ବଢ଼ି ପାଣିରୁ ୧୪ମହିଳା ଓ ଗୋରୁ,ଛେଳିଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ହାଟଡ଼ିହି,(ଓ୍ବାଇଏନଏସ) : ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇବାରୁ ବନ୍ୟାପାଣି ଘେରରେ ଫସି ରହିଥିବା ଲଇଛଣପୂର ଗ୍ରାମର ୧୪ଜଣ ମହିଳା ୫୦ରୁ ଉର୍ଦ୍ଧ୍ୱ ଛେଳି, ଗୋରୁଙ୍କୁ ବ୍ଲକ ପ୍ରଶାସନ ଅଗ୍ନିଶମ ବାହିନୀ ସହଯୋଗରେ ଉଧାର କରିବାରେ ସଫଳ ହୋଇଛି। ସୁଚନା ଅନୁଯାଇ ଆଜି ଦିବା ପ୍ରାୟ ୧୨ଟା ସମୟରେ ଆମ୍ବୋ ପଞ୍ଚାୟତ ଲଇଛଣପୁର ଗ୍ରାମର ପାକନ ଦେହୁରୀ, ଖୁସି ଦେହୁରୀ, କାଳି ଦେହୁରୀ, ଲଳିତା ଦେହୁରୀ, ସଅଁରା ଦେହୁରୀ, ସତ୍ୟଭାମା ଦେହୁରୀ, ତୁଳା ଦେହୁରୀ, ସୁଭଦ୍ରା ଦେହୁରୀ, ଗୁଣ୍ଡୁଣୀ ଦେହୁରୀ, ଅନ୍ନପୂର୍ଣ୍ଣା ବେହେରା, ବିଳାସ ଖଟୁଆ, ମଙ୍ଗୁଳି ଦେହୁରୀ, ଜଟିଆ ଖଟୁଆ, କୋଦଣ୍ଡ ଦେହୁରୀ ୧୦୦ରୁ ଉର୍ଦ୍ଧ୍ୱ ଗୋରୁ, ଛେଳି ନେଇ ନଦୀ ତଟ ନିକଟରେ ଥିବା ମେଳା ପଡିଆକୁ ଚରାଇ ବାକୁ ନେଇଥିଲେ।  ହଠାତ୍ ବୈତରଣୀ ନଦୀରେ ପାଣି ମାଡ଼ି ଆସିଥିଲା l ପାଣିକୁ ଦେଖି ସେମାନେ କିଛି ଗୋରୁ, ଛେଳିଙ୍କୁ ଉଦ୍ଧାର କରିଥିବା ବେଳେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଛେଳି ଓ ୨୫ରୁ ଉର୍ଦ୍ଧ୍ୱ ଗୋରୁ ସହ ୧୪ଜଣ ଚରାଳି ନଦୀ ଗର୍ଭରେ ଫସି ଯାଇଥିଲେ l ଏନେଇ ଗ୍ରାମବାସୀ ମାନେ ତୁରନ୍ତ ପ୍ରଶାସନକୁ ଅବଗତ କରାଇଥିଲେ। ପ୍ରଶାସନ ତୁରନ୍ତ  ଅଗ୍ନିଶମ ବାହିନୀ ସହିତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଯୁବକଙ୍କ ସହାୟତାରେ ଫସି ରହିଥିବା ଗୋରୁ ଛେଳିଙ୍କ ସହ ୧୪ଜଣ ପୁରୁଷ ଓ ମହିଳା ଚରାଳିଙ୍କୁ ଉଦ୍ଧାର କରିଥିଲେ।   ଉଦ୍ଧାର ପ୍ରକ୍ରିୟାର ଘଡ଼ିସନ୍ଧି ମୁହୂର୍ତ୍ତରେ ହାଟଡ଼ିହି ମଣ୍ଡଳ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡ଼ା, ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତସିଂହାର, ବିଜେପି ନେତା ଯୁଦ୍ଧିଷ୍ଠିର ମଲ୍ଲିକ, କନିଷ୍ଠଯନ୍ତ୍ରୀ କ୍ଷେତ୍ରମୋହନ ମାରାଣ୍ଡି, ପିଇଓ ତୁଲାରାମ ମୁର୍ମୁ ପ୍ରମୁଖ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ତଦାରଖ କରିଥିଲେ l ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ଏଭଳି ବିପଦ ସମୟରେ ଅଗ୍ନିଶମ ବାହିନୀ ଉଦ୍ଧାର କରିବାକୁ ଯିବାବେଳେ ବୋଟର ମଟର ଅଚଳ ହୋଇପଡ଼ିଥିଲା। କର୍ମଚାରୀ ମାନେ ଅହୁଲା ମାରି  ବୋଟକୁ ଆଣି କୂଳରେ ଲଗାଇଥିଲେ। ଦୁଇ ଦିନ ହେଲା ବନ୍ୟା ଆଶଙ୍କାରେ ପ୍ରଶାସନ ସଜାଗ ରହିଥିବା ଡିଣ୍ଡିମ ପିଟୁଥିବା ବେଳେ ବୋଟର ମଟର ଅଚଳ ହୋଇପଡ଼ିବା ବିଭାଗର ପରିବା ପଣିଆକୁ ପଦାରେ ପକାଇଛି। ଆଗାମୀ ଦିନରେ ଯଦି ବନ୍ୟା ଆସେ ତେବେ ଏମାନେ କିପରି ଉଧାର କାର୍ଯ୍ଯ କରିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ