି । ଚାଷୀଙ୍କୁ ସାର ବଣ୍ଟନ ନକରି ସମ୍ପାଦକ ରବିବାର ବିଳମ୍ବିତ ରାତିରେ କିଛି ବ୍ୟବସାୟୀଙ୍କୁ ଚଢ଼ା ଦରରେ ସାର ବିକ୍ରୀ କରିଥିବା ପ୍ରଚାରିତ ହେବା ପରେ ସୋମବାର ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେବା ସହ ଉତ୍ତେଜିତ ଚାଷୀ ସମବାୟ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ ।ବହୁସଂଖ୍ୟକ ଚାଷୀ ସମବାୟ ସମ୍ପାଦକ ଗୋପାଳକୃଷ୍ଣ ଜେନାଙ୍କୁ ଘେରି ସାର ଅଭାବର କାରଣ ପଚାରିଥିଲେ । ସେ କୌଣସି ସନ୍ତୋଷଜନକ ଉତ୍ତର ନଦେବାରୁ ଚାଷୀମାନେ ସଙ୍ଗଠିତ ହୋଇ ଦିଗପହଣ୍ଡି – ବ୍ରହ୍ମପୁର ରାସ୍ତାର ଗଣିଆନାଳ ଛକଠାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଯାନବାହାନ ଅଟକି ରହିଥିଲା। ସମବାୟ କାର୍ଯ୍ୟାଳୟକୁ ପର୍ଯ୍ୟାପ୍ତ ପରିମାଣରେ ସାର ଆସିଥିବା ବେଳେ ଚାଷୀଙ୍କୁ ସାର ମିଳୁନଥିବା ନେଇ ପୂର୍ବରୁ ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା । କାର୍ଯ୍ୟାଳୟରେ ପୂର୍ବରୁ ୫୦ ବସ୍ତା ସାର ରହିଥିବା ବେଳେ ରବିବାର ୪୫୦ ବସ୍ତା ସାର ଆସିଥିଲା । ଭୋର ରୁ ଚାଷୀମାନେ ସମବାୟ କାର୍ଯ୍ୟାଳୟ ସମ୍ମୁଖରେ ସାର ପାଇଁ ଅପେକ୍ଷା କରିଥିବା ବେଳେ ସମ୍ପାଦକ କାର୍ଯ୍ୟାଳୟରେ ତାଲା ପକାଇ ଚାଲିଯାଇଥିଲେ । ପ୍ରତିବାଦରେ ଚାଷୀମାନେ ଉତ୍ତେଜିତ ହୋଇ ହୋହାଲ୍ଲା କରିଥିଲେ । ଏପରିକି ସମ୍ପାଦକ ଜଣକ ରବିବାର ରାତିରେ କିଛି ସମ୍ପର୍କୀୟ ଓ ବ୍ୟବସାୟୀ ଙ୍କୁ ସାର ବିକ୍ରୀ କରୁଥିବା ଦେଖିଥିଲେ । ସେ ୟୁରିଆ ସାର ବସ୍ତା ପ୍ରତି ୫ ଶହ ଟଙ୍କାରେ ବିକ୍ରୀ କରିଛନ୍ତି ବୋଲି ବହୁ ସଂଖ୍ୟକ ଚାଷୀ ଅଭିଯୋଗ କରିଛନ୍ତି । ଚାଷୀମାନେ ଦୀର୍ଘ ଦୁଇ ଘଣ୍ଟା ରାସ୍ତା ଅବରୋଧ କରି ଆନ୍ଦୋଳନ କରିବା ପରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ , ଦିଗପହଣ୍ଡି ପୁଲିସ ଟିମ୍ ପହଞ୍ଚି ଉତ୍ତେଜିତ ଚାଷୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଥିଲା । ପରବର୍ତ୍ତୀ ସମୟରେ ବ୍ରହ୍ମପୁର ସହକାରୀ ସମବାୟ ଉପ ପ୍ରବନ୍ଧକ , ତହସିଲଦାର ଏବଂ ପୁଲିସ ଉପସ୍ଥିତିରେ ଚାଷୀଙ୍କୁ ସାର ବଣ୍ଟନ କରାଯାଇଥିଲା ।