ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମରେ ଠକେଇ ମାମଲା: ଅଧକୋଟି ଠକି ନେଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କ ବିରୋଧରେ ୪୮ ଲକ୍ଷ ଟଙ୍କାର ଠକେଇ ମାମଲା କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ରୁଜୁ ହୋଇଛି। ଅଭିଯୋଗକାରୀ କଟକ ସହର ଚଣ୍ଡୀ ଛକରେ ଥିବା ଏସ୍‌ଏସ୍‌ବି ଇଲେକ୍ଟ୍ରିକାଲସର ମାଲିକ ଅରୋବିନ୍ଦ ତ୍ରିପାଠୀ ଓ ଗଣେଣ କୁମାର ସ୍ୱାଇଁ ଏତଲାରେ ଦର୍ଶାଇଛନ୍ତି ଯେ ଅଙ୍କିତ ପ୍ରତାପ ଜେନା ଏବଂ ଐଶ୍ୱର୍ଯ୍ୟା ପ୍ରତାପ ଜେନା ଏମ୍ଫୋରିଆ ୱାର୍କସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ମାଲିକ। କେନ୍ଦ୍ରାପଡ଼ାରେ ବିଦ୍ୟୁତ ସରଞ୍ଜାମ କାର୍ଯ୍ୟ କରିବା ପାଇଁ ଏହି କମ୍ପାନୀରୁ ୱାର୍କ ଅର୍ଡର ପାଇଥିଲେ। ସେହି ଅନୁଯାୟୀ କାର୍ଯ୍ୟ ମଧ୍ୟ କରିଥିଲେ। କିନ୍ତୁ ସେମାନଙ୍କର ୪୮ ଲକ୍ଷ ଟଙ୍କା ବକେୟା ଥିବା ବେଳେ ଅଙ୍କିତ ପ୍ରତାପ ଜେନା ଟଙ୍କା ଦେଉ ନାହାଁନ୍ତି। ବାରମ୍ବାର ଦିନ ଗଡାଇ ଚାଲିଛନ୍ତି। ଟଙ୍କା ନ ମିଳିବାରୁ ସେମାନେ କର୍ମଚାରୀଙ୍କ ଦରମା ଦେଇ ପାରୁନାହାଁନ୍ତି। ତେଣୁ ବାଧ୍ୟହୋଇ ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏ ସଂକ୍ରାନ୍ତରେ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ ଅଙ୍କିତ ପ୍ରତାପ ଜେନାଙ୍କ କମ୍ପାନୀ ପକ୍ଷରୁ ୱାର୍କ ଅର୍ଡର ପାଇ ଅରୋବିନ୍ଦ ତ୍ରିପାଠୀ ଓ ଗଣେଶ ସ୍ୱାଇଁ କାମ କରିଥିଲେ। ହେଲେ ୪୮ ଲକ୍ଷ ଟଙ୍କା ବକେୟା ପାଇ ନ ଥିବା ଅଭିଯୋଗ କରିଥିଲେ। ତେଣୁ ତାଙ୍କ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ ହୋଇଛି। ଅପରପକ୍ଷରେ ଅଙ୍କିତ ପ୍ରତାପ ଜେନାଙ୍କ କମ୍ପାନୀ ଏମ୍ଫୋରିଆରର ମ୍ୟାନେଜର ଦେବାଶିଷ ଦାସ ଅଭିଯୋଗ କରିଛନ୍ତି ଯେ ଅରୋବିନ୍ଦ ତ୍ରିପାଠୀ ଓ ଗଣେଶ ସ୍ୱାଇଁ ତାଙ୍କ କମ୍ପାନୀ ଅଧିନରେ କେନ୍ଦ୍ରାପଡ଼ାରେ ଇଲେକ୍ଟ୍ରିକାଲ କାର୍ଯ୍ୟ କରୁଥିଲେ। ହେଲେ ଦୁହେଁ କାର୍ଯ୍ୟରେ ବାଧା ସୃଷ୍ଟି କଲେ। ଯାହା ଫଳରେ କମ୍ପାନୀର ବହୁତ କ୍ଷତି ଘଟିଛି। ତେଣୁ ଦେବାଶିଷଙ୍କ ଅଭିଯୋଗକୁ ଭିତ୍ତି କରି ଅରୋବିନ୍ଦ ଓ ଗଣେଶଙ୍କ ବିରୋଧରେ ଅନ୍ୟ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଉଭୟ ମାମଲାର ତଦନ୍ତ ଚାଲିଛି ତଦନ୍ତରେ ଯିଏ ଦୋଷୀ ବୋଲି ପ୍ରମାଣିତ ହେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ