୭୨ଘଣ୍ଟା ଭିତରେ ୫ପାଞ୍ଚଟି ଲୁଟ, ପୁଲିସକୁ ଖୋଲା ଚ୍ୟାଲେଞ୍ଜ
ହାଟଡିହି (ବିକାଶ ବିଶ୍ବାଳ): ପୋଲିସ୍ କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। ଆନନ୍ଦପୁର ଉପଖଣ୍ଡରେ ୭୨ଘଣ୍ଟା ଭିତରେ ୫ ପାଞ୍ଚଟି ଲୁଟ ହୋଇଛି। ପୁଲିସ ବର୍ତମାନ ସୁଦ୍ଧା ଗୋଟିଏ ଲୁଟର ସନ୍ଧାନ ପାଇ ପାରିନି। ଯେଉଁଥି ପାଇଁ ଲୋକେ ପୁଲିସ ଉପରୁ ଆସ୍ଥା ହରାଇ ସାରିଲେଣି। ଅପରାଧୀ ମାନେ ଗୋଟିଏ ପରେ ଗୋଟିଏ ଲୁଟ କରି ଚାଲିଥିବା ବେଳେ ଜଣେ ହେଲେବି ଧରା ନପଡ଼ିବା ପୁଲିସର ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୁରୁବାର ବିଳମ୍ବିତ ରାତିରେ ଆନନ୍ଦପୁର ଥାନା ବଞ୍ଚୋ ଛକରୁ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୃର୍ବୁତ୍ତ। ବଞ୍ଚୋ ଛକର ମାର୍କଣ୍ଡ ଓଝାଙ୍କ ଘରର ଝରକା ଗ୍ରୀଲ ଭାଙ୍ଗି ଦୁର୍ବୃତ୍ତ ମାନେ ଭିତରେ ପସି ଗୋଟିଏ ସୁନା ଚେନ, ତିନୋଟି ମୁଦି, ଦୁଇ ହଳ ଶାଙ୍ଖୀ, ତିନୋଟି ଲକେଟ, ରୂପା ପାଉଁଜି ସମେତ ନଗଦ ୫ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟ କରିନେଇଛନ୍ତି। ପାଖ ଘରେ ଓ ଉପର ଘରେ ପରିବାର ଲୋକେ ସମସ୍ତେ ଥିଲେବି କେହି ଲୁଟ ସମ୍ପର୍କରେ ଜାଣି ପାରିନଥିଲେ। ସକାଳୁ ପରିବାର ଲୋକେ ଉଠିବା ପରେ ଝରକା ଭଙ୍ଗା ହୋଇଥିବା ଦେଖି ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ। ସମ୍ମୁଖ ଭାଗରେ ସି ସି କ୍ୟାମେରା ଲାଗିଥିବାରୁ ଲୁଟେରା ମାନେ ସିସିଟିଭି ନଜରରୁ ବର୍ତିବା ପାଇଁ ସମ୍ମୁଖ ଭାଗକୁ ଯାଇ ନାହାନ୍ତି। ଏନେଇ ଅଭିଯୋଗ ହେବା ପରେ ଆନନ୍ଦପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଖବରପାଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଘଟଣାସ୍ଥଳରେ ପହଞ୍ଚି ଏସ୍ ପି ଙ୍କ ସହିତ କଥା ହେବା ପରେ ଅଟିରିକ୍ତ ଏସପି ମନୋଜ ରାଉତ, ଆନନ୍ଦପୁର ଏସ ଡି ପି ଓ ପ୍ରସାନ୍ତ ବେହେରା, ଆନନ୍ଦପୁର, ନନ୍ଦିପଦା ଥାନା ଆଇଆଇସି ପ୍ରମୁଖ ପହଞ୍ଚି ଫୋରେନ୍ସିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛନ୍ତି। ସଂଧାନୀ କୁକୁର କିଛି ବାଟ ଚକର କାଟିବା ପରେ ଫେରି ଆସିଥିଲା। ଗତ ୭୨ଘଣ୍ଟା ଭିତରେ ୫ପାଞ୍ଚଟି ଲୁଟ ଘଟଣା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ମଙ୍ଗଳବାର ରାତିରେ ନନ୍ଦିପଦା ଥାନା ନାହାଳିଆ ଗ୍ରାମରୁ ବିଶ୍ବନାଥ ନାୟକଙ୍କ ଘରୁ ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ବେଳେ ସେହି ରାତିରେ ରାମଚନ୍ଦ୍ରପୁର ଥାନା ଅଳତୀ ଗ୍ରାମରୁ ଦୁଇଜଣଙ୍କ ଘରୁ ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ ହୋଇଥଲା। ବୁଧବାର ରାତିରେ ସୋସୋ ଥାନା ଝୁଣାବାଡିର ଏକ ମନ୍ଦିର ଓ ମହୁଲପଙ୍ଖାର ଏକ ଦୋକାନରୁ ଲୁଟ ହୋଇଥିବା ବେଳେ ଗୁରୁବାର ଶାଳଣିଆରୁ ଜଣେ ଔଷଧ ବିତରକଙ୍କ ବାଇକ୍ ଡିକି ଭାଙ୍ଗି ୪୦ହଜାର ଲୁଟ ଘଟଣା ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଖାଲି ଏତିକି ନୁହଁ ଗତ ୬ମାସ ଭିତରେ ଛେନା ପଦି ଛକରୁ ଦୁଇଟି, କୁଣ୍ଡିସହି ଗ୍ରାମରେ ଗୋଟିଏ, ହାଟଡିହି ରୁ ଗୋଟିଏ ଝରକା ଗ୍ରୀ ଲ ଭାଙ୍ଗି ଲୁଟ ଘଟଣା ଘଟିଥିଲା। କିନ୍ତୁ ପୁଲିସ୍ ଗୋଟିଏ ବି ଲୁଟ ର ସନ୍ଧାନ ପାଇବାରେ ବିଫଳ ହୋଇଛି। ବାରମ୍ବାର ଏପରି ଘଟଣାକୁ ଗୁରୁତର ସହିତ ନେଇଛି ଜିଲ୍ଲା ପୋଲିସ। ଅତିରିକ୍ତ ଏସପି, ଏସଡିପିଓ, ଏବଂ ବିଭିନ୍ନ ଥାନାର ଆଇ.ଆଇ. ସି ପ୍ରମୁଖ ଉପସ୍ଥିତ ରହି ସାଇଣ୍ଟଫିକ ଟିମ୍ ଓ ସନ୍ଧାନି କୁକୁର ସହଯୋଗରେ ତଦନ୍ତ ଚଳାଇଛି। ଚୋର ମାନେ ସ୍ଥାନୀୟ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି। ଅତିଶୀଘ୍ର ଆସାମୀ ମାନଙ୍କୁ ଧରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି ମନୋଜ ରାଉତ।