କୋଚିଳା ନଦୀରେ ପୁଣି ବନ୍ୟା:୩ ପଞ୍ଚାୟତର ୧୦ ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
ଆରଡି,( ଆଲୋକ ଚନ୍ଦ୍ର ନାୟକ ) : ବୈତରଣୀ ଓ ଏହାର ଶାଖାନଦୀ କୋଚିଳାରେ ପୁଣି ଆସିଛି ବନ୍ୟା । ବନ୍ୟାକୁ ନେଇ ହସନାବାଦ ପଞ୍ଚାୟତର ଅନଳଡିହ, ଅସ୍ତକ, ତଳ ଅସ୍ତକ, ହସନାବାଦ, ବନବାଗ, ମଠସାହି, ଅର୍ଜୁନପୁର ପଞ୍ଚାୟତର ମମଦୁଲା, ବାଲିପାଟଣା, ଶଇଲୋ, ପଧାନୀ ପଞ୍ଚାୟତର ଉପର ଶଇଲୋ ଗାଁର ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି । ଏହି ସବୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଛି । ଉପର ଶଇଲୋ ନିକଟରେ ନଦୀବନ୍ଧ ଫାଟ ହେବାକୁ ସାତ ଦିନ ପୁରିନି।କୋଚିଳା ନଦୀରେ ବନ୍ୟା ଆସିଛି । ଯାହାକୁ ନେଇ ଏହି ଗାଁର ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି । ଗତକାଲି ଠାରୁ ନଦୀବନ୍ଧ ଫାଟ ସ୍ଥାନରେ ଜଳ ସମ୍ପଦ ବିଭାଗ ପକ୍ଷରୁ କାଠ ବହ୍ଲା ପିଟି ବାଲିବସ୍ତା ଦେଇ ବନ୍ୟା ନିୟନ୍ତ୍ରଣ ଲାଗି ଉଦ୍ୟମ ଜାରି ରଖିଛି । ନଈସୁଅକୁ ବାଲିବନ୍ଧ କହିବା ସହ ବିଭାଗ ଅଧିକାରୀଙ୍କ ଶାଗ କିଆରୀ ସାଜିଥିବା ଏହି ବନ୍ଧ କେଉଁ ମୁହୂର୍ତ୍ତରେ ଭାଙ୍ଗି ଯାଇପାରେ ବୋଲି ଗ୍ରାମବାସୀ ଆଶଙ୍କା କରିଛନ୍ତି । ନଦୀବନ୍ଧ ଫାଟିଥିବା ସ୍ଥାନର ୨୦୦ ମିଟର ଦୂରରେ ଅର୍ଜୁନପୁର ପଞ୍ଚାୟତର ଶଇଲୋ ପାଖରେ ଏକ ଘଳିଆ ସୃଷ୍ଟି ହୋଇଛି ଯାହାକୁ ଗ୍ରାମବାସୀ ମାନେ ବାଉଁଶ କାଟି ବାଲିବସ୍ତା ପକାଇ ବନ୍ଦ କରିବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି । ନଦୀବନ୍ଧ ନିକଟରେ ଜଳସମ୍ପଦ ବିଭାଗର ଚିଫ୍ ଇଞ୍ଜିନିୟର ବିଘ୍ନରାଜ ପୁରୋହିତ, ଏସ୍.ଇ. ଶରତ ଚନ୍ଦ୍ର ଘଡେଇ, ଜେ.ଇ. ବିମଲ ବେହେରା ପହଞ୍ଚି ସ୍ଥିତି ପରଖି ଫେରିଛନ୍ତି । ଏପଟେ ବନ୍ୟା ଯୋଗୁଁ ଶହଶହ ପରିବାର ପ୍ରଭାବିତ ହୋଇଛନ୍ତି । ଗାଁ ରାସ୍ତା, ଘରଦ୍ବାର, ଗୋରୁ ଗୁହାଳ ଓ ବିଲବାଡିରେ ବନ୍ୟାଜଳ ପଶି ଯାଇଛି । ବହୁ ପରିବାର ନଦୀବନ୍ଧରେ ପଲିଥିନ ଟାଣି ନିଜର ଗୃହପାଳିତ ପଶୁଙ୍କ ସହ ଆଶ୍ରୟ ନେଇଛନ୍ତି । ବନ୍ୟାଯୋଗୁ ହସନାବାଦ – ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଭଦ୍ରକ ଜିଲାପାଳ ଦୀଲିପ ରାଉତରାୟ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଧାମନଗର ବିଡିଓ ବନବିହାରୀ ଧୀନ୍ଦା ଯାଜପୁର ଦେଇ ହସନାବାଦ ପଞ୍ଚାୟତର ବନ୍ୟା ପ୍ରଭାବିତ ମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ପରିସ୍ଥିତି ଦେଖିଥିଲେ । ଧୂଷୁରୀ ଜିଲା ପରିଷଦ ଜୋନ ସଭ୍ୟ ପ୍ରଦୀପ ମଲ୍ଲିକ, ହସନାବାଦ ସରପଞ୍ଚ ଅଜୟ ମଲିକ ବନ୍ୟା ନିୟନ୍ତ୍ରଣ ପାଇଁ ଘେରିବନ୍ଧ ପ୍ରତିଷ୍ଠା କରିବାକୁ ଜିଲାପାଳଙ୍କୁ ଭେଟି କହିଥିଲା ବେଳେ ଜିଲାପାଳ ଏହା ଖୁବଶୀଘ୍ର ନିର୍ମାଣ ହେବାର ପ୍ରତିଶ୍ରୁତି ଦେଇଛନ୍ତି ।