ସମସ୍ୟା ଘେରରେ ଗହଙ୍ଗୁ ଭୀମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଆସିକା (ୱାଇଏନ୍‍ଏସ୍‍): ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବଡଖୋଲି କ୍ଳଷ୍ଟରର ଗହଙ୍ଗୁ ଗ୍ରାମରେ ଥିବା ଭୀମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡିଛି ବହୁ ଶିକ୍ଷକ ପଦବୀ । ଅତୀତରେ ବହୁ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ଏହି ୭୫ ବର୍ଷର ପୁରାତନ ଶିକ୍ଷାନୁଷ୍ଠାନରେ ଗତ କିଛି ଦିନ ଧରି କେତେକ ଶିକ୍ଷକ ପଦବୀ ଖାଲିପଡିଥିଲେ ମଧ୍ୟ ସେଗୁଡିକୁ ପୂରଣ କରିବା ଦିଗରେ ଶିକ୍ଷା ବିଭାଗର ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଗହଙ୍ଗୁ ଗ୍ରାମ ସ୍ଥିତ ଭୀମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଲିପଡିଥିବା ଶିକ୍ଷକ ପଦବୀ ଗୁଡିକ ପୂରଣ କରିବା ଦିଗରେ ଶିକ୍ଷାବିଭାଗ କର୍ତ୍ତୃପକ୍ଷଙ୍କ କେବେ ଦୃଷ୍ଟି ପଡିବ ତାହାକୁ ସ୍ଥାନୀୟ ଅଞ୍ଚଳବାସୀ ଅପେକ୍ଷା କରିବସିଥିବା ଦେଖିବାକୁ ମିଳୁଛି । ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସୃଷ୍ଟି କରିବା ଦିଗରେ ଗହଙ୍ଗୁ ଗ୍ରାମର ଏକ ଅନନ୍ୟ ଶିକ୍ଷାନୁଷ୍ଠାନ ରୂପେ ପରିଚିତ ଥିବା ଭୀମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଲିପଡିଥିବା କେତେକ ଶିକ୍ଷକ ପଦବୀ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ନେଇ ବହୁ ଅଭିଭାବକ ଚିନ୍ତାରେ ପଡିଯାଇଥିବା ଦେଖିବାକୁ ମିଳୁଛି । ଅତୀତରେ ଏହି ଭୀମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କ ଉନ୍ନତମାନର ଶିକ୍ଷାଦାନ ଶୈଳୀ ଯୋଗୁଁ ବହୁ ମେଧାବୀ ଛାତ୍ରଛାତ୍ରୀ ପାସ୍‍ ହୋଇ ରାଜ୍ୟ ଓ ରାଜ୍ୟ ବାହାରେ କାମ କରୁଥିବା ଜଣାପଡିଛି । ୨୦୨୫-୨୬ ଶିକ୍ଷାବର୍ଷରେ ଗହଙ୍ଗୁ ଗ୍ରାମର ଭୀମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲ୍‍ବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୫୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ମାତ୍ର ୫ ଜଣ ଶିକ୍ଷକ ବିଦ୍ୟାର୍ଥୀଙ୍କୁ ପାଠପଢାଉଥିବା ଜଣାପଡିଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଅଭିମୁଖେ ଆସିବା ଲାଗି ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସାଙ୍ଗକୁ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମୀକୁ ସୁଦୃଢ କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ତେବେ ଶିକ୍ଷାବିଭାଗର ଆନ୍ତରିକତାର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଆସିକା ବ୍ଳକ ଅନ୍ତର୍ଗତ ଗହଙ୍ଗୁ ଗ୍ରାମରେ ଥିବା ଭୀମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରକାରଙ୍କ ଶିକ୍ଷା କଲ୍ୟାଣକାରୀ ଯୋଜନା ବାଟବଣା ହୋଇଯାଇଥିବା ଚର୍ଚ୍ଚା ହେଉଛି । ଗହଙ୍ଗୁ ଭୀମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ସଂକ୍ରାନ୍ତରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଅତିଶୀଘ୍ର ଶିକ୍ଷକ ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି । ଜିଲ୍ଲା ପ୍ରଶାସନ ତଥା ଶିକ୍ଷାବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଗହଙ୍ଗୁ ଭୀମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଆବଶ୍ୟକୀୟ ଶିକ୍ଷକ ପଦବୀ ପୂରଣ କରି ଶୈକ୍ଷିକ ବାତାବରଣକୁ ଉଜ୍ଜିବୀତ କରି ରଖିବା ଦିଗରେ ପଦକ୍ଷେପ ନେବାକୁ ଗହଙ୍ଗୁ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଭଗବାନ ମହାନ୍ତି ଅନୁରୋଧ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ