ଆସିକାର ମା’ ଖମ୍ବେଶ୍ୱରୀଙ୍କ ପୀଠରେ ଗଜଲକ୍ଷ୍ମୀ ପୂଜା
ଆସିକା (ୱାଇଏନ୍ଏସ୍): ଶାରଦୀୟ ଦୁର୍ଗାପୂଜା ଅବସରରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ଆସିକାର ଅଧିଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ ନବରାତ୍ର ପୁଜା ପାରମ୍ପରିକ ରୀତିନୀତି ତଥା ବିଧିବିଧାନ ଅନୁଯାୟୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଂପନ୍ନ ହେବା ପରେ ମଙ୍ଗଳବାର ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ ବିଧିବିଧାନ ଅନୁଯାୟୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଜଗତ୍ଜନନୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ ଗଜଲକ୍ଷ୍ମୀ ପୂଜା ଅବସରରେ ମା’ଙ୍କୁ ଦର୍ଶନ ଲାଗି ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଲାଗି ରହିଥିବା ବେଳେ ସନ୍ଧ୍ୟା ଆଳତୀ ସମୟରେ ଭକ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା । ମା’ ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ଆସିକା ଅଧିଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କୁ ବିଭିନ୍ନ କିସମର ଆକର୍ଷଣୀୟ ପୁଷ୍ପରେ ମଣ୍ଡିତ କରାଯାଇଥିଲା । ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ପୂଜାର୍ଚ୍ଚନା ଓ ହୋମଯଜ୍ଞ କାର୍ଯ୍ୟକ୍ରମରେ କର୍ତ୍ତା ରୂପେ କୁମ୍ଭାର ସାହି (ହରିହର ନଗର)ର ଆଧ୍ୟାତ୍ମିକପ୍ରେମୀ ଶ୍ରୀକାନ୍ତ ଜେନା ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିଥିଲା ବେଳେ ଆସିକା ବ୍ଳକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଅଭିଜ୍ଞ ବିଦ୍ୱାନ ପଣ୍ଡିତ ତଥା କର୍ମକାଣ୍ଡ ବାଚସ୍ପତି ମୃତ୍ୟୁଞ୍ଜୟ ଆଚାର୍ଯ୍ୟଙ୍କ ମନ୍ତ୍ର ଉଚ୍ଚାରଣରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇ ପଡିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକାର ଅଧୀଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ପୀଠରେ ଗଜଲକ୍ଷ୍ମୀ ପୂଜା ଅବସରରେ ଶ୍ରଦ୍ଧାଳୁ ଭକ୍ତଙ୍କ ଆଶାତୀତ ଭିଡ ଜମିଥିବା ବେଳେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ମନ୍ଦିର ପରିଚାଳନା କମିଟିର ସଂପାଦକ ସଚ୍ଚିଦାନନ୍ଦ ଖଟେଇ, ମନ୍ଦିର ପୂଜକ ସନ୍ୟାସୀ ମୁନି, ଗଣପତି ମୁନି, ନରସିଂହ ମୁନି, ସତ୍ୟନାର୍ୟାୟଣ ମୁନି, ସିମାଂଚଳ ମୁନି, ମାଧବ ମୁନି, ଭିକାରୀ ମୁନି, ସଂଜୟ ମୁନି, ପ୍ରମୋଦ ମୁନି, ଶ୍ରୀକାନ୍ତ ମୁନି, ନୀଳମାଧବ ମୁନି, ସନ୍ତୋଷ ମୁନି, ଅରବିନ୍ଦ ମୁନି, ସିଲୁ ମୁନି, ଅଜିତ ମୁନି, ପ୍ରସନ୍ନ ମୁନି, ବାବୁଲା ମୁନିିଙ୍କ ସମେତ ସମସ୍ତ ସେବାୟତ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା। ଜଗତଜନନୀ ମା’ ଖମ୍ବେଶ୍ୱରୀ ପ୍ରସନ୍ନ ହେଲେ ପ୍ରତ୍ୟେକ କାର୍ଯ୍ୟ ସିଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି । ଏଣୁ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମା’ ଖମ୍ବେଶ୍ୱରୀଙ୍କ କରୁଣା ଲାଭ କରିବା ଉଦ୍ଦେଶ୍ୟରେ ଏହି ପୀଠକୁ ଆସିଥାନ୍ତି ।