ଗଜପତିରେ ବାଘ ଆତଙ୍କର ପର୍ଦାଫାଶ ପାଇଁ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ପାରଳା ଡ଼ିଏଫଓ କେ. ନାଗାରାଜୁଙ୍କ ନିର୍ଦେଶରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ୪ ଗୋଟି ଟ୍ରାପ କ୍ୟାମେରା ଲଗାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶଯେ, ଗତ ପାଞ୍ଚ ଦିନ ତଳେ କାଇଟିମା ଗାଁର ରୟାମ୍ ବେହେରାଙ୍କ ଏକ ବଳଦକୁ ଅଜଣା ବନ୍ୟଜନ୍ତୁ ଖାଇଥିଲା । ପୁଣି ଦୁଇଦିନ ତଳେ ବାରିଆଦରା ଗାଁର ମଙ୍ଗଳୁ ମଳିକଙ୍କ ଦୁଇ ଗୋରୁକୁ ଅଜଣା ଜନ୍ତୁ ଆକ୍ରମଣ କରି ଆହାତ ହୋଇଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ, ଏହି ଦୁଇ ଗାଁ ଚନ୍ଦ୍ରଗିରି ବନାଞ୍ଚଳ ଅଧୀନରେ ଥିବା ଲଖାରୀ ଅଭୟାରଣ୍ୟରେ ରହିଥିବାରୁ ବନ ବିଭାଗ ଗୁରୁତ୍ୱ ଦେଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ, ହେଲେ ଏହି ଘଟଣା ବାଘ ଦ୍ୱାରା ହେଉଥିବା ସ୍ପଷ୍ଟ ନ ହେବାରୁ ଚାରିଗୋଟି ଟ୍ରାପ କ୍ୟାମେରା ଲଗାଇଥିଲେ ମଧ୍ୟ ସେଥିରେ କୌଣସି ବନ୍ୟଜନ୍ତୁ କିମ୍ୱା ବାଘର ଫୋଟ ଆସିନଥିଲା। ଏପରି କି ବାଘର କୌଣସି ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିନଥିଲା।


