ଗଜପତି ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା ବେଶ ପ୍ରଭାବିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାରେ ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ପ୍ରଭାବ ଲକ୍ଷ୍ୟ କରାଯାଇଛି. ପାରଳାଖେମୁଣ୍ଡି ସହର ପ୍ରବେଶ ପଥ ଫରେଷ୍ଟ ଗେଟ୍ ଛକ ନିକଟରେ ରାସ୍ତା ଉପରେ ଧାନ ବସ୍ତା ରଖି , ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି. ଏଥିସହ ଶହ ଶହ ଚାଷୀ ଏକତ୍ରିତ ହୋଇ ରାସ୍ତା ଉପରେ ସରକାରୀ ବିରୋଧୀ ନାରାବାଜି ଦେଇଛନ୍ତି। ମଣ୍ଡିରେ ଧାନ କିଣା ପରିବର୍ତ୍ତେ ମିଲର କିଣୁଛନ୍ତି ଧାନ , ୬ କିଲୋ ପର୍ଯ୍ୟନ୍ତ କଟଣି ଛଟଣି ନାମରେ ଚାଷୀଙ୍କୁ ଠକା ଯାଉଛି. ଅଖା ଓ ପରିବହନ ଖର୍ଚ୍ଚ ଟଙ୍କା ଚାଷୀଙ୍କୁ ମିଳୁନି, ସ୍ମାର୍ଟ ମିଟର ଲଗାଇ ବିଦ୍ୟୁତ ବିଲ ମାଧ୍ୟମରେ ଚାଷୀଙ୍କୁ ଶୋଷଣ କରାଯାଉଛି. ଓଡିଶାରୁ ବିଦ୍ୟୁତ ନେଇ ଆନ୍ଧ୍ର ମାଗଣାରେ ଚାଷୀ ଯୋଗାଉଥିବା ବେଳେ ଓଡ଼ିଶାରେ ଓଲଟା ସ୍ଥିତି ରହିଛି। ଏହି ସବୁର ପ୍ରତିବାଦ କରି ଆଜିର ବନ୍ଦ ଡାକରାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରହିଥିଲା। ପାରଳା ସହରରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଫଳରେ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ. ନବ ନିର୍ମାଣ କୃଷକ ସଂଘଠନର ପ୍ରଭାରୀ ରଣଜିତ ପଟ୍ଟନାୟକ, ଗଜପତି ଜିଲ୍ଲା ଚାଷୀ କୃଷକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ବନ୍ଦ ଡାକରା ଦିଆଯାଇଥିଲା. କଂଗ୍ରେସ ତରଫରୁ ଚାଷୀମାନଙ୍କ ଏହି ଆନ୍ଦୋଳନକୁ ମୋହନା ବିଧାୟକ ତଥା ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାଶରଥି ଗମାଙ୍ଗଙ୍କ ସମେତ ବହୁ କଂଗ୍ରେସ ନେତା ସମର୍ଥନ ଜଣାଇ ଆନ୍ଦୋଳନରେ ଭାଗ ନେବା ସହ ଗଜପତି ଜିଲ୍ଲାରେ ମଣ୍ଡିରେ ଚାଲିଥିବା ବିଭିନ୍ନ ଅବ୍ୟବସ୍ଥାକୁ ନେଇ ସମାଲୋଚନା କରିଥିଲେ.


