ପୂର୍ବତନ ବିଧାୟକ କୁଳମଣି ରାଉତଙ୍କ ପରଲୋକ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପୂର୍ବତନ ବିଧାୟକ ତଥା ଡେରାବିଶ ମାଟିର ସୁଯୋଗ୍ୟ ସନ୍ତାନ କୁଳମଣି ରାଉତଙ୍କ ୭୮ବର୍ଷ ବୟସରେ ଗୁରୁବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥାଇ ସେ ଚିକିତ୍ସାଧିନ ଥିଲେ। ଏହି ଖବର ପ୍ରସାରଣ ହେବା ପରେ ଡେରାବିଶ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମରଶରୀର ବ୍ଲକ ଅଧିନସ୍ଥ ଚାନ୍ଦୋଳ ଫାଣ୍ଡି ଛକରେ ପହଞ୍ଚିବା ପରେ ବହୁ ଅପେକ୍ଷାରତ ଜନସାଧାରଣ ତାଙ୍କ ପ୍ରୀୟ ନେତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଭିଡ ଜମାଇଥିଲେ। ପରେ ଏକ ଶୋଭାଯାତ୍ରାରେ ବିଭିନ୍ନ ପଞ୍ଚାୟତ ଅଞ୍ଚଳକୁ ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ରାତିରେ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତର ଶଙ୍କରପୁର ସ୍ଥିତ ତାଙ୍କ ପୈତୃକ ବାସ ଭବନରେ ପହଞ୍ଚବାପରେ ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରେ ଏକ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସୂଚନାଯୋଗ୍ୟ ସ୍ୱର୍ଗତ ରାଉତ କେବଳ ବ୍ଲକ ଅଞ୍ଚଳ ନୁହେଁ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଜଣେ ବନ୍ଧୁବତ୍ସଳ, ପରୋପକାରୀ ଅମାୟିକ ବ୍ୟକ୍ତିତ୍ୱ ଭାବେ ସାଧାରଣରେ ପରିଚିତ ଥିଲେ। ବିଗତ ୧୯୯୦ରୁ ୯୫ ମସିହା ପର୍ଯ୍ୟନ୍ତ ସେ ତତ୍କାଳିନ ବରି-ଡେରାବିଶ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇ ବହୁ ଲୋକାଭିମୂଖି କାର୍ଯ୍ୟ କରିଥିଲେ। ତେବେ ଆଜି ତାଙ୍କ ବିୟୋଗ ଖବର ପାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଓ ଦେବାଶିଷ ନାୟକ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ମହାନ୍ତି, ଆଇନିଜୀବୀ ବିଧୁଭୂଷଣ ମହାପାତ୍ର, ଜିଲ୍ଲା କିଷାନ କଂଗ୍ରେସ ସେଲ ଅଧ୍ୟକ୍ଷ ଜୟଦେବ ପରିଡା, ବିଜେଡି ନେତା ରବି ସାମଲ, ଡେରାବିଶ ବ୍ଲକ ଅଧ୍ୟକ୍ଷା ପ୍ରଭାତି ମଲିକ, ପୂର୍ବତନ ଅଧ୍ୟକ୍ଷ ସରୋଜକାନ୍ତ ସାହୁ, ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ପ୍ରମୁଖ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତେବେ ସ୍ୱର୍ଗତ ରାଉତଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରପଡା ବିଧାୟକ ଗଣେଶ୍ୱର ବେହରୋ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ରାଜନଗର ବିଧାୟକ ଧୃବ ଚରଣ ସାହୁ,ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ମାହାଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସିଂହ, ବରିଷ୍ଠ ବିଜେଡି ନେତା ହଳଧର ଦାଶ, ମହେନ୍ଦ୍ର କୁମାର ସିଂହ, ଯୁବନେତା ରାଜେଶ ପଣ୍ଡା, ସରୋଜକାନ୍ତ ନାୟକ, କ୍ରୀଡାବିତ ସାହାଜାନ୍ ଖାନ୍, ଅଧ୍ୟାପକ ପ୍ରଭାକର ସାମଲ, ଗୋଲଖ ଚନ୍ଦ୍ର ମହାଭୋଇ, ଶିକ୍ଷାବିତ ଇଶ୍ୱର ଚନ୍ଦ୍ର ପୃଷ୍ଟି, କୁରୁଜଙ୍ଗା ସରପଞ୍ଚ ମାନସୀ ସାମଲ, ସମିତିସଭ୍ୟ କୃଷ୍ଣଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ରଶ୍ମୀରଞ୍ଜନ ପଣ୍ଡା, ତ୍ରୀଲୋଚନ ରାଉତ, ଯୁବ ସଂଗଠକ ଅଭିମନ୍ୟୁ ରାଉତ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।


