ମତ୍ସ ଓ ପ୍ରାଣୀ ସମ୍ପଦ ମେଳା ଏବଂ ମନ୍ତ୍ରୀଙ୍କ ଉଦଘାଟନ କାର୍ଯ୍ୟକ୍ରମ

ବୁଗୁଡ଼ା (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ ହାଇ ସ୍କୁଲ ପଡ଼ିଆରେ ବୁଗୁଡା ବ୍ଲକ ସ୍ତରୀୟ ମତ୍ସ ଓ ପ୍ରାଣୀସମ୍ପଦ ମେଳା ୨୦୨୫ ଡିସେମ୍ବର ୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ମତ୍ସ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଥିଲେ। ନିଜ ବକ୍ତବ୍ୟରେ ରୋଜଗାର ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଲୋକେ ନିଜ ଅଞ୍ଚଳରେ କୁକୁଡ଼ା, ଗୋପାଳନ ଓ ମାଛ ଚାଷ ଭଳି ବିଭିନ୍ନ ଲାଭଦାୟକ ଚାଷ ସରକାରୀ ସହାୟତା ଛାଡ଼ ଯୋଜନାରେ କରି ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ ଦେଇଥିଲେ। ବୁଗୁଡ଼ା ବ୍ଲକ ଓ ଏନଏସି ଅନ୍ତର୍ଗତ ସମସ୍ତ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବ୍ଲକ ସ୍ତରରେ ଏହି ମେଳାର ଆୟୋଜନ ହେଉଥିବା ପ୍ରକାଶ କହିଥିଲେ। ବୁଗୁଡ଼ା ବ୍ଲକ ଓ ଏନଏସି ର ସମସ୍ତ ଚାଷୀଙ୍କ ପାଖରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ର ସମସ୍ତ ଜନହିତକର ଯୋଜନା ପହଞ୍ଚାଇବା ପାଇଁ ସବୁ ସ୍ଥରରୁ ଉଦ୍ୟମ ଜାରୀ ରହି ପ୍ରତ୍ୟେକ ଗରିବ ଲୋକଙ୍କୁ ଏଥିରେ ସାମିଲ କରାଯିବାକୁ ପ୍ରକାଶ କରିଥିଲେ। ଗଞ୍ଜାମ ଜିଲ୍ଲାରେ ବୁଗୁଡ଼ା ବ୍ଲକର ସର୍ବାଧିକ ଏକ ହଜାର ରୁ ଅଧିକ ଲୋକଙ୍କୁ ମାଛ ଚାଷରେ ସାମିଲ କରିବାକୁ ଯୋଜନା ରହିଛି ବୋଲି ପ୍ରକାଶ କରିଥିଲେ। ଚାଷୀ ଭାଇମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବା ସହିତ ଅନ୍ତୋଦୟ ଯୋଜନାରେ ୫୫୦ ଜଣ, ବିଭିନ୍ନ ଭତ୍ତା ପାଇଁ ୨୯୦ ଜଣ, ପୂର୍ବ ପୁରୁଷଙ୍କ ନାମରୁ ସଂଶୋଧନ କରାଯାଇ ପ୍ରାୟ ୫୦୦୦ ଜଣଙ୍କୁ ପଟ୍ଟା, ୨୨ ଜଣଙ୍କୁ ଗ୍ରାମକଣ୍ଟକ ପଟ୍ଟା, ବସୁନ୍ଧରା ଯୋଜନାରେ ୭୧ ଜଣଙ୍କୁ ପଟ୍ଟା, ୨୭ ଟି ସ୍କୁଲକୁ ପଟ୍ଟା ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରଦାନ କରିଥିଲେ। ବୁଗୁଡ଼ା ବ୍ଲକରୁ ବହୁ ହିତାଧିକାରୀଙ୍କୁ କାମଧେନୁ ଯୋଜନରେ ସାମିଲ ହୋଇଥିବା ଓ ପ୍ରତ୍ୟକ ପଞ୍ଚାୟତରେ କ୍ଷୀରଧାରା କେନ୍ଦ୍ରର ବ୍ୟବସ୍ଥାରେ ଓମଫେଡ କୁ ବିକ୍ରି କରାଇବା ପାଇଁ ପାଙ୍ଗିଡି ଗ୍ରାମରେ ଏକ ପ୍ରକଳ୍ପର ଆରମ୍ଭ ପାଇଁ ପ୍ରସ୍ତାବ ଥିବା ପ୍ରକାଶ କରିବା ସହ ପ୍ରଣୀଧନ ଚିକିତ୍ସାଳୟରେ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ଗୃହକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଉଦଘାଟନ କରିଥିଲେ। ହୋଇଥିବା ବେଳେ ବୟସ୍କ ଗାଈ ପାଇଁ ୨୦ ହଜାର ଟଙ୍କାର ଗୋ ଦାନାର ବ୍ୟବସ୍ଥା ଓ ମାଈ ବାଛୁରୀ ପାଇଁ ଘାସ ଚାଷ ବାବଦରେ ୩୫ ହଜାର ଟଙ୍କା ଏକର ପିଛା ଦିଆଯିବାର ବ୍ୟବସ୍ଥା ହୋଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ଅନ୍ୟପଟେ ଯୁବକଙ୍କୁ ଉଦ୍ୟୋଗୀ ପାଇଁ ୫କୋଟିର ଋଣ ବ୍ୟବସ୍ଥା ଓ ମହିଳା ମାନଙ୍କ ପାଇଁ ମହମବତୀ, ଧୂପକାଠି, ମସଲା ପ୍ରସ୍ତୁତି, ବୟୋଫ୍ଲକ ଜରିଆରେ ମାଛ ଚାଷ ଭଳି ୧୧୪ ରୁ ଉର୍ଦ୍ଧ ଯୋଜନାରେ ମହିଳାଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ପରାମର୍ଶ ଦେଇଥିଲେ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ. ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ସାଂସଦ ପ୍ରତିନିଧି ଉତ୍ତମ କୁମାର ଦାସ, ବୁଗୁଡା ବିଡ଼ିଓ ଦୁତିକୃଷ୍ଣ ପାତ୍ର, ବୁଗୁଡା ତହସିଲଦାର ତାପସ ରାଉତ, ସିଡିପିଓ ବବିତା କୁମାରୀ ପଣ୍ଡା, ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ଭାରତ ଭୂଷଣ ସାହୁ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଅଞ୍ଜନ କୁମାର ଦାସ ଅତିଥି ଭାବେ ଯୋଗଦେଇଥିଲେ। ବୁଗୁଡା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଶୁଭ୍ରାଂଶୁ ଶେଖର ରାଉତ ଅଧ୍ୟକ୍ଷତା କରିଥିବା ବେଳେ ସହକାରୀ ମତ୍ସ୍ୟ ବିଭାଗ ଅଧିକାରୀ  ସାର୍ଥକ ସିଦ୍ଧାର୍ଥ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ମନ୍ତ୍ରୀ ଓ ବିଭଗୀୟ ଅଧିକାରୀ ବୃନ୍ଦ ଆୟୋଜିତ ହୋଇଥିବା ଷ୍ଟଲ ପରିଦର୍ଶନ କରିବା ସହ ମାଣ୍ଡିଆରେ ପ୍ରସ୍ତୁତ ସ୍ୱାଦିଷ୍ଟ ଖାଦ୍ୟ ଖାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ