ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସ ନୀରବ: ଜିଲ୍ଲାପାଳଙ୍କ ନିକଟରେ ସୁରକ୍ଷା ଲୋଡିଲେ ମାନସ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଏକ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ମାର୍ଶାଘାଇ ଥାନା ପୋଲିସର ଉଦାସୀନତା ଯୋଗୁଁ ଆକ୍ରମଣକାରୀ ଜୀବନରେ ମାରିଦେବାକୁ ଧମକ ପରେ ଜିଲ୍ଲାପାଳଙ୍କ ନିକଟରେ ନିଜ ତଥା ପରିବାରର ସୁରକ୍ଷା ଲୋଡିଛନ୍ତି ମାନସରଞ୍ଜନ ଆଚାର୍ଯ୍ୟ। ଅଭିଯୋଗ ଅନୁଯାୟି କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ କରଞ୍ଜ ଗ୍ରାମର ନଳିନୀ କୁମାର ଆଚାର୍ଯ୍ୟଙ୍କ ପୁତ୍ର ମାନସରଞ୍ଜନ ଆଚାର୍ଯ୍ୟ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ଯେ ସେହି ପଞ୍ଚାୟତରେ ଚାଲିଥିବା ରାସ୍ତା ମରାମତି, ପୋଖରୀ ସଫେଇ, ଓମଫେଡ କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଇ ଦୁର୍ନୀତି କରାଯାଉଥିବା ଓ ଓପିିଟିସିଏଲର ସିମେଣ୍ଟ ଓ ରଡ ଚୋରୀ ଭଳି ଘଟଣାର ଚୁପ ରହିବାକୁ ବାଧ୍ୟ କରି ଏକ ରାଜନୈତିକ ଗୋଷ୍ଠିର କେତେକ ଯୁବକ ସଙ୍ଘବଦ୍ଧ ହୋଇ ଚଳିତମାସ ୧୭ତାରିଖରେ ମାନସରଞ୍ଜନଙ୍କୁ ଧମକ ଦେବା ସହ ମରଣାନ୍ତଙ୍କ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ମାନସରଞ୍ଜନଙ୍କ ବାମହାତଟି ଭାଙ୍ଗିଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକ ଓ ସାନଭାଇର ସହାୟତାରେ ମାନସରଞ୍ଜନ ପ୍ରଥମେ ମାର୍ଶାଘାଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅଧିକ ଚିକିତ୍ସା ନିମନ୍ତେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏସମ୍ପର୍କରେ ମାନସରଞ୍ଜନ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେବି ଅଦ୍ୟାବଧି ମାର୍ଶାଘାଇ ଥାନା ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ସେ ଅଭିଯୋଗ କରିଛନ୍ତି। ପରନ୍ତୁ ସଂପୃକ୍ତ ଆସାମୀ ମାନେ ମାର୍ଶାଘାଇ ଥାନାରେ ମାନସରଞ୍ଜନ ଓ ତାଙ୍କ ସାନଭାଇଙ୍କ ନାମରେ ମିଥ୍ୟା ଅଭିଯୋକରି ଏକ ମିଥ୍ୟା ମାମଲା ରୁଜୁ କରି ପୋଲିସ ଦ୍ୱାରା ଗିରଫ କରାଇବାକୁ ଧମକ ଦେଉଛନ୍ତି। ଏଥିସହିତ ମାନସରଞ୍ଜନ ଓ ତା’ର ପରିବାରକୁ ଜୀବବନରୁ ମାରିଦେବାକୁ ଆସାମୀମାନେ ଧମକ ଦେଇଥିବା ମାନସରଞ୍ଜନ ଅଭିଯୋଗ କରିଛନ୍ତି। ସେହିଦିନ ମାନସରଞ୍ଜନ ୧୧୨କୁ କଲ କରି ସମସ୍ତ କଥା ଜଣାଇଥିଲେବି ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରିନଥିଲା। ପୋଲିସର ଉଦାସୀନତା ଯୋଗୁଁ ଭବିଷ୍ୟତରେ ଯଦି ମାନସରଞ୍ଜନଙ୍କ ପରିବାରଜନଙ୍କ ଜୀବନହାନୀ ହେବାର ସମ୍ଭାବନା ରହିଛି। ତେଣୁ ମାନସରଞ୍ଜନଙ୍କ ପରିବାରବର୍ଗଙ୍କୁ ସୁରକ୍ଷା ଯୋଗାଇଦେବା ସହିତ ଉଭୟ ଘଟଣାର ନିରପେକ୍ଷ ତଦନ୍ତ କରାଯିବାକୁ ସେ ଦାବି କରିଛନ୍ତି। ନଚେତ ସେ ବୃଦ୍ଧ ପିତାମାତାଙ୍କ ଜୀବନରକ୍ଷା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ମାନସରଞ୍ଜନ ଏହି ଅଭିଯୋଗର ନକଲ ମୁଖ୍ୟମନ୍ତ୍ରୀ, ପୋଲିସ ମହାନିର୍ଦ୍ଦେଶକ, ଆରକ୍ଷୀ ଅଧୀକ୍ଷକଙ୍କୁ ପ୍ରଦାନ କରିଥିବା ଜଣାଇଛନ୍ତି।


