ଭିତ୍ତିପ୍ରସ୍ତରକୁ ୪ ମାସ ବିତିଲା: ଆରମ୍ଭ ହେଉନି ନିଳୋକ, ଆଡିଆ ପଞ୍ଚାୟତର ଦୁଇ ଆର.ଡି ରାସ୍ତା

ବନ୍ତ,(ଚାନ୍ଦିନୀ ମହାନ୍ତି) : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ଗମନାଗମନ ଉପରେ ଗୁୁରୁତ୍ୱ ଦେଇ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ମଞ୍ଜୁର କରୁଛନ୍ତି । ହେଲେ ପ୍ରଶାସନିକ ଅବହେଳା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଏହି ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ ହୋଇପାରୁନଥିବା ଦେଖାଯାଉଛି । ଏପରିକି ଭିତ୍ତି ପ୍ରସ୍ତର ସ୍ଥାପନକୁ ୪ମାସ ବିତିଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବା ଦେଖାଯାଇଛି । ଏଭଳି ସମସ୍ୟା ଦେଖା ଯାଇଛି ଭଦ୍ରକ ଜିଲା ବନ୍ତ ବ୍ଲକର ନିଳୋକ ଓ ଆଡିଆ ପଞ୍ଚାୟତରେ । ଗତ ୨୦୨୫ ସେପ୍ଟେମ୍ବର ୧ରେ ଏହି ଦୁଇ ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୁଇ ଗୋଟି ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ନିଳୋକ ପଞ୍ଚାୟତରେ ୪ କୋଟି ୨୩ ଲକ୍ଷ ୫୬ ହଜାର ଟଙ୍କା ଅଟକଳ ମୂଲ୍ୟରେ ୪.୯ କିମି ଦୈର୍ଘ୍ୟ ବିଶିଷ୍ଟ ସାହାଡାପଲ୍ଲୀ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଓଳମ ରେବ ନଦୀ ଭାୟା ତାଳବାଙ୍କ ମୁଣ୍ଡାସାହି ଏବଂ ଆଡିଆ ପଞ୍ଚାୟତରେ ୩ କୋଟି ୩୬ ଲକ୍ଷ ୫୧ ହଜାର ଟଙ୍କା ଅଟକଳ ମୂଲ୍ୟରେ ୩ କିମି ଦୈର୍ଘ୍ୟ ବିଶିଷ୍ଟ ଗ୍ରାମ୍ୟ ରାସ୍ତା ଆଡିଆ ଠାରୁ ଗ୍ରାମ୍ୟ ରାସ୍ତା ଗୋହିରା ଛକ ଭାୟା ଜିରିଣା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଶୁଭ ଭତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ଦୁଇ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ବେଳେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଭଣ୍ଡାରିପୋଖରୀ ବିଧାନ ସଭା ବିଜେପି ନେତା ସୁଧାଂଶୁ ଶେଖର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଗଣେଶ ହେମ୍ବ୍ରମ, ବନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁପର୍ଣ୍ଣା ସୋରେନ, ସହକାରୀ ଯନ୍ତ୍ରୀ ସୁରଥ କୁମାର ବେହେରା ଉପସ୍ଥିତ ଥିଲେ । ଏହି ଦୁଇ ରାସ୍ତା ନିର୍ମାଣ ହେଲେ ଏହି ଦୁଇ ପଞ୍ଚାୟତର ହଜାର ହଜାର ଲୋକ ଉପକୃତ ହେବେ ବୋଲି ଆଶା ରଖିଥିବା ବେଳେ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଦେଖାଯାଇଛି । ଦୀର୍ଘ ୪ମାସ ବିତି ଯାଇଥିଲେ ମଧ୍ୟ ନିର୍ମାଣ ଦାୟୀତ୍ୱ ନେଇଥିବା ସମ୍ପୃକ୍ତ ଠିକାଦାରଙ୍କ ନିଦ ଏପର୍ଯ୍ୟନ୍ତ ଭାଙ୍ଗି ନାହିଁ । ନିର୍ମାଣ ଅବଧି କ୍ରମଶଃ ସରି ଆସୁଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉନଥିବା ଦେଖାଯାଉଛି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିିତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ