ବୈତରଣୀ ନଦୀରେ ବନ୍ୟା: ଭଣ୍ଡାରିପୋଖରୀ ବ୍ଲକର ବହୁ ଗ୍ରାମ ପାଣି ଘେରରେ
ଭଦ୍ରକ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରେ ବନ୍ୟା ଆସି ବହୁ କ୍ଷୟକ୍ଷତି ଘଟାଇଛି । ଶନିବାର ସନ୍ଧ୍ୟାରେ ଏହି ବନ୍ୟା ଜଳ ଷୋଳମପୁର ପଞ୍ଚାୟତର କଣ୍ଟି ଏସକେପ ଅତିକ୍ରମ କରି ମାଳଦା, ଷୋଳମପୁର, ରହଣିଆ, କୋରିଗାଁ, ନପଙ୍ଗ ପଞ୍ଚାୟତକୁ ମାଡି ଆସିଥିଲା । ରବିବାର ସକାଳେ ଭଣ୍ଡାରିପୋଖରୀ-ଯାଜପୁରକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଷୋଳମପୁର ପଞ୍ଚାୟତର ଖପୁରିଆପଦା ଏବଂ ଜଳହରି ଠାରୁ ଆନନ୍ଦପୁରକୁ ସଂଯୋଗ କରୁଥିବା ଆର.ଡି ରାସ୍ତା ଉପରେ ୩ ଫୁଟ ଉଚ୍ଚତାରେ ପାଣି ଚାଲୁଥିବାର ଦେଖାଯାଇଥିଲା । ବନ୍ୟା ଜଳରେ ମାଳଦା ପଞ୍ଚାୟତର ଜଳହରି, ସାରଣା ଜଳମଗ୍ନ ହୋଇଯାଇଥିଲା । ଫଳରେ ବିରୋଳୀ ଶାସନ ଓ ଷଠଗାଁର ଲୋକ ମାନେ ମୁଖ୍ୟରାସ୍ତାକୁ ବାହାରି ପାରିନଥିଲେ । ଷୋଳମପୁର ପଞ୍ଚାୟତର ଟିଖିଲିଆ ଓ ଦାଣ୍ଡକୂଳକୁ ସଂଯୋଗ କରୁଥିବା ଗେଙ୍ଗୁଟି ନଦୀର ପୋଲ ବନ୍ୟା ଜଳରେ ଭୁଷୁଡି ପଡିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି । ଆଖୁଆପଦା ଠାରେ ପାଣି କମି ଯାଇଥିଲେ ମଧ୍ୟ ତଳିଆ ଅଞ୍ଚଳ ଗୁଡିକରେ ପାଣି ବଢୁଥିବାର ଦେଖାଯାଇଥିଲା । ସେହିପରି ଶନିବାର ସନ୍ଧ୍ୟାରେ ବନ୍ଦାଳୋ-ମଢିଆଳି ପଞ୍ଚାୟତର ଖପୁରିଆପଦା ଶଂଖମୁଣ୍ଡ ନାଳ ଦେଇ ଗାଁ ମଧ୍ୟକୁ ବନ୍ୟା ଜଳ ପ୍ରବେଶ କରିଥିଲା । ଭଣ୍ଡାରିପୋଖରୀ-ଯାଜପୁର ରାସ୍ତା ବୁଡି ଯାଇଥିବା ବେଳେ ରବିବାର ମଧ୍ୟାହ୍ନ ସୁଦ୍ଧା ପାଣି କମି ଯାଇଥିବା ସୂଚନା ମିଳିଛି । ମାତ୍ର ବିରୋଳୀ, ଟିଖିଲିଆ, ଦାଣ୍ଡକୂଳ, ଚର୍ତୁଭୁଜପୁର, ବରାହ ନୂଆପଡା ଆଦି ଗ୍ରାମ ଗୁଡିକ ପାଣି ଘେରରେ ଥିବା ସୂଚନା ମିଳିଛି । ବିଶେଷକରି ଏହି ବନ୍ୟା ମାଳଦା, ରହଣିଆ, ଷୋଳମପୁର, କୋରିଗାଁ ଆଦି ପଞ୍ଚାୟତକୁ ପ୍ରଭାବିତ କରିଛି । ଏହି ବନ୍ୟା ଫଳରେ ଧାନ ଚାଷ ଓ ପରିବା ଚାଷ ଗୁଡିକ ପ୍ରଭାବିତ ହୋଇଥିବା ବେଳେ କିଛି ଗ୍ରାମ୍ୟ ରାସ୍ତା ମଧ୍ୟ ପ୍ରଭାବିତ ହୋଇଛି । ଟିଖିଲିଆ ନିକଟରେ ଗେଙ୍ଗୁଟି ନଦୀ ଉପରେ ଥିବା ପୋଲ ଭୁସୁଡି ପଡିବା ଯୋଗୁ ପ୍ରାୟ ୧ ହଜାରରୁ ଅଧିକ ଲୋକ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛନ୍ତି । ସେଠାରେ ପ୍ରଶାସନ ପହଞ୍ôଚ ସେମାନଙ୍କୁ ସୁରକ୍ଷିତ ଭାବରେ କିପରି ଥଇଥାନ କରାଯାଇ ପାରିବ ଏବଂ ସେଠାରେ କିପରି ଅସ୍ଥାୟୀ ପୋଲଟିଏ ତିଆରି ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି । ବନ୍ୟାର ପରବର୍ତ୍ତୀ ସମୟରେ ଷୋଳମପୁର, ମଣିନାଥପୁର, ବରାହ ନୂଆପଡା, ବିରୋଳୀ, ମାଳଦା, ଜଳହରି, ରହଣିଆ, ନୌରଙ୍ଗପୁର ଆଦି ଅଞ୍ଚଳରେ ଧାନ ତଳି ଗୁଡିକ ନଷ୍ଟ ହୋଇ ଯାଇଛି । ସେହିପରି ବର୍ଷା ଦିନିଆ ପରିବା ଚାଷ ମଧ୍ୟ ପ୍ରଭାବିତ ହୋଇଛି । ଏସବୁ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଲୋକ ମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସମାଜସେବୀ ଦୁର୍ଯ୍ୟୋଧନ ଲେଙ୍କା ଦାବୀ କରିଛନ୍ତି । ସେହିପରି ରବିବାର ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଭଣ୍ଡାରିପୋଖରୀ ବିଧାନ ସଭା ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ, ପୂର୍ବତନ ଜିଲା ବିଜେପି ସଭାପତି ବଦ୍ରୀ ନାରାୟଣ ଧଳ, ଅକ୍ଷୟ କୁମାର ସାହୁଙ୍କ ସମେତ ବିଭିନ୍ନ ଦଳର ନେତୃତ୍ୱ ଓ ଜନପ୍ରତିନିଧି ମାନେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହିତ ଲୋକ ମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଜିଲା ପ୍ରଶାସନ ସହ ଯୋଗାଯୋଗ କରିଥିବା ଜଣାଯାଇଛି ।