ଚୋରା ମଦ ବେପାରକୁ ବିରୋଧ କରି ଗଙ୍ଗଦାହାଟ ବଜାର କମିଟିର ରାସ୍ତା ଅବରୋଧ

ନାଉଗାଁ,(ପ୍ରଦୋଷ ମହାନ୍ତି):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗଙ୍ଗଦାହାଟରେ ବ୍ୟାପକ ଚୋରା ମଦ ଓ ନିଶା କାରାବାରକୁ ବିରୋଧ କରି ବଜାର କମିଟି ପକ୍ଷରୁ ସୋମବାର ଗାମ୍ୟ ଉନ୍ନୟନ ବିଭାଗର ଶାଳିଜଙ୍ଗା-ତିରୁଣା ରାସ୍ତାକୁ ପ୍ରାୟ ୨ଘଂଟାରୁ ଉର୍ଦ୍ଧ୍ୱ ସମୟ ଅବରୋଧ କରାଯାଇଥିଲା। ଘଂଟଣାସ୍ଥଳରେ ଥାନା ଏସଆଇ ନିଳମଣୀ ନାୟକ ପହଂଚି ଅବରୋଧକାରୀକୁ ବୁଝାସୁଝା କରିବା ସହ ଚୋରା ମଦ ଓ ନିଶା ବେପାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ଅବରୋଧ ଯୋଗୁ ଉଭୟ ପାଶ୍ୱର୍ରେ ଯାନବାହାନ ଅଟକି ରହିଥିଲା। ବଜାର କମିଟିର ସଭାପତି ନରେଶ ସେଠୀ ଓ ସଂପାଦକ ବିବେକାନନ୍ଦ ବାରିକଙ୍କ କହିବା ମୁତାବକ ଉକ୍ତ ବଜାରରେ ଦୀର୍ଘ ଦିନ ହେବ ଚୋରା ମଦ ଓ ନିଶା କାରାବାର ବୃଦ୍ଧି ପାଇଛି। ଏହା ଯୋଗୁ ବିଭିନ୍ନ ଦୋକାନରୁ ଚୋରି, ମାଡ ପିଟ ସହିତ ମଦ୍ୟପମାନେ ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି। ଯାହାଫଳରେ ପିଲାମାନେ ବିଦ୍ୟାଳୟକୁ କିମ୍ବା ମହାବିଦ୍ୟାଳୟକୁ ଯିବାକୁ ଭୟଭୀତ ହେଉଛନ୍ତି। ଏସଂକ୍ରାନ୍ତରେ ବାରମ୍ବାର ଥାନାଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଏହା ଯୋଗୁ ଦିନକୁ ଦିନ ମଦ୍ୟପ ଓ ନିଶାଡିମାନେ ପରିବେଶକୁ ନଷ୍ଟ କରୁଥିବାରୁ ଏହାର ପ୍ରତିବାଦରେ ବଜାର କମିଟିର ସମସ୍ତ ସଦସ୍ୟ ରାସ୍ତା ଅବରୋଧ କରିବା ପାଇଁ ବାଧ୍ୟ ହୋଇଥିଲେ। ଯଦି ଚୋରା ମଦ ଓ ନିଶା ଦ୍ରବ୍ୟ ବିକ୍ରି ଉପରେ କୌଣସି ଅଙ୍କୁଶ ନ ଲାଗେ ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ଅବରୋଧରେ କମିଟିର ସଦସ୍ୟ ରଶ୍ମିରଂଜନ ତ୍ରିପାଠୀ, ଉମେଶ ବିଶ୍ୱାଳ,ଖୋକନ ମହାନ୍ତି,ପ୍ରଶାନ୍ତ ଦଳାଇ, ନିତ୍ୟାନନ୍ଦ ବିଶ୍ୱାଳଙ୍କ ସମେତ ଶତାଧିକ ସଦସ୍ୟ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ