ଚିକିତ୍ସା ଲାଗି ଅର୍ଥ ସାଜିଛି ପ୍ରତିବନ୍ଧକ
ଆସିକା (ୱାଇଏନ୍ଏସ୍) ଦିନେ ସାବିତ୍ରୀ ସ୍ୱାମୀ ସତ୍ୟବାନ୍ଙ୍କ ପାଇଁ ଯମ ସହ ଲଢିଥିଲେ, ଆଉ ଆସିକା ଏନ୍ଏସି ଅଧୀନସ୍ଥ ୧୦ ନମ୍ବର ୱାର୍ଡର ଲଛମନପଲ୍ଲୀ ଗ୍ରାମର ଅନ୍ୟ ଜଣେ ସାବିତ୍ରୀ ନିଜ ସ୍ୱାମୀଙ୍କୁ ସୁସ୍ଥ କରିବା ପାଇଁ ଦୀର୍ଘ ପ୍ରାୟ ୨ ବର୍ଷରୁ ଉର୍ଦ୍ଧ୍ୱ ଦିନ ହେଲା ଅଭାବ, ଅନାଟନ ତଥା ଦୁଃଖକଷ୍ଟ ଭିତରେ ସେବା ଓ ସଂଘର୍ଷ ଜାରି ରଖିଥିବା ଜଣାପଡିଛି । ଆଖିର ଲୁହ ଓ ମନର କୋହକୁ ଚାପିରଖି ସ୍ତ୍ରୀ ନିଲୁ ନାହାକ ନିରନ୍ତ୍ରର ଭାବେ ସ୍ନାୟୁ ରୋଗାକ୍ରାନ୍ତ ସ୍ୱାମୀ ଦଣ୍ଡପାଣି ନାହାକଙ୍କୁ ସୁସ୍ଥ କରିବା ପାଇଁ ଠାକୁରଙ୍କୁ ଡାକୁଛନ୍ତି । ଦିନେ ଠାକୁର ତାଙ୍କ ଗୁହାରି ନିଶ୍ଚୟ ଶୁଣିବେ ଏହି ବିଶ୍ୱାସରେ ସେ ସୋମବାର ନିଷ୍ଠାର ସହ ସାବିତ୍ରୀ ବ୍ରତ ପାଳନ କରି ସ୍ୱାମୀ ଦଣ୍ଡପାଣି ନାହାକଙ୍କ ମଙ୍ଗଳ ମନାସିବା ସହ ଆଶୁ ଆରୋଗ୍ୟ ପାଇଁ ଗୁହାରି କରିଥିବା ଜଣାପଡିଛି । ଅସହାୟା ସ୍ତ୍ରୀ ନିଲୁ ନାହାକ ନିଜ ସ୍ୱାମୀ ଦଣ୍ଡପାଣି ନାହାକଙ୍କ ଜୀବନରକ୍ଷା ପାଇଁ ସରକାରୀ ସହୟତା ସମେତ ଜନସାଧାରଣଙ୍କ ଅର୍ଥ ସହଯୋଗ ପାଇଁ ଚାହିଁ ବସିଥିବା ଲକ୍ଷ୍ୟ କରାଯାଇଛି । ଆସିକା ଏନ୍ଏସି ଅଧିନସ୍ଥ ୧୬ ନମ୍ବର ୱାର୍ଡର ଲଛମନପଲ୍ଲୀ ଗ୍ରାମର ବାସିନ୍ଦା ଦଣ୍ଡପାଣି ନାହାକଙ୍କ ଚିକିତ୍ସା ଲାଗି ଅର୍ଥ ସାଜିଛି ପ୍ରତିବନ୍ଧକ । ଯାତ୍ରୀବାହୀ ଘରୋଇ ବସ୍ରେ ହେଲପର୍ ଭାବେ କାମ କରୁଥିବା ଦଣ୍ଡପାଣି ନାହାକ ଅନେକ ସ୍ୱପ୍ନ ଦେଖିଥିଲେ । ହେଲେ ତାଙ୍କ ସବୁ ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି । ଗତ ଦେଢ ବର୍ଷ ହେଲା ଲଛମନପଲ୍ଲୀ ଗ୍ରାମର ବସ୍ ହେଲପର୍ ଦଣ୍ଡପାଣି ନାହାକ କୌଣସି ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଥିବା ବେଳେ ବର୍ତ୍ତମାନ ଅର୍ଥାଭାବରୁ ଚିକିତ୍ସା ସେବା ପାଇ ନପାରି ନିଜ ଘରେ ଶଯ୍ୟାସାୟୀ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଆସିକା ଏନ୍ଏସି ଅନ୍ତର୍ଗତ ଲଛମନପଲ୍ଲୀ ଗ୍ରାମର ବାସିନ୍ଦା ଦଣ୍ଡପାଣି ନାହାକ, ସ୍ତ୍ରୀ ନିଲୁ ନାହାକ ଓ ପୁତ୍ର ବିକାଶ ନାହାକ ଏବଂ କନ୍ୟା ବୈଷ୍ଣବୀ ନାହାକଙ୍କୁ ନେଇ ତାଙ୍କର ଥିଲା ହସଖୁସିର ପରିବାର । ସେ ପରିବାର ପ୍ରତିପୋଷଣ ପାଇଁ ବସ୍ରେ ହେଲପର୍ ରୂପେ ନିୟୋଜିତ ହୋଇ ବେଶ ଦୁଇପଇସା ରୋଜଗାର କରି ହସଖୁସିରେ ପରିବାର ଚଳାଉଥିଲେ । କିଏ ଜାଣିଥିଲା ତାଙ୍କ ଭାଗ୍ୟରେ ଏମିତି ଅକାଳରେ ମାଡି ଆସିବ କଳାବାଦଲ । ତେବେ ଗତ ୨ ବର୍ଷ ତଳେ କୌଣସି କାରଣରୁ ଅସୁସ୍ଥ ହୋଇ ସେ ଭଗବାନଙ୍କ କୃପାରୁ ବଞ୍ଚି ଯାଇଥିଲେ ମଧ୍ୟ ସ୍ନାୟୁଗତ ରୋଗରେ ଆକ୍ରାନ୍ତ ହୋଇ ଅକ୍ରମଣ୍ୟ ହୋଇପଡିଥିଲେ। ଦୀର୍ଘ ଦିନ ଧରି ଚିକିତ୍ସାଧୀନ ରହିବା ପରେ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ଅର୍ଥାଭାବରୁ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇନଥିବା ଜଣାପଡିଛି । ଯାତ୍ରୀବାହୀ ଘରୋଇ ବସ୍ ହେଲପର୍ ଦଣ୍ଡପାଣି ନାହାକଙ୍କ ସମ୍ପୂର୍ଣ୍ଣ ସୁସ୍ଥ ଲାଗି ଲକ୍ଷଲକ୍ଷ ଟଙ୍କା କେଉଁଠୁ ଆସିବ ସେହି ଚିନ୍ତାରେ ପରିବାର ବର୍ଗ ଭାଙ୍ଗି ପଡିଛନ୍ତି । ଘରେ ଯାହା କିଛି ସଞ୍ଚିତ ଅର୍ଥ ଥିଲା ସେହି ଟଙ୍କା ହେଲପର୍ ଦଣ୍ଡପାଣି ନାହାକଙ୍କ ଚିକିତ୍ସାରେ ସରିଗଲା। ଦୁଇଓଳି ଦୁଇମୁଠା ଖାଇବାକୁ ସମ୍ବଳ ନଥିବା ବେଳେ କେଉଁ ପରିସ୍ଥିତିରେ କିପରି ସ୍ୱାମୀ ଦଣ୍ଡପାଣି ନାହାକଙ୍କ ଚିକିତ୍ସା କରାଇବେ ସେ ନେଇ ସ୍ତ୍ରୀ ନିଲୁ ନାହାକ ଚିନ୍ତିତ ସାଙ୍ଗକୁ ଅସହାୟ ହୋଇ ପଡିଛନ୍ତି । ଔଷଧ କିଣିବା ପାଇଁ ପାଖରେ କାଣି କଉଡିଟିଏ ବି ନାହିଁ । ଏପରି ପରିସ୍ଥିତିରେ ତୁରନ୍ତ ସରକାରୀ ସହାୟତା ପାଇଁ ତାଙ୍କ ପରିବାରବର୍ଗଙ୍କ ପକ୍ଷରୁ ଆକୁଳ ନିବେଦନ କରାଯାଇଛି । ଦୁର୍ଘଟଣାରେ ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବସ୍ ହେଲପର୍ ଦଣ୍ଡପାଣି ନାହାକଙ୍କୁ ସହାୟତା ପାଇଁ ଚାହୁଁଥିବା ସହୃଦୟ ବ୍ୟକ୍ତି ଇଣ୍ଡିୟାନ୍ ଓଭରସିଜ୍ ବ୍ୟାଙ୍କ ଆସିକା ଶାଖାର ଏକାଉଣ୍ଟ ନଂ- ୨୨୧୮୦୧୦୦୦୦୦୩୯୧୨ ରେ ଅର୍ଥ ଜମା କରିପାରିବେ ବୋଲି ପରିବାରବର୍ଗଙ୍କ ପକ୍ଷରୁ ଆକୁଳ ନିବେଦନ କରାଯାଇଥିବା ଜଣାପଡିଛି। ଅସୁସ୍ଥ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବସ୍ ହେଲପର୍ ଦଣ୍ଡପାଣି ନାହାକଙ୍କ ଚିକିତ୍ସା ଲାଗି ସରକାରୀ ସହାୟତା ପ୍ରଦାନ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସ୍ତ୍ରୀ ନିଲୁ ନାହାକ ଅନୁରୋଧ କରିଥିବା ଜଣାପଡିଛି। ବସ୍ ହେଲପର୍ ଦଣ୍ଡପାଣି ନାହାକଙ୍କ ଯୌବନ ସମୟରେ ମାଡି ଆସିଛି ଯନ୍ତ୍ରଣା । ରୋଜଗାର ବନ୍ଦ ହୋଇଯିବା ପରେ ଆଉ ଆଧୁନିକ ଚିକିତ୍ସାର ବାଟ ଦିଶୁନି । ଆଶା ରଖିଛନ୍ତି ସରକାର ତାଙ୍କ ଯନ୍ତ୍ରଣାକୁ ଲାଘବ କରିବା ସହ ପରିବାରର ଦୁଃଖ ବୁଝିବେ ଓ ମାଗଣାରେ ତାଙ୍କୁ ଚିକିତ୍ସାସେବା ଯୋଗାଇବେ । ନହେଲେ ଅକାଳରେ ଲିଭିଯିବ ତାଙ୍କ ଜୀବନ ଦୀପ ଓ ଉଜୁଡିଯିବ ସଂସାର ।


