ବନ୍ତ ଥାନା ଛକ ଓ କେନ୍ଦୁଆପଦା ଛକରେ ଗଜଲକ୍ଷ୍ମୀ ପୂଜା:
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ସଦର ମହକୁମାସ୍ଥିତ ଥାନା ଛକ ଓ କେନ୍ଦୁଆପଦା ଛକରେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ୪୯ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ ପୂଜାରେ ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଭୟ ପୂଜା କମିଟି ପକ୍ଷରୁ ନୂତନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ସୋମବାର ରାତି ଠାରୁ ଉଭୟ ମଣ୍ଡପରେ ମା’ ଗଜଲକ୍ଷ୍ମୀ ପୂଜା ପାଇବାକୁ ଥିବା ବେଳେ ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଥାନା ଛକ ମଣ୍ଡପରେ ଦର୍ଶକ ମାନଙ୍କୁ ଆକୃଷ୍ଟ କଲା ଭଳି ଭଦ୍ରକ ଚନ୍ଦନ ବଜାରସ୍ଥିତ ୱାନା ଟେଣ୍ଟ ହାଉସ ଦ୍ୱାରା ୬୦ ଫୁଟ ଉଚ୍ଚତାର ପ୍ରାସାଦ ସଦୃଶ ତୋରଣ ନିର୍ମାଣ କରାଯାଇଛି । ଏହି ମଣ୍ଡପରେ କେନ୍ଦୁଝର ଜିଲା ସୋସୋ ଗ୍ରାମର ଶିଳ୍ପୀ ବିଷ୍ଣୁ ଚରଣ ମାଝୀଙ୍କ ଦ୍ୱାରା ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ବାରୁଆଳୀ ମୂତ୍ତି ତିଆରି କରାଯାଇଛି । ଚଳିତ ବର୍ଷର ପୂଜା ପାଇଁ ଥାନା ଛକ ପୂଜା କମିଟି ପକ୍ଷରୁ ୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେହିପରି କେନ୍ଦୁଆପଦା ଛକ ମଣ୍ଡପରେ ଭଦ୍ରକ ରାନ୍ଦିଆସ୍ଥିତ ଲକ୍ଷ୍ମୀ ଟେଣ୍ଟ ହାଉସ ଦ୍ୱାରା କଲିକତାର ଯୋଡା ମନ୍ଦିର ସଦୃଶ ତୋରଣ କାଠି ସପରେ ତିଆରି କରାଯାଇଛି । ଯାହାର ଉଚ୍ଚତା ୫୦ ଫୁଟ ରହିଛି । ଏହି ମଣ୍ଡପରେ ଚାଇଁପୁର ଗ୍ରାମର ଶିଳ୍ପୀ ଜଳଧର ପରିଡାଙ୍କ ଦ୍ୱାରା ମୃଣ୍ମୟୀ ମୂତ୍ତି ଓ ବାରୁଆଳୀ ମୂତ୍ତି ନିର୍ମାଣ କରାଯାଇଛି । ଦର୍ଶକଙ୍କୁ ଆକୃଷ୍ଟ କଲା ଭଳି କିଙ୍ଗ କଙ୍ଗ କଙ୍କାଳ ଜମ୍ପିଂ ଏବଂ ମଥୁରାର କୃଷ୍ଣ ଲବଣୀ ଚୋର ଆଦି ବୈଦୁତିକ ମୁଭିଂ ବାରୁଆଳୀ ମୂତ୍ତି ତିଆରି କରାଯାଇଛି । ଏବର୍ଷ ପୂଜାରେ କେନ୍ଦୁଆପଦା ଛକ ପୂଜା କମିଟି ପକ୍ଷରୁ ୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ପୂଜା ଉତ୍ସବରେ ଦର୍ଶକ ମାନଙ୍କ ଚାହିଦାକୁ ଲକ୍ଷ୍ୟ କରି ଦୋଳି, ମୀନା ବଜାର, ମନୋହରି ଦୋକାନ, ମଧୁରା କେକ୍, ଚାଟ୍ ସମେତ ବିଭିନ୍ନ ଦୋକାନ ଖୋଲାଯାଇଛି । ସିନେମା ହଲ ଛକ ଠାରୁ କେନାଲ ଛକ ପର୍ଯ୍ୟନ୍ତ ରାଜ୍ୟ ରାଜପଥର ଉଭୟ ପାଶ୍ୱର୍କୁ ବିଭିନ୍ନ ରଙ୍ଗୀ ବେରଙ୍ଗୀ ଆଲୋକ ମାଳାରେ ସଜ୍ଜା ଯାଇଛି । ଏହି ପୂଜା ୭ଦିନ ଧରି ଚାଲିବ ବୋଲି ଜଣାଯାଇଛି । ଏହି ପୂଜା ଦେଖିବା ପାଇଁ ଭଦ୍ରକ ସମେତ ପଡୋଶୀ କେନ୍ଦୁଝର ଜିଲାରୁ ଦର୍ଶକ ମାନେ ଆସିଥାନ୍ତି । ଥାନା ଛକ କମିଟିର ସଭାପତି ରାମ ଚନ୍ଦ୍ର ପଣ୍ଡା, ସମ୍ପାଦକ ନୃସିଂହ ଚରଣ ପରିଡା, ଉପସଭାପତି ସୌକତ୍ ଅଲ୍ଲୀ, କୋଷାଧ୍ୟକ୍ଷ ବିଜୟ କୁମାର ସାହୁ, ଉପଦେଷ୍ଟା ଜଳଧର ପଣ୍ଡା, ପଞ୍ଚାନନ ନାୟକଙ୍କ ସମେତ କମିଟିର ଅନ୍ୟ ସଦସ୍ୟ ମାନେ ସହଯୋଗ କରୁଛନ୍ତି । ସେହିପରି କେନ୍ଦୁଆପଦା ଛକ ମଣ୍ଡପରେ କମିଟିର ସଭାପତି ବିଜୟ କୁମାର ନାୟକ, ସମ୍ପାଦକ ଅଖିଳ ସାହୁ, ସହ ସମ୍ପାଦକ ସେକ୍ କଦମ୍, କୋଷାଧ୍ୟକ୍ଷ ରଘୁନାଥ ରଣା, ଉପଦେଷ୍ଟା ମୋହନ ସାହୁ, କାହ୍ନୁ ଚରଣ ବାରିକଙ୍କ ସମେତ କମିଟିର ସଦସ୍ୟ ମାନେ ସହାୟତା କରୁଛନ୍ତି । ଶାନ୍ତିଶୃଂଖଳା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ବନ୍ତ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।