ଗଜପତି ପୋଲିସ ଦ୍ଵାରା 50 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ପୁଲିସ ଆଉ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହେବାରେ ଲାଗିଛି। ଗତ କିଛି ଦିନ ହେଲା ଗଜପତି ପୋଲିସ ଲଗାତାର ଭାବେ ଚଢାଉ କରି ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଗଛିତ ଥିବା ବହୁ ପରିମାଣର ଗଞ୍ଜେଇକୁ ଜବତ କରିଥିବା ବେଳେ ଗତକାଲି ପୁଣି 50 ଲକ୍ଷ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିବାରେ ପୋଲିସ ସଫଳ ହୋଇଛନ୍ତି । ଗୁରୁବାର ଦିନ ଅଡବା ପୁଲିସକୁ ବିଶେଷ ସୂତ୍ରରୁ ଖବର ପାଇ ଅଡବା ଥାନା ଅନ୍ତର୍ଗତ ମାଣ୍ଡିମେରା ଗ୍ରାମ ଅଞ୍ଚଳରୁ ଏକ ମେକ୍ସ ପିକ ଅପ ଭ୍ୟାନରେ ଗଞ୍ଜେଇ ଭର୍ତ୍ତି ଗାଡ଼ି ଚୋରା ଚାଲାଣ କରାଯିବାର ଖବର ପାଇ ଅଡବା ପୁଲିସର ଏକ ଟିମ ଚଢାଉ କରିଥିଲା । ଚଢ଼ାଉ ସମୟରେ ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଗାଡ଼ି ସହ ଗଞ୍ଜେଇକୁ ଜବତ କରିଛି ପୁଲିସ। ଜବତ ଗଞ୍ଜେଇ ବସ୍ତା ଗୁଡ଼ିକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରଯାଇଥିଲା । ଯାହାର ପରିମାଣ ୫ କୁଇଣ୍ଟାଲ ହୋଇଥିଲା। ଏହାର ଆନୁମାନିକ ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।


