ଉଦଘାଟିତ ହେଲା ଗୋବରା ଠାରେ ନିର୍ମିତ କୋଷ୍ଟ କେନାଲ ଉପରେ ପାଦଚଲା ସେତୁ

ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୁଆଁଳ ଓ ଓଲନ୍ଦା ସାରଗାଁ ପଂଚାୟତରେ ଏକାଧିକ ଜନକଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ ମାଧ୍ୟମରେ ଜନସାଧାରଣଙ୍କ ପାଇଁ ବିକାଶର ପଥ ପ୍ରଶସ୍ତ କରିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ ଆୟୋଜିତ ପୃଥକ ପୃଥକ କାର୍ଯ୍ୟକ୍ରମରେ ପ୍ରଥମେ ବୁଆଁଳ ଗ୍ରାମ ପଂଚାୟତର ପାର୍ଦ୍ଦିପା ଠାରେ ବାଲେଶ୍ୱର ସଦର ପଂଚାୟତ ସମିତି ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ୪ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ପାର୍ଦ୍ଦିପା ରାଧାକୃଷ୍ଣ କମ୍ୟୁନିଟି ସେଂଟରର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ବିଧାୟକ ଶ୍ରୀ ଦତ୍ତ । ପରେ ଓଲନ୍ଦା ସାରଗାଁ ଗ୍ରାମ ପଂଚାୟତର ଟିଆଖିଆ ଛକ ନିକଟ ଗୁଡୁଦା ଛକ ଠାରେ ଟିଆଖିଆ – ସୋଲପଟା ଓ ଗୁଡୁଦା ଛକ ଆଦିବସୀ ସାହି ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ଶୁଭ ଦିଆଯାଇଥିଲା । ଜଳସମ୍ପଦ ବିଭାଗ ପକ୍ଷରୁ ହାତକୁ ନିଆଯାଇଥିବା ଏହି ପ୍ରକଳ୍ପ ପାଇଁ ଏକ କୋଟି ୯୬ଲକ୍ଷ ୪୭ହଜାର ଟଙ୍କା ଖର୍ଚ୍ଚ ଅଟକଳ ହୋଇଛି । ଏହା ପରେ ବିଧାୟକ ଶ୍ରୀ ଦତ୍ତ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଅନ୍ତର୍ଗତ ୩ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଓଲନ୍ଦା ସାରଗାଁ ପଂଚାୟତର ଗୁଡୁଦା ୟୁଜି ୟୁପି ସ୍କୁଲର ନୂତନ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ସେହିପରି ଓଲନ୍ଦା ସାରଗାଁ ପଂଚାୟତର ଅନ୍ୟ ଏକ ବହୁ ପ୍ରତିକ୍ଷିତ ପ୍ରକଳ୍ପ ଭାବେ ସ୍ଥାନୀୟ ଅଂଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ବଡ ଗୋବରା ଠାରେ ନିର୍ମିତ କୋଷ୍ଟ କେନାଲ ଉପରେ ପାଦଚଲା ସେତୁର ଉଦଘାଟନ କରିଥିଲେ ବିଧାୟକ ଶ୍ରୀ ଦତ୍ତ । ଜଳସମ୍ପଦ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୪୪ଲକ୍ଷ ୨୪ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଅନୁରୂପ ଭାବେ ବାଲେଶ୍ୱର ସଦର ପଂଚାୟତ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହୟତା ଯୋଜନା ଅନ୍ତର୍ଗତ ୨ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ମହାପଦା ଭଗବତୀ କମ୍ୟୁନିଟି ସେଂଟର, ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଅନ୍ତର୍ଗତ ୫ଲକ୍ଷ ୫୫ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ମହାପଦା ଠାରେ ମା ପରମବୈଷ୍ଣବୀଣୀ ନୂତନ ଭୋଗ ମଣ୍ଡପ, ବିଧାୟକଙ୍କ ହାତପାଣ୍ଠି ଅନୁଦାନରୁ ୨ଲକ୍ଷ ଟଙ୍କା ଓ ପଂଚଦଶ ସିଏଫସି ଅନୁଦାନରୁ ୩ଲକ୍ଷ ୫୦ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ମା ପରମ ବୈଷ୍ଣବୀ କମ୍ୟୁନିଟି ସେଂଟର ନିର୍ମାଣ ପାଇଁ ବିଧାୟକ ଶ୍ରୀ ଦତ୍ତ ଶିଳାନ୍ୟାସ କରିଥିଲେ ।  ରାଜ୍ୟର ଲୋକପ୍ରିୟ ତଥା ଲୋକଙ୍କ ସରକାର ଲୋକଙ୍କ ହିତ ପାଇଁ ସର୍ବଦା ପ୍ରୟାସରତ ଅଛନ୍ତି ବୋଲି ଶ୍ରୀ ଦତ୍ତ ଏହି ଅବସରରେ ମତ ଦେଇଛନ୍ତି । ଉତ୍ତମ ଗୁଣବତ୍ତା ଓ ସଠିକ୍ ମାନଦଣ୍ଡରେ ସମସ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ବୁଆଁଳ ସରପଂଚ ଜିତେନ ଜେନା, ସମିତି ସଭ୍ୟ ମାୟାଧର ମହାଳିକ, ଓଲନ୍ଦା ସାରଗାଁ ସରପଂଚ ଆରତୀ ଦାସ, ସମିତି ସଭ୍ୟା ରଶ୍‌ମିତା ନାୟକ, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, କାର୍ତ୍ତିକ ରାଉତ ପ୍ରମୁଖ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବୁଆଁଳ ପଂଚାୟତର ଶ୍ରୀକାନ୍ତ ମହାପାତ୍ର, ଅନାଦି ସାହୁ, ଶଶିକାନ୍ତ ବାରିକ, ସନ୍ତୋଷ ଦଳେଇ, ଉମାକାନ୍ତ ରାଉତ, ଓଲନ୍ଦା ସାରଗାଁ ପଂଚାୟତର ପୀତାମ୍ବର ଭୂୟାଁ, ବିଷ୍ଣୁପଦ ପ୍ରଧାନ, ରଘୁନାଥ ପ୍ରଧାନ, କାର୍ତ୍ତିକ ଚନ୍ଦ୍ର ଜେନା, ତପନ କୁମାର ଦାସ, ମନ୍ମଥ ରାଉତ ପ୍ରମୁଖ ସ୍ଥାନୀୟ ଅଂଚଳବାସୀ ପଂଚାୟତରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ବେଶ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନଙ୍କ ଦୀର୍ଘ ଦିନର ଆଶା ପୂରଣ ହେବ ବୋଲି ଲୋକେ ଆଶା ପ୍ରକାଶ କରିଛନ୍ତି । ନିର୍ବାଚନ ସମୟର ପ୍ରତିଶୃତି ରକ୍ଷା କରିବାକୁ ବିଧାୟକ ମାନସ ଦତ୍ତଙ୍କ ପଦକ୍ଷେପକୁ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ