ଗଣ୍ଡ ଗୋଳରେ ୪ ଆହତ, ପୋଡିଦେଲେ ଘର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା ଥାନା ଅଧିନ ସୁଆଁପଦା ଗ୍ରାମର ଧାନ କଟା ମେସିନ୍କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୁମୁଳ କାଣ୍ଡ ଘଟିଛି । ଗଣ୍ଡଗୋଳରେ ଗୋଟିଏ ପରିବାରର ୩ ଜଣ ଆହତ ହେବା ସହ ଘର ପୋଡି ଦେବା ଭଳି ଘଟଣା ସଂମ୍ପୃକ୍ତ ଅଚଂଳରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଯେ, ସୁଆଁପଦା ଗ୍ରାମର ପ୍ରଶାନ୍ତ ମଣ୍ଡଳ ଧାନକଟା ମେସିନ୍ ରଖି ବ୍ୟବସାୟ କରି ଆସୁଥିଲେ । ଉକ୍ତ ଗ୍ରାମର ସନାତନ ମଣ୍ଡଳ କିଛି ବର୍ଷ ହେବ ଭଡା ସୁତ୍ରରେ ଧାନକଟା ମେସିନ୍ ଆଣିବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା । ଶୁକ୍ରବାର କାଦବରାଙ୍ଗ ବଜାରରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ପ୍ରଶାନ୍ତ, ଭାଇ ଶ୍ରୀକାନ୍ତ ଓ ଭଉଣୀ ପ୍ରଭାତୀ ସନାତନଙ୍କ ପରିବାରକୁ ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ତାଙ୍କ ପିତା ବିଦ୍ୟାଧର, ମା ଶକୁନ୍ତଳା, ସ୍ତ୍ରୀ ମମତା ଗୁରୁତର ହୋଇ ପ୍ରଥମେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପରେ ଘରେ କେହି ନଥିବାର ସୁଯୋଗରେ ଦୃବୁର୍ତ୍ତ ମାନେ ସନାତନଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି । ଏଥିରେ ଦୁଇ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଓ ଗୋଟିଏ ବାଇକ୍ ସଂପୂର୍ଣ୍ଣ ଜଳିଯାଇଛି । ଖବରପାଇ ଶନିବାର ଭୋର ସମୟରେ ଆଗରପଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ କରିଥିଲା । ଉପରୋକ୍ତ ଘଟଣା ନେଇ ତାଙ୍କ ପରିବାରକୁ ଜୀବନରୁ ମାରିଦେବା, ଘର ପୋଡି ଦେବା ଆଦି ନେଇ ଧମକ ଦେବା ପରେ ପ୍ରଶାନ୍ତ ଏବଂ ତାର ଭାଇ ଶ୍ରୀକାନ୍ତ, ସହଯୋଗୀ ରମେଶ, ମନୋଜ ଘରେ ନିଆଁ ଲାଗାଇ ଦେଇଥିବା ସନାତନ ଅଭିଯୋଗରେ ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ପ୍ରଶାନ୍ତଙ୍କ ଭଉଣୀ ପ୍ରଭାତୀ ତାଙ୍କୁ ସନାତନ ମଣ୍ଡଳ ପରିବାର ଟଣା ଘୋଷରା କରିବା ସହ ଅଶାଳୀନ ବ୍ୟବହାର କରିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଗଣ୍ଡଗୋଳ ଓ ଘର ପୋଡିରେ ସଂପୃକ୍ତ ଅଭିଯୋଗରେ ମନୋଜ, ରମେଶ ଓ ପ୍ରଭାତୀଙ୍କୁ ଥାନାରେ ଅଟକ ରଖାଯାଇଛି ।


