ବନବିଭାଗ ୨ ଲକ୍ଷ ଚାରାରୋପଣ କରିବା ସକାଶେ ଲକ୍ଷ୍ୟଧାର୍ଯ୍ୟ
ଆସିକା (ୱାଇଏନ୍ଏସ୍) ଆସିକା ବନବିଭାଗ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ଅଞ୍ଚଳରେ ବନବିଭାଗ ୧ ଲକ୍ଷ ଚାରାରୋପଣ ଓ ୧ ଲକ୍ଷ ଚାରା ବଣ୍ଟନ କରିବା ଲାଗି ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ପରାମର୍ଶ କ୍ରମେ ଆସିକା ବନପାଳ ଶରତ ଚନ୍ଦ୍ର ବେହେରା, ଶେରଗଡ ବନପାଳ ରାଜେନ୍ଦ୍ର କୁମାର ଗୌଡ, ଷଡଙ୍ଗୀପଲ୍ଲୀ ବନପାଳ ପି.ସୁରଜ କୁମାର, ଧରାକୋଟ ବନପାଳ ଲାଜୁ ଶବରଙ୍କ ସମେତ ବନବିଭାଗର କର୍ମଚାରୀମାନେ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ସହିତ ଲଣ୍ଡା ପାହାଡରେ ସବୁଜିମା ସୃଷ୍ଟି, ଔଷଧୀୟ ଚାରାରୋପଣ, ଜଙ୍ଗଲ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ମାନ ହାତକୁ ନେଇଥିବା ଲକ୍ଷ୍ୟ କରାଯାଇଛି । ଶେରଗଡ ସେକ୍ସନ୍ର ଆମ୍ବୁଆବାଡି, ଷଡଙ୍ଗିପଲ୍ଲୀ ସେକ୍ସନ୍ର କରଡାକଣା, ମଥୁରା ଓ ଗମ୍ଭାରୀଗୁଡା, ଆସିକା ସେକସନ୍ର ବାବନପୁର, ଧରାକୋଟ ସେକ୍ସନର ବରଡାବିଲି ସ୍ଥିତ ନର୍ସରୀରୁ ଉତ୍ପାଦିତ ଚାରାକୁ ଆସିକା ବନବିଭାଗ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ଅଞ୍ଚଳରେ ପ୍ରାୟ ୨୦୦ ହେକ୍ଟର ଜମିରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ଚାରାରୋପଣ କରିବା ଲାଗି ଲକ୍ଷ୍ୟଧାର୍ଯ୍ୟ ରଖିଥିବା ଜଣାପଡିଛି । ରାସ୍ତାକଡରେ ରୋପଣ କରାଯାଉଥିବା ଚାରା ଗୁଡିକ ଯେପରି ବଞ୍ôଚରହିବ ସେ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାପକ ପଦକ୍ଷେପ ମାନ ନିଆଯାଇଥିବା ଦେଖିବାକୁ ମିିଳିଛି । ଆସିକା ବନବିଭାଗ କାର୍ଯ୍ୟାଳୟ ଅଧିନସ୍ଥ ଅଞ୍ଚଳରେ ଚାରାରୋପଣ କରି ସବୁଜ ବଳୟ ସୃଷ୍ଟି କରିବାକୁ ବନବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବିଭିନ୍ନ ପୋଖରୀ ହିଡ ଓ ରାସ୍ତାକଡରେ ଅଧିକରୁ ଅଧିକ ଯେପରି ଚାରା ରୋପଣ କରାଯାଇପାରିବ ସେ ଦିଗରେ ବନବିଭାଗ ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି । ବର୍ଷା ଆଗମନକୁ ସମସ୍ତେ ଅପେକ୍ଷା କରିଥିଲେ । ଆସନ୍ତା ଜୁଲାଇ ମାସ ପ୍ରଥମ ସପ୍ତାହରୁ ଆସିକା ବନବିଭାଗ କାର୍ଯ୍ୟାଳୟ ଅଧୀନସ୍ଥ ଅଞ୍ଚଳରେ ଚାରା ରୋପଣ କାର୍ଯ୍ୟ ଆରମ୍ଭ କରିବା ଲାଗି ବନବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି । ଚଳିତ ବର୍ଷ ଆସିକା ବନାଞ୍ଚଳ କାର୍ଯ୍ୟାଳୟ ଅଧୀନସ୍ଥ ଆସିକା, ଶେରଗଡ, ଷଡଙ୍ଗୀପଲ୍ଲୀ ଓ ଧରାକୋଟ ସେକ୍ସନର ୧୬ଟି ବିଟ୍ ପରିସରଭୁକ୍ତ ଅଞ୍ଚଳରେ ପ୍ରାୟ ୨ ଲକ୍ଷ ଚାରାରୋପଣ ସକାଶେ ଲକ୍ଷ୍ୟଧାର୍ଯ୍ୟ ରହିଥିବା ଜଣାପଡିଛି । ଆସିକା ବନାଞ୍ଚଳ କାର୍ଯ୍ୟାଳୟ ପରିସରଭୁକ୍ତ ଅଞ୍ଚଳରେ କରଞ୍ଜ, କାଠବାଦାମ, ଅର୍ଜୁନ, ବାହାଡା, ନିମ୍ବ, ଆମ୍ବ, ପଣସ, ଅଁଳା, ଗମ୍ଭାରୀ, ପିଜୁଳି, ଶୀତଫଳ ସମେତ ବିଭିନ୍ନ କିସମର ଔଷଧୀୟ ଓ ଛାୟାପ୍ରଦାନକାରୀ ଚାରାରୋପଣ ହାର ଯେପରି ବୃଦ୍ଧି ପାଇବ ତାହାକୁ ଦୃଷ୍ଟିରେ ରଖି ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ୱରେ ବନବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଇଛି ।


