ଠକେଇ ଅଭିଯୋଗରେ ଉଠାଇ ନେବା ଘଟଣା: କେନ୍ଦ୍ରାପଡା ପୋଲିସକୁ ଆକ୍ରମଣ କରି ଅଭିଯୁକ୍ତକୁ ଛଡାଇ ନେଲେ

ହାଟଡିହି(ଓ୍ବାଇଏନଏସ): ଏକ ଠକେଇ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ କୁ କେନ୍ଦ୍ରାପଡା ପୋଲିସ ଗିରଫ କରି କେନ୍ଦ୍ରାପଡା ଫେରୁଥିବା ଶାଳଣିଆଁ ନିକଟରେ ପୋଲିସକୁ ମାଡ଼ ମାରି ଅଭିଯୁକ୍ତଙ୍କୁ ଛଡାଇ ନେଇଛନ୍ତି ଅଭିଯୁକ୍ତଙ୍କ ସମ୍ପର୍କୀୟ। ଏକ ଠକେଇ ମାମଲାରେ କେନ୍ଦ୍ରାପଡା ସଦର ଥାନା ପୋଲିସ ନନ୍ଦିପଦା ପୋଲିସ ସହାୟତାରେ ଗତକାଲି ଶାଳଣିଆଁର ଯୋଗେନ୍ଦ୍ର ବେହେରାଙ୍କୁ ଗିରଫ କରିଥିଲା। ଅଭିଯୁକ୍ତକୁ ଧରି ନନ୍ଦିପଦା ଥାନାକୁ ଆଣିବା ପରେ ରାତି ୮ଟା ବେଳେ ଅଭିଯୁକ୍ତକୁ ଧରି କେଦ୍ରାପଡ଼ା ଅଭିମୁଖେ ବାହାରିଥିଲା। ଚଷାଖଣ୍ଡ ନିକଟରେ ୧୦ ରୁ ୧୨ ଜଣ ଯୁବକ ସଂଘ ବଦ୍ଧ ଭାବେ କେନ୍ଦ୍ରାପଡା ପୋଲିସକୁ ଆକ୍ରମଣ କରି ଆସାମୀଙ୍କୁ ଛଡାଇ ନେଇଥିଲେ। ଏଥିରେ ୨ ଜଣ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରାପଡା ପୋଲିସ ସେଠାରୁ ଫେରି ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ନନ୍ଦିପଦା ଥାନା କେସ ନମ୍ବର ୩୬୨/୨୫ରେ ଏକ ମାମଲା ରୁଜୁ ହୋଇଛି। ନନ୍ଦିପଦା ପୋଲିସ ପକ୍ଷରୁ ଗତକାଲି ରାତି ଠାରୁ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ ହୋଇଛି। ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ବସପୁର ଲୁଣା ନଦୀ ବାଲିଘାଟ ଡେରାବିଶକୁ  ଲିଜଧାରୀ ଶାଳଣିଆଁ ର ଯୋଗେନ୍ଦ୍ର ବେହେରା ଲିଜ ନେଇଥିବା ବେଳେ ବାଲି ଘାଟ ଚଳାଇବା ପାଇଁ ନିକିରାଇ ଥାନା ଇଟିପୁର ଗ୍ରାମର ମାଧବ ଚନ୍ଦ୍ର ପ୍ରଧାନଙ୍କ ନାମରେ ଚୁକ୍ତି କରି ତାଙ୍କ ଠାରୁ ପ୍ରାଥମିକ ପର୍ଯ୍ୟାୟରେ ୨୫ଲକ୍ଷ ଟଙ୍କା ଆଣିଥିଲେ।   ପରବର୍ତ୍ତୀ ସମୟରେ ଅନ୍ୟ ଲୋକଙ୍କ ନାମରେ ଚୁକ୍ତି ପତ୍ର କରିଦେଇ ଥିଲେ। ଯାହାକୁ ନେଇ ବିବାଦ ଦେଖାଦେବା ସହିତ ମାଧବ ଚନ୍ଦ୍ର ପ୍ରଧାନ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଥିଲେ। ଯୋଗେନ୍ଦ୍ର ଓ ଜଳସରପୁର ଗ୍ରାମର ବରଦା ପ୍ରସନ୍ନ ନାୟକ ତାଙ୍କ ଠାରୁ ମୋଟ ୪୫,୫୪,୯୫୯ ଟଙ୍କା ଠକିନେଇଥିବା ଅଭିଯୋଗ କରିବା ପରେ କେନ୍ଦ୍ରାପଡା ପୋଲିସ ଥାନା କେସ ନଂ ୫୧୫/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲା। ଗୁରୁବାର କେନ୍ଦ୍ରାପଡା ସଦର ଥାନା ଇନସପେକ୍ଟରଙ୍କ ନେତୃତ୍ୱରେ ପୋଲିସର  ଏକ ଟିମ ନନ୍ଦିପଦା ପୋଲିସ ସହାୟତାରେ ଯୋଗେନ୍ଦ୍ରଙ୍କୁ ଶାଳଣିଆଁରୁ ଉଠାଇ ଆଣିଥିଲା। ରାତି ୮ଟା ବେଳେ କେନ୍ଦ୍ରାପଡା ପୋଲିସ ଅଭିଯୁକ୍ତ ଯୋଗେନ୍ଦ୍ରକୁ ସାଙ୍ଗରେ ଧରି ଅନ୍ୟ ଅଭିଯୁକ୍ତ ବରଦା ପ୍ରସନ୍ନ ନାୟକଙ୍କୁ ଆଣିବାକୁ ଜଳସରପୁର ଯାଉଥିବା ବେଳେ ଯୋଗେନ୍ଦ୍ରଙ୍କ ସମ୍ପର୍କୀୟ ଓ ସମର୍ଥକ ମାନେ ଚଷାଖଣ୍ଡ ନିକଟରେ କେନ୍ଦ୍ରାପଡା ପୋଲିସକୁ ସଂଘବଧ ଆକ୍ରମଣ କରି ଯୋଗେନ୍ଦ୍ରଙ୍କୁ ଛଡାଇ ନେଇଥିଲେ। କେନ୍ଦ୍ରାପଡା ପୋଲିସର ଅଭିଯୋଗ କ୍ରମେ ନନ୍ଦିପଦା ଥାନାରେ ୩୬୨/୨୫ରେ ଏକ ମାମଲା ରୁଜୁ କରାଯାଇଛି। କିନ୍ତୁ ଏଠାରେ କେନ୍ଦ୍ରାପଡା ପୋଲିସ ର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ପୋଲିସର ସହାୟତା ନନେଇ ଅଭିଯୁକ୍ତକୁ ସାଙ୍ଗରେ ଧରି ତାଙ୍କ ଗାଁକୁ ଯିବା କେତେଦୂର ଯୁକ୍ତିଯୁକ୍ତ। ଯଦି ଅନ୍ୟ ଅଭିଯୁକ୍ତକୁ ଧରିବାର ଥିଲା ତେବେ ଧରିଥିବା ଅଭିଯୁକ୍ତକୁ ନନ୍ଦିପଦା ପୋଲିସ ଜିମାରେ ରଖାଯାଇ ପାରିଥାନ୍ତା। କିନ୍ତୁ ତାହା କରା ନଯାଇ କିଛି ହାତ ଗଣତି କର୍ମଚାରୀଙ୍କୁ ଧରି ବିଳମ୍ବିତ ରାତିରେ ଯାଇଥିଲା କାହିଁକି। ଅଭିଯୁକ୍ତକୁ ଛଡାଇ ଦେବା ପାଇଁ ପୋଲିସ ଦ୍ୱାରା ରଚଯାଇଥିବା ନାଟକ ନୁହେଁ ତ, ଏପରି କେତେ କଣ ପ୍ରଶ୍ନ ସାଧାରଣ ରେ ଉଙ୍କି ମାରୁଛି। ଏ ସମ୍ପର୍କ ରେ ଅଧିକ କିଛି ସୂଚନା ଦେବାକୁ ପୋଲିସ ଅରାଜି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ