୧୯୮୫-୮୭ ଯୁକ୍ତ ୨ ବ୍ୟାଚ ଛାତ୍ରୀଛାତ୍ରଙ୍କ ବନ୍ଧୁ ମିଳନ
ଆରଡ଼ି,( ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡି ନିକଟସ୍ଥ ରୟାଲ ପ୍ୟାଲେସରେ ଆଖଣ୍ଡଳମଣି ମହା ବିଦ୍ୟାଳୟରେ ୧୯୮୫ – ୮୭ ଯୁକ୍ତ ୨ ବ୍ୟାଚ ଛାତ୍ରୀଛାତ୍ରଙ୍କ ବନ୍ଧୁ ମିଳନ ଓ ଗୁରୁ ପୂଜନ ଜାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସରେ ରବିବାର ଅନୁଷ୍ଠିତ ହୋଇ ଯାଇଛି । ମହା ବିଦ୍ୟାଳୟର ତତ୍କାଳୀନ ଅଧ୍ୟକ୍ଷ ଶରତ ତ୍ରୀପାଠୀ, ରାଜେନ୍ଦ୍ର ହୋତା, ବିଜୟ କୁମାର ପରିଡା, ଧୀରେନ ପାତ୍ର, ତୀର୍ଥବାସୀ ଦାସ, ପଦ୍ମଲାଭ ପଣ୍ଡା, ପ୍ରଶାନ୍ତ ନାୟକ, ଦୁଃଶାସନ ସାହୁ ପ୍ରମୁଖ ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ସମସ୍ତ ଗୁରୁଜୀ ମାନଙ୍କୁ ଆଦର ଅଭ୍ୟର୍ଥନା ପୂର୍ବକ ଫୁଲତୋଡା ସହ ଉପଢୌକନ ପ୍ରଦାନ କରା ଯାଇଥିଲା । ପ୍ରାକ୍ତନ ପ୍ରଧାନ ଅଧ୍ୟକ୍ଷ ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପସ୍ଥିତ ୩୦ ଜଣ ଛାତ୍ରୀଛାତ୍ର ଅତୀତର ଅନୁଭୁତିକୁ ସାଉଁଟି ଥିଲେ । ବନ୍ଧୁତାର ପରିସୀମା ସାତ ଜନ୍ମ ଯାଏ ପରିବ୍ୟାପ୍ତ । ସ୍ମୃତିର ଶାମୁକାକୁ ସାଉଁଟିବା ବନ୍ଧୁ ମିଳନର ଏକ ପ୍ରୟାସ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ପରେ ସମସ୍ତ ଛାତ୍ରୀଛାତ୍ର ” ରେ ସମୟ ବୟସକୁ ମୋର ନେଲୁ ଚୋରେଇ . . . . .” ଗୀତର ତାଳେତାଳେ ଝୁମିଥିଲେ । ଶେଷରେ ସମସ୍ତେ ଭୋଜିଭାତରେ ଆପାୟିତ ହୋଇଥିଲେ ଓ ଆସନ୍ତା ବର୍ଷ ପୁଣି ବନ୍ଧୁ ମିଳନ ପର୍ବ ଆୟୋଜନ କରି ପବିତ୍ର ବନ୍ଧନରେ ବାନ୍ଧି ହେବେ ବୋଲି ସ୍ଥିର କରିଥିଲେ ।


