ଚାରା ବଣ୍ଟନ କେନ୍ଦ୍ର ଉଦଘାଟିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୬ ତମ ବନ ମହୋତ୍ସବ ଅବସରରେ ମଙ୍ଗଳବାର ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଅସ୍ଥାୟୀ ଚାରା ବଣ୍ଟନ କେନ୍ଦ୍ର ଉଦଘାଟିତ ହୋଇଯାଇଛି।ଫରେଷ୍ଟର ସନ୍ତୋଷ କୁମାର ବିଷୋୟୀ ରତ୍ନ ଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଅତିଥି ଭାବେ ଯୋଗଦେଇ ଚାରା ବଣ୍ଟନ କେନ୍ଦ୍ର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ପରେ ସେ ହରି ଜେନା ନାମକ ଜଣେ ଚାଷୀ ଙ୍କୁ ୧ ଟଙ୍କା ବିନିମୟରେ ବୃକ୍ଷ ଚାରା ପ୍ରଦାନ କରିଥିଲେ।ସେହିପରି ଭ୍ରାମ୍ୟମାଣ ଚାରା ବିକ୍ରୟ ରଥ କୁ ରେଞ୍ଜର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରଥ ଟି ଆଙ୍କୋରଡା , ଅନଙ୍ଗପୁର , କୁଶପଡା , ପତାଣ୍ଡ ଗ୍ରାମ ପରିଭ୍ରମଣ କରି ବନ କର୍ମଚାରୀ ଙ୍କ ଉପସ୍ଥିତିରେ ଲୋକଙ୍କୁ ଚାରା ପ୍ରତି ୧ ଟଙ୍କା ମୂଲ୍ୟରେ ୨ ଶହରୁ ଊର୍ଦ୍ଧ୍ବ ଚାରା ପ୍ରଦାନ କରାଯାଇଥିଲା । ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଚଳିତବର୍ଷ ୨ ଲକ୍ଷରୁ ଉର୍ଦ୍ଧ୍ବ ଚାରା ବିଭିନ୍ନ ନର୍ସରୀ ରେ ପ୍ରସ୍ତୁତ କରାଯାଇ ଲୋକଙ୍କୁ ବଣ୍ଟନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ରେଞ୍ଜର କହିଛନ୍ତି। ବର୍ଷା ଋତୁରେ ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଆଗାମୀ ଦିନରେ ଅଧିକରୁ ଅଧିକ ଚାରା ରୋପଣ କରି ସବୁଜ ପରିବେଶ ସହ ସୁସ୍ଥ ଜୀବନ ଗଢିବା ପାଇଁ ଚାରା ରୋପଣର ଆବଶ୍ୟକତା ରହିଛି ବୋଲି ବନବିଭାଗ ପକ୍ଷରୁ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ବନ କର୍ମଚାରୀ ସହଯୋଗ କରିଥିଲେ ।