ରାହା ଦେଖାଉଛି ମାଗଣା ପାଠଶାଳା : “ମୋ ଗାଁ–ମୋ ଗର୍ବ” ତରଫରୁ ପିଲାଙ୍କୁ ସାକ୍ଷର କରିବାକୁ ଉଦ୍ୟମ
କାକଟପୁର / ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ): “ସା ବିଦ୍ୟା ଯା ବିମୁକ୍ତେ ” — ଅର୍ଥାତ ଯେଉଁ ବିଦ୍ୟା ମନୁଷ୍ୟକୁ ଅଜ୍ଞାନତାରୁ ମୁକ୍ତି ଦେଇଥାଏ, ସେହି ବିଦ୍ୟା ହିଁ ସତ୍ୟ ଶିକ୍ଷା। ଶିକ୍ଷା ସମାଜରେ ବୈପ୍ଲବିକ ପରିବର୍ତ୍ତନ ଆଣିବାର ମୂଳ ଶକ୍ତି। ତେଣୁ ଭାରତୀୟ ସମାଜରେ ଶିକ୍ଷାକୁ ସଦା ଉଚ୍ଚ ସ୍ଥାନ ଦିଆଯାଇଛି। କିନ୍ତୁ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ଆର୍ଥିକ ଭାବେ ପଛୁଆ ଶ୍ରେଣୀର ଛାତ୍ରଛାତ୍ରୀ ଅନେକ ସମୟରେ ସୁଯୋଗରୁ ବଞ୍ଚିତ ହେଉଛନ୍ତି। ପ୍ରତିଭା ଓ ଦକ୍ଷତା ଥିଲେ ମଧ୍ୟ ଅର୍ଥାଭାବ ଯୋଗୁଁ ସେମାନେ ଉଚ୍ଚମାନର ଶିକ୍ଷାରୁ ଦୂରେ ରହିଯାଉଛନ୍ତି। ବିଶେଷକରି ଗରିବ ପରିବାରର ପିଲାମାନେ ସରକାରୀ ସ୍କୁଲ୍ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ପଢ଼ିବା ସୁଯୋଗ ପାଉନଥିବାରୁ ଶିକ୍ଷାରେ ପଛରେ ପଡ଼ୁଛନ୍ତି। ଏହି ପରିସ୍ଥିତିକୁ ମନେରଖି ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ଆଳସାହି, ନଗର, ଆଳଙ୍ଗପୁର ସମେତ ନିକଟସ୍ଥ ଗ୍ରାମଗୁଡିକୁ ନେଇ ଗଢ଼ିଉଠିଥିବା “ମୋ ଗାଁ – ମୋ ଗର୍ବ” ସଂଗଠନ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାଂସ୍କୃତିକ ବିକାଶକୁ ଲକ୍ଷ୍ୟ କରି ଅନେକ ସାମାଜିକ ପଦକ୍ଷେପ ନେଉଛି। ଏହି ଅଭିଯାନର ଆବାହକ ଇଂ. ଅରୁଣ କୁମାର ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ପଂଚାୟତ ସ୍ତରରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗତିଶୀଳ ଭାବେ ଆଗକୁ ବଢ଼ୁଛି। ଗୁରୁବାର ପୂର୍ବାହ୍ନରେ ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ଆଳସାହି ପଂଚାୟତର ପାଟସୁନ୍ଦରପୁର ବହୁମୁଖୀ ବାତ୍ୟାଆଶ୍ରୟ ସ୍ଥଳୀ ପରିସରରେ “ମୋ ଗାଁ – ମୋ ଗର୍ବ” ତରଫରୁ ଏକ ସନ୍ଧ୍ୟାକାଳୀନ ସ୍ୱୟଂ ଅଧ୍ୟୟନ କେନ୍ଦ୍ରର ଶୁଭାରମ୍ଭ ହୋଇଥିଲା। ସଭାପତି କୃଷ୍ଣଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ “ମୋ ଗାଁ – ମୋ ଗର୍ବ” ଆବାହକ ଇଂ. ଅରୁଣ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ।
ଏହି ଅବସରରେ ପୂର୍ବତନ ସରପଞ୍ଚ ଅଧିକାରୀ ବେହେରା, ସଂଯୋଜକ ଶିଖର ବାରିକ, ସମ୍ପାଦକ ଅଜୟ ଜେନା, ଶିକ୍ଷା କମିଟି ସଦସ୍ୟ ବିଷ୍ଣୁଚରଣ ମଲ୍ଲିକ, ଉପଦେଷ୍ଟା ବେଣୁଧର ଲେଙ୍କା,କମ୍ପ୍ୟୁଟର ପ୍ରଶିକ୍ଷକ କେଦାରନାଥ ନାୟକ, ଆଶିଷ ଖୁଣ୍ଟିଆ, ସମାଜସେବୀ ଭୋଳାନାଥ ବେହେରା, ପ୍ରଭାତ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଏହି କେନ୍ଦ୍ରରେ ପ୍ରାରମ୍ଭିକ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପାଠପଢ଼ା ଓ ଟିଉସନ୍ ସୁବିଧା ଯୋଗାଇ ଦିଆଯାଉଛି। କିଛି ଶିକ୍ଷିତ ଯୁବକ-ଯୁବତୀ ଓ ଅବସରପ୍ରାପ୍ତ ଶିକ୍ଷକମାନେ ସେଠାରେ ପିଲାମାନଙ୍କୁ ନିଷ୍ଠାର ସହ ଶିକ୍ଷାଦାନ କରୁଛନ୍ତି। ପାଠପଢ଼ା ସହିତ ସ୍କୁଲର ବିଭିନ୍ନ ସନ୍ଦେହ ଓ ପ୍ରଶ୍ନମାନଙ୍କୁ ମଧ୍ୟ ଏଠାରେ ସମାଧାନ କରାଯାଉଛି।ଫଳସ୍ୱରୂପ ପିଲାମାନେ ସ୍କୁଲରେ ଭଲ ପ୍ରଦର୍ଶନ କରିବା ସହ ତାଙ୍କର ବ୍ୟକ୍ତିତ୍ୱ ଓ ଆତ୍ମବିଶ୍ୱାସରେ ମଧ୍ୟ ଉନ୍ନତି ଦେଖାଯାଉଛି। ଆଗାମୀ ଦିନରେ “ମୋ ଗାଁ – ମୋ ଗର୍ବ” ତରଫରୁ ୨୨ଟି ମାଗଣା ଶିକ୍ଷା କେନ୍ଦ୍ର ଖୋଲିବା ପରିକଳ୍ପନା ରହିଛି। ସଂଗଠନର ଏହି ସାମାଜିକ ପଦକ୍ଷେପକୁ ବର୍ତ୍ତମାନ ବିଭିନ୍ନ ମହଳରେ ବ୍ୟାପକ ପ୍ରଶଂସା କରାଯାଉଛି।


